ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ଦାବି କଲା କଂଗ୍ରେସ

ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ ତରଫରୁ ଜିଲାରେ ସ୍ଥିତ ଶିଳ୍ପାନିଷ୍ଠାନ ଗୁଡିକରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି କରିବା ପାଇଁ ଦାବି କରାଯାଇଛି। ଏହି ମର୍ମରେ ଜିଲାପାଳ ଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରେଙ୍ଗାଲି, ଧନକଉଡା ଆଦି ବ୍ଲକ ଅଞ୍ଚଳରେ ରହିଥିବା ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନ ଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଶିଳ୍ପାନୁଷ୍ଠାନ ଗୁଡିକର ସ୍ଥାପନା ନିମନ୍ତେ ଉକ୍ତ ଅଞ୍ଚଳର ନିବାସୀ ମାନେ ସର୍ବସ୍ୱ ହରାଇଥିବା ବେଳେ ସର୍ବନିମ୍ନ ସ୍ଥାନୀୟ ନିଯୁକ୍ତି ମଧ୍ୟ ଦିଆଯାଉ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିଳ୍ପାନୁଷ୍ଠାନ ଗୁଡିକର ସ୍ଥାପନା ସମୟରେ ପ୍ରଶାସନ, କମ୍ପାନୀ ଓ ସ୍ଥାନୀୟ ନିବାସୀ ମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଗୁଡିକୁ ଠିକ ଭାବରେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଅଞ୍ଚଳରେ ବେକାରୀ ସମସ୍ୟା ଏକ ବଡ ସମସ୍ୟା ରୂପେ ଉଭା ହୋଇଛି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ୱେ ପ୍ରଶାସନ ଓ କମ୍ପାନୀ ମାନେ କୌଣସି ବିହିତ ପଦକ୍ଷେପ ନେଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏଣୁ ଜନ ଅସନ୍ତୋଷ ବିସ୍ପୋରକ ରୂପ ନେବା ପୂର୍ବରୁ ନିଯୁକ୍ତି ସମସ୍ୟା ଉପରେ ଧ୍ୟାନ ଦେଇ ଅଞ୍ଚଳ ଗୁଡିକରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ କରାଯାଉ ବୋଲି ଜିଲା କଂଗ୍ରେସ ଦାବି କରିଛି। ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲା ସଭାପତି ଅଶ୍ୱିନୀ ଗୁରୁ, ଜିଲା ଓବିସି ସେଲ ସଭାପତି ଜିତେନ୍ଦ୍ର ପ୍ରଧାନ, ମହିଳା କଂଗ୍ରେସ ଅଧ୍ୟକ୍ଷା ସୁତାପା ମିତ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆ, ସଞ୍ଜୀବ ଗର୍ଡ଼ିଆ ଙ୍କ ସମେତ ଅନ୍ୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.