ମେ’ରେ ଆସୁଛି ଲଘୁଚାପ, ଆହୁରି ୪ ଦିନ କାଳବୈଶାଖୀ

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ମେ’ ପ୍ରଥମ ସପ୍ତାହ ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହି ଅବପାତ ସାମୁଦ୍ରିକ ଝଡ଼ରେ ପରିଣତ ହେବ କି ନାହିଁ ତାହା ଏବେଠାରୁ ସ୍ପଷ୍ଟ କରିବା ସମ୍ଭବ ନୁହେଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ଗଣମାଧ୍ୟମକୁ ଜଣାଇଛନ୍ତି।

ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଥିଲେ, ମେ’ ୫ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିବିଧି ଉପରେ ବିଭାଗ ପକ୍ଷରୁ ସ୍ପଷ୍ଟ ଆକଳନ କରାଯାଇ ପାରିବ। ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ହଁ ପଡ଼ିବ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ। ତେବେ ସେହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ବଙ୍ଗୋପସାଗରକୁ ନ ଯିବାକୁ ପରାମର୍ଶ ରହିବ। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉପରେ ପାଣିପାଗ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ଗ୍ରୀଷ୍ମକାଳୀନ ବାତ୍ୟା ପାଇଁ ମେ’ ମାସ ଅନୁକୂଳ ରହିଥାଏ ବୋଲି ସେ କହିଛନ୍ତି।

ରାଜ୍ୟରେ ଆହୁରି ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଆଭ୍ୟନ୍ତରଣ ଓଡ଼ିଶାର ଜିଲା ଗୁଡିକ ମଧ୍ୟରୁ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗୀରର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତ, କୁଆପଥର ବୃଷ୍ଟିପାତ ସହିତ ଘଣ୍ଟା ପ୍ରତି ୪୦କିମିରୁ ୫୦କିମି ବେଗରେ ପବନ ବହିପାରେ। ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କଳାହାଣ୍ଡିର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କମଳା ସତର୍କତା ଜାରି କରାଯାଇଛି।

କନ୍ଧମାଳ, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ଦେବଗଡ଼ର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏହିସବୁ ଜିଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

Comments are closed.