ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୬୧ଟି ଫୌଜଦାରୀ ମୋକଦ୍ଦମା ଫଇସଲା

ସମ୍ବଲପୁର: ସମ୍ବଲପୁର ଠାରେ ରାଷ୍ଟ୍ରୀୟ ଆଇନ ସେବା ନୁଆଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଶନିବାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି। ସମ୍ବଲପୁର ଜିଲା ସଦର ମହକୁମା ଠାରେ ସ୍ଥିତ ଅଦାଲତ ସମୁହ ଏବଂ ଜିଲା ଅର୍ନ୍ତଗତ ତାଲୁକସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତ ଗୁଡିକରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଥିଲା।

ଏହି ଅଦାଲତ ଜରିଆରେ ମୋଟରଯାନ ଦୁର୍ଘଟଣା ଜନିତ ୨୧ଟି ମାମଲାରେ କ୍ଷତିପୂରଣ ବାବଦରେ ୮୧ ଲକ୍ଷ ୧୦ ହଜାର ଟଙ୍କା, ୧୯ଟି ପରିବାର ସଂକ୍ରାନ୍ତୀୟ ମାମଲାର ଫଇସଲା, ୩୪ଟି ଦେୱାନୀ ମୋକଦ୍ଦମା ଗୁଡିକରେ ଫଇସଲା କରାଯାଇ ୭୭ ଲକ୍ଷ ୭୩ ହଜାର ୭୮.୯୦ ଟଙ୍କା ଆଦାୟ କରାଯାଇଛି।

ସେହିଭଳି ଲୋକ ଅଦାଲତରେ ୨୬୧ଟି ଫୌଜଦାରୀ ମୋକଦ୍ଦମା ଫଇସଲା, ୬୮ଟି ଏନଆଇ ଆକ୍ଟ ଫଇସଲା କରାଯାଇ ୧ କୋଟି ୩୪ ଲକ୍ଷ ୪୬ ହଜାର ୦୫୫ ଟଙ୍କା ଆଦାୟ କରାଯାଇଛି। ରାଷ୍ଟ୍ରାୟତ ଓ ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକର ୩୭ ଟି ମାମଲାର ଫଇସଲାରେ ୬ ଲକ୍ଷ ୫୮ ହଜାର ୩୭୭ ଟଙ୍କା ଆଦାୟ, ଖାଉଟି ୨ଟି ଓ ରାଜସ୍ୱ ବିଭାଗର ୫୭୫୪ ଟି ମାମଲା ଗୁଡିକର ଫଇସଲା କରାଯାଇ ୧୯ ଲକ୍ଷ ୯୦ ହଜାର ୧୯୭ ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି।

ସମ୍ବଲପୁର ଠାରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମାନସ ରଞ୍ଜନ ବାରିକ ଙ୍କ ଅଧ୍ୟକ୍ଷତା କରିଥିଲେ। ଜିଲା ଜଜ ଦ୍ୱିତୀୟ ଲୋକନାଥ ମହାପାତ୍ର, ପରିବାର ଅଦାଲତ ଜଜ ସତ୍ୟ ନାରାୟଣ କର, ପ୍ରଥମ ଅତିରିକ୍ତ ଜିଲା ଜଜ ଦେବାଶିଷ ପଣ୍ଡା ପ୍ରମୁଖ ବିଭିନ୍ନ ମୋଟରଯାନ ଜନିତ ଦୁର୍ଘଟଣା, ପରିବାର ସମ୍ପର୍କୀୟ ମୋକଦ୍ଦମା ଗୁଡିକର ସମାଧାନ କରିଥିଲେ। ସେହିପରି ବିଭିନ୍ନ ଦେୱାନୀ ମୋକଦ୍ଦମା ଏବଂ ଫୋଜଦାରୀ ମୋକଦ୍ଦମା ଗୁଡିକର ଫଇସଲା କରାଯାଇଥିଲା।

ସେହିଭଳି ତାଲୁକସ୍ତରରେ କୁଚିଣ୍ଡା ଅଧ୍ୟକ୍ଷ ରାଜକିଶୋର ଲେଙ୍କା ଅଧ୍ୟକ୍ଷତା ଏବଂ ରେଢ଼ଖୋଲ ଠାରେ ଅତିରିକ୍ତି ଜିଲା ଜଜ ଦୀପ୍ତି ପ୍ରକାଶ ବ୍ରହ୍ମ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଅଦାଲତ ଆୟୋଜିତ ହୋଇଥିଲା। ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଙ୍କର ମିଶ୍ର ସମ୍ବଲପୁର ଠାରେ ହୋଇଥିବା ଲୋକ ଅଦାଲତକୁ ପରିଚାଳନା କରିଥିଲେ। ଏଥି ସହ ଲୋକ ଉପଯୋଗୀ ଅଧ୍ୟକ୍ଷଙ୍କ ପରିଚାଳନାରେ ୧୧ଟି ଲୋକ ଉପଯୋଗୀ ସେବା ମାମଲା ଗୁଡିକର ଫଇସଲା ମଧ୍ୟ କରାଯାଇଥିଲା।

Comments are closed.