ବନ୍ଧୁକ ମୁନରେ ଲୁଟ ଘଟଣା – ଜଣେ ଗିରଫ, ନାବାଳକ ଅଟକ

ସମ୍ବଲପୁର: ସମ୍ବଲପୁରର ଘଞ୍ଚ ଜନବସତି ଅଞ୍ଚଳ ଏସଆରଆଇଟି କଲୋନୀରେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ବରିଷ୍ଠ ନାଗରିକ ମାନଙ୍କୁ ଭୟଭୀତ କରି ଲୁଟ ଘଟଣାରେ ଅଇଁଠାପାଲି ପୁଲିସକୁ ୧୪ ଦିନ ପରେ ସଫଳତା ମିଳିଛି। ସମ୍ବଲପୁର ଏସଡିପିଓ ତପନ ମହାନ୍ତିଙ୍କ ସୂଚନାନୁଯାୟୀ ଗତ ୩ ତାରିଖରେ ଏସଆରଆଟି କଲୋନୀ ନିବାସୀ ଆଲୋକ କରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଅନୁପସ୍ଥିତି ସମୟରେ ଘର ମଧ୍ୟକୁ କିଛି ଅଜଣା ଲୁଟିଆ ଘରକୁ ପ୍ରବେଶ କରି ବନ୍ଧୁକ ମୁନରେ ତାଙ୍କର ପିତାମାତାଙ୍କୁ ମାଡପିଟ କରି ନଗଦ ଟଙ୍କା ଓ ସୁନାଗହଣା ଲୁଟ କରି ନେଇଥିଲେ। ଏଣୁ ଅଇଁଠାପାଲି ଥାନାରେ ଆଇପିସି ଧାରା ୟୁ/ଏସ ୪୫୦/୩୯୪/୩୯୭ ଆଇପିସି ଏବଂ ୨୫/୨୭ ଆର୍ମ୍ସ ଆଇନ ଅନୁଯାୟୀ ମାମଲା ନଂ ୨୨୪/୨୦୨୧ ରୁଜୁ କରାଯାଇ ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ଏହି ଘଟଣାର ସିସିଟିଭି ଫୁଟେଜ ରହିଥିବା ବେଳେ ଘଟଣାର ରହସ୍ୟ ଉନ୍ନମୋଚନରେ ଏହା ବିଶେଷ ସହାୟତା କରିଥିଲା। ଜିଲା ଆରକ୍ଷୀ ଅଧିକ୍ଷକ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ଗୁଡିକ ଜିଲା ତଥା ଜିଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୋମବାର ମୁଖ୍ୟ ଅଭିଯୁକ୍ତ ବୁଦ୍ଧଦେବ ବିଶ୍ୱାଳ (୩୯) ଓ ଜଣେ ୧୭ ବର୍ଷିୟ ନାବାଳକକୁ ପୁଲିସ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ନିକଟରୁ ନଗଦ ୪ ହଜାର ୬ ଶହ ଟଙ୍କା, ଅଭିଯୋଗକର୍ତ୍ତା ଆଲୋକ ସୁପକାରଙ୍କ ଆଧାର କାର୍ଡ, ଗୋଟିଏ ସ୍ପେଲଣ୍ଡର ମୋଟର ସାଇକେଲ (ଓଡି-୧୫-ଆର-୪୩୫୪) ଏବଂ କିଛି ମୋବାଇଲ ଫୋନ ଓ ସିମ କାର୍ଡ ଜବତ କରିଛି।

ଲୁଟିଆମାନେ ବ୍ୟବହାର କରିଥିବା ମୋଟର ସାଇକେଲଟି ଗତ ମାସ ୧୫ ତାରିଖରେ ଉଲୁଣ୍ଡା ଥାନାଞ୍ଚଳରେ ଲୁଟ କରାଯାଇଥିଲା। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜଣେ ପେଶାଦାର ଅପରାଧି ପ୍ରବୃତ୍ତିର ହୋଇଥିବା ପୁଲିସ ରେକର୍ଡରୁ ଜଣାପଡିଛି। ପ୍ରାରମ୍ଭିକ ତଦନ୍ତ ସମୟରେ ସମ୍ବଲପୁର ପୁଲିସ ବିଭିନ୍ନ ଜିଲାର ଥାନାଞ୍ଚଳ ଗୁଡିକରେ ମୁଖ୍ୟ ଅଭିଯୁକ୍ତ ଓ ତାର ସାଥି ମାନଙ୍କ ଦ୍ୱାରା କରାଯାଇଥିବା ୨୧ଟି ମାମଲା ରହିଥିବାର ଜଣାପଡିଛି। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ ଜାରି ରଖିଛି ବୋଲି ସମ୍ବଲପୁର ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ଅତ୍ୟନ୍ତ ବ୍ୟସ୍ତତମ ଓ ଘଞ୍ଚ ଜନବସତି ଅଞ୍ଚଳ ଏସଆରଆଟି କଲୋନୀ ଠାରେ ସ୍ଥିତ ବରିଷ୍ଠ ଆଇନଜୀବି ସୁଧାକର ସୁପକାରଙ୍କ ଘରୁ ତାଙ୍କୁ ଓ ଧର୍ମପତ୍ନୀଙ୍କୁ ବନ୍ଧୁକ ମୁନରେ ଡରାଇ ୪ ଜଣ ଲୁଟିଆ ଦିନ ପ୍ରାୟ ୧ଟା ୩୦ରେ ସୁନାଗହଣା ଓ ଟଙ୍କା ଲୁଟ କରିଥିଲେ। ମୁଖ୍ୟ ରାସ୍ତାକଡରେ ରହିଥିବା ଘରୁ ବରିଷ୍ଠ ନାଗରିକ ମାନଙ୍କ ଠାରୁ ଲୁଟ ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଲୁଟିଆମାନଙ୍କର ଘର ମଧ୍ୟକୁ ପ୍ରବେଶ ଓ ପ୍ରସ୍ତାନ ସମୟର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଲୁଟ ପରେ ଲୁଟିଆମାନେ ଚାଲି ଚାଲି ଘରୁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ କିଛି ଦୂରରେ ରଖିଥିବା ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଏହି ଘଟଣାର ରହସ୍ୟ ଉନ୍ନମୋଚନ କରିବା ପୁଲିସର ଭାବମୂର୍ତ୍ତି ପାଇଁ ଏକ ବିରାଟ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଅଭିଯୁକ୍ତର ଅପରାଧିକ ଇତିହାସ ବହୁ ପୁରଣା
ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବୁଦ୍ଧଦେବ ବିଶ୍ୱାଳ ମୂଳତଃ ରେଙ୍ଗାଲି ଅଞ୍ଚଳ ନିବାସୀ ହୋଇଥିବା ବେଳେ ସେ ବହୁ ବର୍ଷ ଝାରଖଣ୍ଡର ରାଞ୍ଚି ଓ ଛତିଶଗଡର ରାୟଗଡ ଅଞ୍ଚଳରେ ରହିଛନ୍ତି। ୨୦୦୫ ମସିହାରେ ସେ ପ୍ରଥମେ ଏକ ବ୍ୟାଙ୍କ ଡକାୟତିରୁ ତାଙ୍କର ଅପରାଧ ଦୁନିଆରେ ପ୍ରବେଶ କରିଥିବାର ଜଣାପଡିଛି। ମୁଖ୍ୟ ଅଭିଯୁକ୍ତର ଲକ୍ଷ୍ୟରେ ସବୁ ସମୟରେ ବ୍ୟାଙ୍କ, ବଡ ବଡ ସମ୍ପନ୍ନ ଘର ଗୁଡିକ ରହିଥିବା ବେଳେ ବିଗତ ଦିନରେ ପଶ୍ଚିମ ଓଡିଶାର ଘଟିଯାଇଥିବା ଅନେକ ଚର୍ଚ୍ଚତ ଡକାୟତିରେ ତାଙ୍କର ସଂପୃକ୍ତି ରହିଥିବାର ଜଣାପଡିଛି। ବିଗତ ୨୦୧୮ ମସିହାରେ ସମ୍ବଲପୁର ଜିଲା ଜମନକିରା ଆନ୍ଧ୍ରା ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ, ୨୦୧୯ ବରଗଡ ଜିଲା ଟାଉନ ଥାନାଞ୍ଚଳର ଜାମୁଡ୍ଡା ଅଞ୍ଚଳରେ ଡକାୟତି ସମୟରେ ଜଣକୁ ଗୁଳି କରି ହତ୍ୟା କରିବା, ୨୦୧୬ ବରଗଡ ଜିଲା ଅମ୍ଭାଭନା ଷ୍ଟେଟ ବ୍ୟାଙ୍କରେ ଡକାୟତି କରି ୧୪ କୋଟିରୁ ଉର୍ଦ୍ଧ ଟଙ୍କା ଲୁଟ ସମେତ ଅନେକ ଅପରାଧିକ ଘଟଣାରେ ସାମିଲ ରହିଥିବାର ଜଣାପଡିଛି।

ବହୁ ରୂପିଆ ହୋଇ ଲକ୍ଷ୍ୟ ସ୍ଥାନ ନିରୁପଣ
ଏହି ଡକାୟତ ଦଳ କୌଣସି ଲୁଟ ଘଟଣା ପୂର୍ବରୁ ସେମାନେ ସେହି ଅଞ୍ଚଳକୁ ବିଭିନ୍ନ ସାମଗ୍ରୀ ବିକ୍ରି କରିବା, ଫେରିବାଲା, ଘରଭଡା ଆଦି ବିଭିନ୍ନ ଆଳରେ ଲକ୍ଷ୍ୟ ସ୍ଥାନ ଗୁଡିକର ରେକି କରିଥାନ୍ତି। ଏହା ସହିତ ଜାତୀୟ ରାଜପଥ ଠାରୁ ନିକଟରେ ରହିଥିବା ଅଞ୍ଚଳକୁ ଲୁଟିଆ ମାନେ ଲକ୍ଷ୍ୟରେ ରଖି ସେମାନଙ୍କର ଲୁଟ ସ୍ଥାନକୁ ନିରୁପଣ କରିଥାନ୍ତି। ଏହା ପରେ ଲକ୍ଷ୍ୟ ସ୍ଥଳରେ ପୂର୍ବରୁ ଛକି ରହି ସୁଯୋଗ ଦେଖି ଲୁଟ କରି ଜାତୀୟ ରାଜପଥରେ ଫେରାର ହୋଇଯାଆନ୍ତି। ଏହା ସହିତ ସେମାନେ ଯେଉଁ ଅଞ୍ଚଳରେ ଲୁଟ କରିଥାନ୍ତି, ତା ଠାରୁ ପ୍ରାୟ ୫୦ ରୁ ୬୦ କିମି ଦୂର ଅଞ୍ଚଳରେ ସେମାନେ ତାଙ୍କର ପ୍ରମୁଖ ଲୁଚିବା ସ୍ଥାନରେ ରହିଥାନ୍ତି।

ଘର ଭଡା ବାହାନରେ ଏସଆରଆଟି କଲୋନୀରେ ରେକି
ଏହି ଡକାୟତ ଦଳ ଲୁଟ ଘଟଣାର ୩ – ୪ ଦିନ ପୂର୍ବରୁ ସେହି ଘରକୁ ଘର ଭଡା ପାଇଁ ଆସିଥିଲେ। ସେହି ସମୟରେ ସେମାନେ ଘରକୁ ଟିକିନିଖି କରି ଅନୁମାନ କରିଥିଲେ। ଏହା ପରେ ଘଟଣା ଦିନ ଗୃହକର୍ତ୍ତା ଙ୍କ ପୁତ୍ର ଘରୁ ବାହାରି ଯିବା ପରେ ସେମାନେ ଘରକୁ ପ୍ରବେଶ କରି ଲୁଟ କରିଥିଲେ।

ଲୁଟରେ ବ୍ୟବହୃତ ବାଇକ ସମ୍ବଲପୁରର
ଡକାୟତ ଦଳ ଲୁଟ ପରେ ଫେରାର ହୋଇଥିବା ବାଇକଟି ସମ୍ବଲପୁରର ଗୋବିନ୍ଦତୋଲା ନିବାସୀ ଜଣେ ବ୍ୟକ୍ତିଙ୍କ ବୋଲି ଜଣାପଡିଛି। ଡକାୟତ ଦଳ ଗତ ଏପ୍ରିଲ ୧୫ ତାରିଖରେ ଉଲୁଣ୍ଡା ନିକଟରେ ବାଇକ ମାଲିକ ସମ୍ବଲପୁରରୁ ଉଲୁଣ୍ଡା କୌଣିସ କାମରେ ଯାଉଥିବା ବେଳେ ରାସ୍ତାରେ ବନ୍ଧୁକ ମୁନରେ ସେମାନେ ଏହି ବାଇକକୁ ଲୁଟ କରିଥିଲେ। ଏହି ବାଇକ ଲୁଟର ଅଭିଯୋଗ ଅନୁଯାୟୀ ଉଲୁଣ୍ଡା ଥାନାରେ ମାମଲା ନଂ ୬୦/୨୦୨୧ ଅନୁଯାୟୀ ରୁଜୁ ହୋଇଛି।

Comments
Loading...