ଏସଆରଆଇଟି ବନ୍ଧୁକ ମୁନରେ ଲୁଟ ଘଟଣା : ଜଣେ ଗିରଫ, ନାବାଳକ ଅଟକ

ସମ୍ବଲପୁର: ସମ୍ବଲପୁରର ଘଞ୍ଚ ଜନବସତି ଅଞ୍ଚଳ ଏସଆରଆଇଟି କଲୋନୀରେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ବରିଷ୍ଠ ନାଗରିକ ମାନଙ୍କୁ ଭୟଭୀତ କରି ଲୁଟ ଘଟଣାରେ ଅଇଁଠାପାଲି ପୁଲିସକୁ ୧୪ ଦିନ ପରେ ସଫଳତା ମିଳିଛି। ସମ୍ବଲପୁର ଏସଡିପିଓ ତପନ ମହାନ୍ତିଙ୍କ ସୂଚନାନୁଯାୟୀ ଗତ ୩ ତାରିଖରେ ଏସଆରଆଟି କଲୋନୀ ନିବାସୀ ଆଲୋକ କରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଅନୁପସ୍ଥିତି ସମୟରେ ଘର ମଧ୍ୟକୁ କିଛି ଅଜଣା ଲୁଟିଆ ଘରକୁ ପ୍ରବେଶ କରି ବନ୍ଧୁକ ମୁନରେ ତାଙ୍କର ପିତାମାତାଙ୍କୁ ମାଡ଼ ମାରି ନଗଦ ଟଙ୍କା ଓ ସୁନାଗହଣା ଲୁଟ କରି ନେଇଥିଲେ। ଏହାପରେ ଅଇଁଠାପାଲି ଥାନାରେ ଆଇପିସି ଧାରା ୟୁ/ଏସ ୪୫୦/୩୯୪/୩୯୭ ଆଇପିସି ଏବଂ ୨୫/୨୭ ଆର୍ମ୍ସ ଆଇନ ଅନୁଯାୟୀ ମାମଲା ନଂ ୨୨୪/୨୦୨୧ ରୁଜୁ କରାଯାଇ ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜ ରହିଥିବା ବେଳେ ଘଟଣାର ରହସ୍ୟ ଉନ୍ନମୋଚନରେ ଏହା ବିଶେଷ ସହାୟତା କରିଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ଗୁଡିକ ଜିଲା ତଥା ଜିଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୋମବାର ମୁଖ୍ୟ ଅଭିଯୁକ୍ତ ବୁଦ୍ଧଦେବ ବିଶ୍ୱାଳ (୩୯) ଓ ଜଣେ ୧୭ ବର୍ଷିୟ ନାବାଳକକୁ ପୁଲିସ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ନିକଟରୁ ନଗଦ ୪ ହଜାର ୬ ଶହ ଟଙ୍କା, ଅଭିଯୋଗକର୍ତ୍ତା ଆଲୋକ ସୁପକାରଙ୍କ ଆଧାର କାର୍ଡ, ଗୋଟିଏ ମୋଟର ସାଇକେଲ (ଓଡି-୧୫-ଆର-୪୩୫୪) ଏବଂ କିଛି ମୋବାଇଲ ଫୋନ ଓ ସିମ କାର୍ଡ ଜବତ କରିଛି। ଲୁଟିଆ ମାନେ ବ୍ୟବହାର କରିଥିବା ମୋଟର ସାଇକେଲଟି ଗତ ମାସ ୧୫ ତାରିଖରେ ଉଲୁଣ୍ଡା ଥାନାଞ୍ଚଳରେ ଲୁଟ କରାଯାଇଥିଲା। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପେଶାଦାର ଅପରାଧି ପ୍ରବୃତ୍ତିର ହୋଇଥିବା ପୁଲିସ ରେକର୍ଡରୁ ଜଣାପଡିଛି। ପ୍ରାରମ୍ଭିକ ତଦନ୍ତ ସମୟରେ ସମ୍ବଲପୁର ପୁଲିସ ବିଭିନ୍ନ ଜିଲାର ଥାନାଞ୍ଚଳ ଗୁଡିକରେ ମୁଖ୍ୟ ଅଭିଯୁକ୍ତ ଓ ତାର ସାଥି ମାନଙ୍କ ଦ୍ୱାରା କରାଯାଇଥିବା ୨୧ଟି ମାମଲା ରହିଥିବାର ଜଣାପଡିଛି। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ ଜାରି ରଖିଛି ବୋଲି ସମ୍ବଲପୁର ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ଅତ୍ୟନ୍ତ ବ୍ୟସ୍ତତମ ଓ ଘଞ୍ଚ ଜନବସତି ଅଞ୍ଚଳ ଏସଆରଆଟି କଲୋନୀ ଠାରେ ସ୍ଥିତ ବରିଷ୍ଠ ଆଇନଜୀବି ସୁଧାକର ସୁପକାରଙ୍କ ଘରୁ ତାଙ୍କୁ ଓ ଧର୍ମପତ୍ନୀଙ୍କୁ ବନ୍ଧୁକ ମୁନରେ ଡରାଇ ୪ ଜଣ ଲୁଟିଆ ଦିନ ପ୍ରାୟ ୧ଟା ୩୦ରେ ସୁନାଗହଣା ଓ ଟଙ୍କା ଲୁଟ କରିଥିଲେ। ମୁଖ୍ୟ ରାସ୍ତାକଡରେ ରହିଥିବା ଘରୁ ବରିଷ୍ଠ ନାଗରିକ ମାନଙ୍କ ଠାରୁ ଲୁଟ ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଲୁଟିଆ ମାନଙ୍କର ଘର ମଧ୍ୟକୁ ପ୍ରବେଶ ଓ ପ୍ରସ୍ତାନ ସମୟର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଲୁଟ ପରେ ଲୁଟିଆ ମାନେ ଚାଲି ଚାଲି ଘରୁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ କିଛି ଦୂରରେ ରଖିଥିବା ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଏହି ଘଟଣାର ରହସ୍ୟ ଉନ୍ନମୋଚନ କରିବା ପୁଲିସର ଭାବମୂର୍ତ୍ତି ପାଇଁ ଏକ ବିରାଟ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

Comments are closed.