MEllora 950×100

ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ନେଇ ଓକିଲ ଓ ପୁଲିସ ମଧ୍ୟରେ ଛକାପଞ୍ଝା

ସମ୍ବଲପୁର : ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ନେଇ ଓକିଲ ଓ ଜନତା ଦୀର୍ଘ ଦଶନ୍ଧି ଧରି ଆନ୍ଦୋଳନରତ ରହିଛନ୍ତି। ଏଥିପାଇଁ ଅଦାଲତର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ସୁପ୍ରିମକୋର୍ଟ ଓକିଲମାନଙ୍କୁ ଆନ୍ଦୋଳନରୁ କ୍ଷାନ୍ତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକାରୀମାନେ ସେମାନେ କରି ଆସୁଥିବା ବନ୍ଦକୁ ବୁଧବାର ମଧ୍ୟ ଜାରି ରଖିଥିଲେ। ଏଣୁ ପୁଲିସ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ପ୍ରକାରର ଫନ୍ଦି କରି ସୁଦ୍ଧା ବିଚାରପତିମାନଙ୍କୁ ଅଦାଲତ ପରିସରକୁ ନେବାରେ ବିଫଳ ରହିଥିଲା ଏବଂ ବିଚାରପତିମାନେ ଫେରିଯାଇଥିଲେ। ଏହି ଘଟଣା ପରେ ଏବେ ଉଭୟ ଓକିଲ ଓ ପୁଲିସମାନଙ୍କ ମଧ୍ୟରେ ଆଇନ ଅନୁଯାୟୀ ଛକ୍କାପଞ୍ଝା ଆରମ୍ଭ ହୋଇଯାଇଛି। ବୁଧବାର ହୋଇଥିବା ଆନ୍ଦୋଳନ ଓ ବିଚାରପତିମାନଙ୍କୁ ଅଟକାଇବା ଘଟଣା ପାଇଁ ସମ୍ବଲପୁର ପୁଲିସ ଟାଉନ ଥାନାରେ ଏସଆଇ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଭିଯୋଗକ୍ରମେ ଜିଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର, ସମ୍ପାଦକ ସରୋଜ ସାହୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ଓକିଲମାନଙ୍କ ବିରୋଧରେ ୪୬୦/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଅପରପକ୍ଷରେ ଜିଲା ଓକିଲ ସଂଘର ପୂର୍ବତନ ସଭାପତି ଡ. ପ୍ରମୋଦ ରଥଙ୍କ ପୁଲିସର ମାତ୍ରାଧିକ କାର୍ଯ୍ୟ ଯୋଗୁଁ ଅଦାଲତ ପରିସର ନିକଟରେ ୬ ଜଣ ପୁରୁଷ ଓ ମହିଳା ଓକିଲ ଆହତ ହୋଇଥିବାରୁ ଟାଉନ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କର ଅଭିଯୋଗକୁ ଟାଉନ ଥାନାଧିକାରୀ ଗ୍ରହଣ କରି ନଥିବାରୁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଗୁରୁବାର ଡାକ ଜରିଆରେ ଅଭିଯୋଗ ପତ୍ର ପ୍ରେରଣ କରି ଅଭିଯୋଗ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅଭିଯୋଗ ପତ୍ର ଅନୁଯାୟୀ ଟାଉନ ଥାନାର ଏସଆଇ ପ୍ରଶାନ୍ତ କୁମାର ସ୍ୱାଇଁ, ରେଙ୍ଗାଲି ଥାନାଧିକାରୀ ଧବଳେଶ୍ୱର ସାହୁ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, ଯୁଯୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ, ବିଶ୍ୱନାଥ ଦେବତା ଓ ଅନ୍ୟ ପୁଲିସ କର୍ମଚାରୀମାନେ ଜିଲା ଅଦାଲତ ପରିସର ସମ୍ମୁଖ ଦ୍ୱାରରେ ତାଲା ମାରି ଦେଇଥିଲେ। ଓକିଲମାନେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ସେଠାରେ ମୁତୟନ ପୁଲିସ କର୍ମଚାରୀମାନେ ବଳ ପ୍ରୟୋଗ କରି ସେମାନଙ୍କୁ ଅଟକାଇବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସାର୍ବଜନୀନ କର୍ତ୍ତବ୍ୟ ସମୟରେ ପୁଲିସର ଏଭଳି ଆଚରଣ ଠିକ ନୁହେଁ। ଏଣୁ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି ତଦନ୍ତ କରିବାକୁ ବରିଷ୍ଠ ଓକିଲ ଡ. ପ୍ରମୋଦ ରଥ ଦାବି କରିଛନ୍ତି।

ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଏହି ଆନ୍ଦୋଳନକୁ ଚୂଡାନ୍ତ ରୂପ ଦେବା ପାଇଁ ଓକିଲ ଓ ଜନତା ଅଣ୍ଟା ଭିଡିଥିବା ବେଳେ ଅନେକ ସମୟରେ ପ୍ରଶାସନିକ ସ୍ତରରେ ଅବରୋଧ କରାଯିବାକୁ ଚେଷ୍ଟା କରାଯାଉଥିବାର ଅଭିଯୋଗ ହୋଇ ଆସୁଛି। ତେବେ ଏହି ଲଢ଼େଇ ଏବେ ବିଭିନ୍ନ ସ୍ତରରେ ଲଢ଼ା ଯାଉଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଛକ୍କାପଞ୍ଝା ଜାରି ରହିଛି।

Comments are closed.