୨୮ ଲକ୍ଷ ଟଙ୍କାର ମାସ୍କ ସାଇବର ଠକେଇ: ହରିୟାଣାରୁ ଅଭିଯୁକ୍ତ ଗିରଫ, ୧୦ ଲକ୍ଷ ଟଙ୍କା ଜବତ 

ସମ୍ବଲପୁର : ସମ୍ବଲପୁର ସାଇବର ଥାନାକୁ ମିଳିଛି ଏକ ବଡ଼ ସଫଳତା। ୩-ଲେୟାର ମାସ୍କ କିଣିବା ପାଇଁ ଅନ୍‌ଲାଇନରେ ୫ଟି କିସ୍ତିରେ ୨୮ ଲକ୍ଷ ଟଙ୍କା ଦେବା ପରେ ଠକେଇର ଶିକାର ହୋଇଥିବା ଜାଣି ଗତବର୍ଷ ଜୁନ ୧୬ ତାରିଖରେ ସୁନାପାଲି ନିବାସୀ ମନୋଜ କୁମାର ବରାଡ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ସମ୍ବଲପୁର ପୁଲିସ ହରିୟାଣାରୁ ଅଭିଯୁକ୍ତକୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ମନୋଜଙ୍କ ଆମଦାନୀ ଓ ରପ୍ତାନିର ବ୍ୟବସାୟ ରହିଥିବାବେଳେ ଫେସବୁକରେ ଯତୀନ ସେହଗଲ (୨୩) ନାମକ ଜଣେ ବ୍ୟକ୍ତିଙ୍କ ବିଜ୍ଞାପନ ଦେଖି ଅନଲାଇନରେ ୩ ଲେୟାର ମାସ୍କ କିଣିବା ପାଇଁ ଯୋଗାଯୋଗ କରିଥିଲେ। ଏହାପରେ ଯତୀନ ଏଲଇଡି ରେଣ୍ଟାଲ କମ୍ପାନୀ ନାମକ ଏକ ସଂସ୍ଥା କରିଛନ୍ତି ଏବଂ ତାର କାର୍ଯ୍ୟାଳୟ ହରିୟାଣାର ଗୁରୁଗାଓଁରେ ଥିବା ଜଣାଇଥିଲେ। ଅଭିଯୁକ୍ତ ଯତୀନ ନକଲି ଫେସବୁକ ଆଇଡି ଓ ଫୋନ ନମ୍ବର ବ୍ୟବହାର କରି ମନୋଜଙ୍କଠାରୁ ପ୍ରଥମେ ୩ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଏହାପରେ ଯତୀନ ଡିଏଚଏଲ ଏକ୍ସପ୍ରେସ କୋରିୟର କମ୍ପାନୀର ଏକ ନକଲି ଇନ୍‌ଭଏସ ତିଆରି କରିଥିଲେ। ମାଲେସିଆର ଏକ କମ୍ପାନୀର ମାସ୍କ ଓମାନ, ଦୁବାଇ ଓ ମସ୍କଟରେ କାର୍ଯ୍ୟରତ କମ୍ପାନୀ ମାନଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି କହି ନକଲି ଇନଭଏସ୍‌ ନମ୍ବର ମନୋଜଙ୍କୁ ପ୍ରଦାନ କରିଥିଲେ। ପୀଡ଼ିତ ଅନଲାଇନ ମାଧ୍ୟମରେ ଉକ୍ତ ନମ୍ବରକୁ ଯାଞ୍ଚ କରିବାରୁ ଏକ କନସାଇନମେଣ୍ଟ ବୁକିଂ ହୋଇଥିବା ଦେଖାଇଥିଲା। ଏହାପରେ ଠକକୁ ବିଶ୍ୱାସ କରି ବ୍ୟବସାୟୀ ମନୋଜ ମେ’ରୁ ଜୁନ ମାସ ମଧ୍ୟରେ ସମୁଦାୟ ୫ଟି କିସ୍ତିରେ ଅନଲାଇନ୍‌ ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୧୧୫୦୦ଟି ୩ ଲେୟାର ମାସ୍କ କିଣିବା ପାଇଁ ସେ ଆହୁରି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ପ୍ରଦାନ ପରେ ମଧ୍ୟ ସାମଗ୍ରୀ କେବେ ମିଳିବ, ତା ସମ୍ପର୍କରେ କୌଣସି ଖବର ନମିଳିବାରୁ ମନୋଜ ବାରମ୍ବାର ଅଭିଯୁକ୍ତଙ୍କୁ ଫୋନ କରିଥିଲେ। ଏହାର ୨ ଦିନ ପରେ ଠକ ତାର ମୋବାଇଲ ଫୋନକୁ ସ୍ବିଚ୍‌ ଅଫ୍‌ କରି ଦେଇଥିଲା। ଏଣୁ ମନୋଜ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଥିଲେ।

ଆଇଜି ଶ୍ରୀ ଭୋଳଙ୍କ ସୂଚନା ଅନୁଯାୟୀ ଠକେଇ ସମୟରେ ଯତୀନ ଜୈନନଗର, ରୋହିଣୀ, ନୂଆଦିଲ୍ଲୀରେ ରହିଥିବାବେଳେ ପରେ ସାଇବର ଠକ ଟଙ୍କାଗୁଡିକୁ କିଛି ଅନ୍ୟ ଆକାଉଣ୍ଟ ଗୁଡିକୁ ଟ୍ରାନ୍ସଫର କରିଥିଲା ଏବଂ ବାକିତକ ଟଙ୍କା ବାହାର କରି ନିଜ ପାଖରେ ରଖିଥିଲା। ଏହାପରେ ତାର ମୋବାଇଲ ଫୋନ, ସିମ କାର୍ଡ ଆଦିକୁ ନଷ୍ଟକରି ନଦୀରେ ଫିଙ୍ଗି ଦେଇଥିଲା। ଠକେଇ ଅଭିଯୋଗ ହେବାପରେ ସାଇବର ଥାନାଧିକାରୀ ତାରାବତୀ ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ସୁବ୍ରତ କୁମାର ମେହେର, ଦେବଦତ୍ତ ବସ୍ତିଆ ଓ କନେଷ୍ଟବଳ ମହେଶ୍ୱର ସାହୁଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା। ସାଇବର ଠକେଇରେ ବ୍ୟବହୃତ ସିମ କାର୍ଡ, ମୋବାଇଲ ଆଦିକୁ ନଷ୍ଟ କରି ଦେଇଥିବା ସତ୍ତ୍ବେ ଅନ୍ୟାନ୍ୟ ଟେକନୋଲୋଜି ବ୍ୟବହାର କରି ପୁଲିସ ଅଭିଯୁକ୍ତକୁ ଠାବ କରିଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ରାଜ୍ୟ ବାହାରକୁ ଯାଇ ପାରୁନଥିବାବେଳେ ବିଗତ ଦିନରେ ସମ୍ବଲପୁର ପୁଲିସ ହରିୟାଣା ଯାଇଥିଲା। ପ୍ରାୟ ଏକ ସପ୍ତାହ ଧରି ଦିଲ୍ଲୀ ପୁଲିସ, ଗାଜିଆବାଦ ପୁଲିସ ଓ ଫରିଦାବାଦ ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଉତ୍ତରପ୍ରଦେଶର ମୂଳନିବାସୀ ଯତୀନ ସେହଗଲଙ୍କୁ ହରିୟାଣାର ପଲୱଲ ଜିଲାରୁ ଗିରଫ କରିଥିଲା। ଗତ ୨୩ ତାରିଖରେ ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରାଯାଇ ଅଭିଯୁକ୍ତକୁ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ସମ୍ବଲପୁର ଆଣିଛି। ଶୁକ୍ରବାର ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରାଯାଇ ପୁଣି ରିମାଣ୍ଡରେ ଅଣାଯିବ। ଅଭିଯୁକ୍ତ ନିକଟରୁ ନଗଦ ୧୦ ଲକ୍ଷ ଟଙ୍କା ସହିତ ୧୦ଟି ମୋବାଇଲ ସିମ କାର୍ଡ, ବିଭିନ୍ନ ବ୍ୟାଙ୍କ ଗୁଡିକର ଏଟିଏମ କାର୍ଡ ପୁଲିସ ଜବତ କରିଛି। ଏହାସହିତ ତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଛି। ସାଇବର ଠକର ଅନ୍ୟ କୌଣସି ମାମଲାରେ ସଂପୃକ୍ତି ନେଇ ତଦନ୍ତ ଜାରି ରହିଥିବାବେଳେ ଏହାର ସୂଚନା ରାଜ୍ୟର ସମସ୍ତ ଜିଲା ପୁଲିସ ଓ ଅନ୍ୟ ରାଜ୍ୟର ପୁଲିସକୁ ଦିଆଯାଇଛି ବୋଲି ଆଇଜି ଶ୍ରୀ ଭୋଳ କହିଛନ୍ତି।

Comments are closed.