ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ହଡପ – ବ୍ୟାଙ୍କ ଅଫ ବରୋଦାର ଅଧିକାରୀ ଗିରଫ

ସମ୍ବଲପୁରରୁ ମାଲକାନଗିରି ପୁଲିସ ଉଠାଇ ନେଲା, ସମ୍ବଲପୁର ପୁଲିସକୁ ଜଣା ନାହିଁ

ସମ୍ବଲପୁର: ବ୍ୟାଙ୍କ ଅଫ ବରୋଦାର ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରି ହଡପ କରିବା ଅଭିଯୋଗରେ ସମ୍ବଲପୁରରୁ ବ୍ୟାଙ୍କ ମ୍ୟାନେଜର ଦେବାଶିଷ କୁମାର ସାହୁଙ୍କୁ ମାଲକାନଗିରି ପୁଲିସ ଗିରଫ କରିଛି। ସୂଚନାନୁଯାୟୀ, ମାଲକାନଗିରି ବ୍ୟାଙ୍କ ଅଫ ବରୋଦା ଶାଖାରେ ଏମଭି – ୧୨ ଗ୍ରାମ ନିବାସୀ ଅଭିଜିତ ସରକାରଙ୍କ ଆକାଉଣ୍ଟ ରହିଛି। ଅଭିଜିତ ତେଲେଙ୍ଗାନା ରାଜ୍ୟର ନିଜାମାବାଦ ଜିଲାରେ ଗତ ବର୍ଷ ଅକ୍ଟୋବର ୨୮ରୁ ଚଳିତ ବର୍ଷ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ସେହି ସମୟରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଦୁଇଟି କିସ୍ତିରେ ୩ ଲକ୍ଷ ୫୦ ହଜାର ୩୫୪ ଏବଂ ୨ ଲକ୍ଷ ୬୫ ହଜାର ଟଙ୍କା ବାହାର କରାଯାଇଥିବା ପରେ ଜାଣିଥିଲେ।

ଏ ସର୍ମ୍ପକରେ ସେ ଜାଣିବା ପରେ ସେ ଏପ୍ରିଲ ୩୦ ତାରିଖରେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିବାରୁ ମାମଲା ନଂ ୧୩୪/୨୦୨୧ ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଏବେ ମାଲକାନଗିରି ଶାଖାରେ କାର୍ଯ୍ୟରତ ମ୍ୟାନେଜରଙ୍କ ଠାରୁ ଜଣାପଡିଥିଲା ଯେ ଗ୍ରାହକ ଅଭିଜିତ ସରକାର ବ୍ୟାଙ୍କରୁ ଋଣ ପାଇଁ ଦସ୍ତଖତ ଯୁକ୍ତ ଖାଲି ଚେକ ବ୍ୟାଙ୍କକୁ ପ୍ରଦାନ କରିଥିବା ବେଳେ ସେହି ଚେକଗୁଡିକ ମାଧ୍ୟମରେ ତାଙ୍କର ଆକାଉଣ୍ଟରୁ ବାହାର କରାଯାଇଛି। ଏହି ମାମଲାରେ ପୂର୍ବତନ ବ୍ୟାଙ୍କ ଶାଖା ମ୍ୟାନେଜର ଦେବାଶିଷ ସାହୁ ସଂପୃକ୍ତ ଥିବା ବେଳେ ସେ କିଛି ମାସ ତଳେ ସମ୍ବଲପୁରକୁ ବଦଳି ହୋଇ ଆସିଥିବାର ତଦନ୍ତ ସମୟରେ ଜଣାପଡିଥିଲା।

ଏଣୁ ମାଲକାନଗିରି ପୁଲିସର ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁର ଆସି ଅଭିଯୁକ୍ତ ମ୍ୟାନେଜର ଦେବାଶିଷ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁରୁବାର କହିଛି। ଅପର ପକ୍ଷରେ ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀ ଜଣକ କିଛି ଦିନର ଛୁଟି ନେଇଥିବା ବେଳେ ଏ ସର୍ମ୍ପକରେ ପୁଲିସ ପକ୍ଷରୁ ଏ ପର୍ଯ୍ୟନ୍ତ ଆଧିକାରିକ ଭାବରେ କୌଣସି ସୂଚନା ବ୍ୟାଙ୍କୁ ପ୍ରଦାନ କରାଯାଇ ନ ଥିବାର ଜଣାପଡିଛି।

ସେହିଭଳି ମାଲକାନଗିରି ପୁଲିସ ସମ୍ବଲପୁରକୁ ଆସି ଅଭିଯୁକ୍ତକୁ ଧରି ନେଇ ପଳାଇଥିବା ବେଳେ ଏ ସର୍ମ୍ପକରେ ସମ୍ବଲପୁର ପୁଲିସ ସମ୍ପୁର୍ଣ୍ଣ ରୂପେ ଅଜ୍ଞ ରହିଛି। ସମ୍ବଲପୁର ପୁଲିସକୁ ଏ ସର୍ମ୍ପକରେ ପଚରାଯିବାରୁ ଅଧିକାରୀମାନେ ଏ ବାବଦରେ କିଛି ଜାଣି ନାହିଁ ଏବଂ ପଚାରି ବୁଝି କହୁଛୁ ବୋଲି କହିଥିଲେ। ଏଭଳି ଏକ ସଙ୍ଗୀନ ମାମଲାରେ ଅନ୍ୟ ଜିଲାର ପୁଲିସ ସମ୍ବଲପୁରକୁ ଆସି ଅପରେସନକୁ ସଫଳତାର ସହିତ କାର୍ଯ୍ୟକାରୀ କରି ଅଭିଯୁକ୍ତକୁ ନେଇଥିବା ବେଳେ ସମ୍ବଲପୁର ପୁଲିସକୁ କିଛି ଜଣା ନ ପଡିବା ଘଟଣା ସମସ୍ତ ଦୋଷ ଦୂର୍ବଳତାକୁ ଉଜାଗର କରି ଦେଉଛି।

Comments
Loading...