ସାଂସଦ ନିତେଶ ଗଙ୍ଗଦେଵ ସମ୍ବଲପୁର ଜିଲାକୁ ହସ୍ତାନ୍ତର କଲେ ଦୁଇଟି ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ

ସମ୍ବଲପୁର: ଗତବର୍ଷ ବିଶ୍ୱ ମହାମାରୀ କରୋନା ଭାରତରେ କାୟାବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମସ୍ତ ସାଂସଦ ନିଜର ନିଜର ସାଂସଦ ପାଣ୍ଠିର ଅନୁଦାନକୁ ନିଜ ନିଜ ଅଞ୍ଚଳର କୋଭିଡ ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ । ସେହି ମର୍ମରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେଵ ପାଇଥିବା ନିଜର ପ୍ରଥମ ଅନୁଦାନ ଦୁଇ କୋଟି ପଚାଶ ଲକ୍ଷ ଟଙ୍କାକୁ ନିଜର ସଂସଦୀୟ କ୍ଷେତ୍ରରେ ଖର୍ଚ୍ଚ ପାଇଁ ନୋଡାଲ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ । ନିଜର ସାଂସଦ ପାଣ୍ଠିର ଦୁଇ କୋଟି ପଚାଶ ଲକ୍ଷ ଟଙ୍କାରୁ ସମ୍ବଲପୁର ଜିଲ୍ଲା କୁ ୧.୨୫ କୋଟି, ଦେବଗଡ଼ ଜିଲ୍ଲାକୁ ୭୫ ଲକ୍ଷ ଓ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲାର ୧.୨୫ କୋଟିରେ ଦୁଇଟି ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ ଦେଇଛନ୍ତି ଓ ବଳକା ଟଙ୍କା କୋଭିଡ ଚିକିତ୍ସାରେ ଖର୍ଚ୍ଚ କରାହୋଇଛି ।

ଗତ ବର୍ଷରୁ ନିଜର ସଂସଦୀୟ କ୍ଷେତ୍ର ପାଇଁ ସମୁଦାୟ ୫ ଟି ଆମ୍ବୁଲେନ୍ସ କିଣିବା ପାଇଁ ସେ ୩ଟି ଜିଲାର ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ସେଥି ମଧ୍ୟରୁ ଦୁଇଟି ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ ସମ୍ବଲପୁର ପାଇଁ, ଗୋଟିଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ ଦେବଗଡ଼ ପାଇଁ ଓ ଦୁଇଟି ଅତ୍ୟାଧୁନିକ ଆମ୍ବୁଲେନ୍ସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓ ଆଠମଲ୍ଲିକ ପାଇଁ ଉଦ୍ଧିଷ୍ଟ ରହିଛି। ଗତକାଲି ସାଂସଦ ଶ୍ରୀଯୁକ୍ତ ଗଙ୍ଗଦେଵ ଦେବଗଡ଼ ପାଇଁ କିଣା ହୋଇଥିବା ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

ଆଜି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ଠାରେ ସମ୍ବଲପୁର ଜିଲ୍ଲାବାସୀ ଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦୁଇଟି ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲେନ୍ସ ହସ୍ତାନ୍ତର କରିଛନ୍ତି । ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭରତ ଦାଶ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ରେଙ୍ଗାଲି ବିଧାୟକ  ନାଉରି ନାଏକ ଓ ଚିକିତ୍ସା ଅଧିକାରୀ ଡା.ଭରତ ଦାଶ ସବୁଜ ପତାକା ଦେଖାଇ ଆମ୍ବୁଲେନ୍ସର ଶୁଭ ଉଦଘାଟନ କରିଥିଲେ ।

Comments are closed.