ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଚଳ

ସମ୍ବଲପୁର: ପରିଚାଳନାଗତ ଅବ୍ୟବସ୍ଥା ଓ ସରକାରୀ ପାଣ୍ଠିର ବ୍ୟାପକ ଦୁରୁପଯୋଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଲକ୍ଷଚ୍ୟୁତ କରିଛି। ମେ’ ୯ ତାରିଖରେ ତତ୍କାଳୀନ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଅସମୟ ମୃତ୍ୟୁ ପରେ ଅଧା ବର୍ଷରୁ ଅଧିକ ସମୟ ହେଲା ପରିଷଦ ଚଳାଇବାକୁ ଅଧ୍ୟକ୍ଷ ନାହାନ୍ତି। ଅଧ୍ୟକ୍ଷଙ୍କୁ ସହଯୋଗ କରିବାକୁ ଥିବା ୨୫ରୁ ୨୨ ସଦସ୍ୟ ପଦ ତା’ ଆଗରୁ ଖାଲି ପଡ଼ିଛି। ଅଧ୍ୟକ୍ଷ ଓ ୨୨ ସଦସ୍ୟ ନଥିବାରୁ ପରିଷଦ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଆର୍ଥିକ ବର୍ଷ ୨୦୨୦-୨୧ର ୮ ମାସ ବିତି ଗଲାଣି, ଅଥଚ ବ୍ୟୟ ଅଟକଳକୁ ମଞ୍ଜୁରି ମିଳିପାରୁ ନାହିଁ। ୩ ବର୍ଷ ତଳର ୧୩୬ କୋଟି ଟଙ୍କା ଟଙ୍କା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ନାହିଁ। ଅନ୍ୟପକ୍ଷରେ ‘ବିକାଶ’ ବାହାନାରେ ସରକାରୀ ପାଣ୍ଠିର ବ୍ୟାପକ ଅପବ୍ୟୟ ଓ ଦୁରୂପଯୋଗକୁ ସିଏଜିଙ୍କ ଭର୍ସନା ସତ୍ତ୍ୱେ ବିକାଶ ପରିଷଦକୁ କାର୍ଯ୍ୟକ୍ଷମ କରାଯିବା ଦିଗରେ ତତ୍ପରତା ପ୍ରକାଶ ପାଉ ନାହିଁ। ସରକାରୀସ୍ତରରେ ନିଷ୍ଠା ଓ ଆନ୍ତରିକତାର ଅଭାବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଏକ ପ୍ରକାର ବିକଳାଙ୍ଗ କରି ଦେଇଛି କହିଲେ ଅତିଶୟୋକ୍ତି ହେବ ନାହିଁ।

ଅନଗ୍ରସର ପଶ୍ଚିମ ଓଡ଼ିଶାର ବିକାଶ ଓ ଅଞ୍ଚଳବାସୀଙ୍କ ଜୀବନ ଧାରଣର ମାନବୃଦ୍ଧି ସକାଶେ ବିକାଶ ପରିଷଦର ସୃଷ୍ଟି। ଅଞ୍ଚଳର ବିକାଶ ପାଇଁ ପ୍ରଥମ ୭ ବର୍ଷ ବାର୍ଷିକ ୫୦ କୋଟି ଟଙ୍କା ଲେଖାଏଁ ଓ ପରବର୍ତ୍ତୀ ୧୩ ବର୍ଷ ହେଲା ବାର୍ଷିକ ୧୦୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଛି। ୨୦ ବର୍ଷରେ ପାଖାପାଖି ୧୫୫୦ କୋଟି ଟଙ୍କା ମିଳିଛି। କିନ୍ତୁ ୨୦ ବର୍ଷର ଏକ ଲମ୍ବା ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପଶ୍ଚିମ ଓଡ଼ିଶାର କେତେ ବିକାଶ କରିଛି ତାହା ନିର​‌ପେକ୍ଷ ସମୀକ୍ଷାର ଅପେକ୍ଷା ରଖୁଛି। ବିକାଶ ପରିଷଦ ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନରେ କେତେ ସଫଳ ଅବା ବିଫଳ ହୋଇଛି ସମୀକ୍ଷକ ସେନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଦେଶର ସର୍ବୋଚ୍ଚ ବୈଧାନିକ ସମୀକ୍ଷକ ‘ସିଏଜି’ ନିଜ ରିପୋର୍ଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୨୦ ବର୍ଷର ଯାତ୍ରାକୁ ବଡ଼ ‘ବିଫଳତା’ ଭାବେ ଚିତ୍ରଣ କରିଛନ୍ତି। ସଂସ୍ଥାକୁ ବର୍ତ୍ତମାନର ରୂପରେ ଆଗକୁ ଚଳାଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସିଏଜିଙ୍କ କଟାକ୍ଷ ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ଇସାରା କରୁଛି।

ପଛୁଆ ପଶ୍ଚିମର ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ହେଲେ ଜଳସେଚନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦିଆଯିବା ଜରୁରି ଓ ଏହି କ୍ଷେତ୍ରରେ ସର୍ବାଧିକ ପାଣ୍ଠି ବିନିଯୋଗ କରାଯିବାକୁ ବିକାଶ ପରିଷଦର ସମ୍ବିଧାନରେ ଉଲ୍ଲେଖ ଅଛି। କିନ୍ତୁ ସମୀକ୍ଷକଙ୍କ ମତରେ ଜଳସେଚନ ଓ ସ୍ୱାସ୍ଥ୍ୟକ୍ଷେତ୍ର ଭଳି ଜରୁରି କ୍ଷେତ୍ରକୁ ଅଣଦେଖା କରି ଅପେକ୍ଷାକୃତ ଅଦରକାରୀ ଓ ଅବାଞ୍ଛିତକ୍ଷେତ୍ରରେ ସର୍ବାଧିକ ପାଣ୍ଠି ବିନିଯୋଗ କରାଯାଇଛି। ଦୃଷ୍ଟାନ୍ତ ସ୍ୱରୂପ ୨୦୧୫ରୁ ୨୦୧୮ ଭିତରେ ୪୦୯.୭୨ କୋଟି ଟଙ୍କାର ଯୋଜନା ଅଟକଳ ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୧୨୮.୭୯ କୋଟି ଟଙ୍କା ( ୩୧%) ବିକଶିତ ଓ ବିକାଶଶୀଳ ବ୍ଳକଗୁଡ଼ିକରେ ଖର୍ଚ୍ଚ କରାଯାଇଥିବା ବେଳେ ଅବିକଶିତ ବା ପଛୁଆ ଅଞ୍ଚଳରେ ସେଥିରୁ ମାତ୍ର ୯୭.୫୨ କୋଟି ଟଙ୍କା ( ମାତ୍ର ୨୪%) ଖର୍ଚ୍ଚ କରାଯାଇଛି। ଅଥଚ ଘଡ଼େଇ କମିଟି ରିପୋର୍ଟ ଅନୁସାରେ ବିକାଶ ପରିଷଦ ଅଧୀନସ୍ଥ ଅଞ୍ଚଳର ୩୪ଟି ବ୍ଲକ (୩୮%)କୁ ଅତ୍ୟନ୍ତ ପଛୁଆ ଓ ୨୫ଟି ବ୍ଳକ ( ୨୮%)କୁ ପଛୁଆ ଦର୍ଶାଯାଇଛି। ବିକାଶର ତରାଜୁରେ ଜଳସେଚନ ଓ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବିକାଶ ପରିଷଦ ଏହି ଦୁଇ କ୍ଷେତ୍ରକୁ ହିଁ ସର୍ବାଧିକ ଅବହେଳା କରିଆସିଛି। ଅଥଚ ବିକାଶ ପରିଷଦର ନୀତି ନିର୍ଦ୍ଧାରକ ଜଳସେଚନ ଓ ସ୍ୱାସ୍ଥ୍ୟ ଭଳି ମୌଳିକ କ୍ଷେତ୍ରକୁ ଗୁରୁତ୍ୱ ନଦେଇ ସ୍ୱାଗତ ତୋରଣ ନିର୍ମାଣ, ପାର୍କ ଓ ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ, କ୍ଲବ ଘର ତିଆରି ଭଳି ଅଦରକାରୀ କାମରେ କୋଟି କୋଟି ଟଙ୍କା ପାଣି ଭଳି ବୁହାଇଛନ୍ତି। ୧୦୧୪ ରେ ବିକାଶ ପରିଷଦ ପ୍ରସ୍ତାବିତ ୩ ଘରୋଇ ମେଡିକାଲ କଲେଜ ମଧ୍ୟରୁ ରାଉରାକେଲା ଘରୋଇ ମେଡିକାଲ କଲେଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ବେଳେ ବଲାଙ୍ଗିର ଓ କଳାହାଣ୍ଡି ମେଡିକାଲ କଲେଜ ସ୍ୱପ୍ନ ଭାଙ୍ଗି ସାରିଛି। ପାଣି ନ ପାଇ ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲା, କୁଚିଣ୍ଡା ଓ ପଦ୍ମପୁର ଉପଖଣ୍ଡ ଅଞ୍ଚଳର ଚାଷ ପ୍ରତି ବର୍ଷ ନଷ୍ଟ ହେଉଛି। ଅଥଚ ୨୦୧୮ ମାର୍ଚ୍ଚ ସୁଦ୍ଧା ବିନିଯୋଗ ହେବାକୁ ଥିବା ୧୩୫.୭୧ କୋଟି ଟଙ୍କା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ନ କରି ପକାଇ ରଖାଯାଇଛି। ଏଥିରୁ ୫୭.୨୦ କୋଟି ଟଙ୍କା ବର୍ଷେରୁ ଆରମ୍ଭ କରି ୧୪ ବର୍ଷ ହେଲା ପଡ଼ିଛି। ଏଥିରୁ ବିକାଶ ପରିଷଦ ମଙ୍ଗୁଆଳମାନଙ୍କ ନିଷ୍ଠା ଓ ପାରିବାପଣିଆ ସମ୍ପର୍କରେ ଅନୁମାନ କରାଯାଇପାରେ। ରାଜନୈତିକ ଦଳର ସମର୍ଥକ ଗୋଷ୍ଠୀ ଓ ଆନୁଗତ୍ୟ ଥିବା ଠିକାଦାରଙ୍କୁ ଅନୁଗୃହୀତ କରିବା ପାଇଁ ବିକାଶ ପରିଷଦ ଓ ଏହା ଜରିଆରେ ପ୍ରତି ବର୍ଷ ମିଳୁଥିବା ୧୦୦ କୋଟି ଟଙ୍କାକୁ ସୁନ୍ଦର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ବିଧାୟକ ଓ ସାଂସଦ ସୁପାରିଶ କଲେ ଯାଇ ପ୍ରକଳ୍ପ ମଞ୍ଜୁର ହେଉଥିବାରୁ ନିର୍ବାଚିତ ଜନପ୍ରତିନିଧିମାନେ ନିଜର ରାଜନୈତିକ ଫାଇଦା ଓ ନିଜ ସମର୍ଥକଙ୍କ ଅର୍ଥନୈତିକ ବିକାଶ ପାଇଁ ବିକାଶ ପରିଷଦ ଟଙ୍କାକୁ ବ୍ୟବହାର କରୁଥିବା ଅଭିଯୋଗ ନୂଆ ନୁହେଁ।

ଶାସକଦଳ ବିକାଶ ପରିଷଦକୁ ୨୦ ବର୍ଷ ହେଲା ନିଜ ରାଜନୈତିକ ଫାଇଦା ପାଇଁ ହାତବାରିସୀ ଭାବେ ବ୍ୟବହାର କରିଆସିଛି ବୋଲି ବିରୋଧୀ ଦଳ ଅଭିଯୋଗ କରୁଥିବା ବେଳେ ଶାସକ ଦଳ ଏହାକୁ ବିରୋଧୀଙ୍କ ହତାଶାର ପ୍ରତିଫଳନ ବୋଲି ପାଲଟା ଜବାବ ଦେଇ ଆସୁଛନ୍ତି। ବିକାଶ ପରିଷଦର ପରିଚାଳନାଶୈଳୀ ନେଇ ଏହାର ପ୍ରଥମ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ (କଂଗ୍ରେସ) ନରସିଂହ ମିଶ୍ର ‘ସମାଜ’କୁ କହିଛନ୍ତି ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଅନାଗ୍ରହୀ ସରକାର ଜାଣିଶୁଣି ଏହାକୁ ଏକ ସାଇନବୋର୍ଡ ଅନୁଷ୍ଠାନ କରି ରଖିଛନ୍ତି। ମୃତବତ୍ ପଡ଼ିଥିବା ଏହି ଅନୁଷ୍ଠାନକୁ ଜୀବନ୍ୟାସ ଦେବା ପାଇଁ ଅନାଗ୍ରହ ହିଁ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନେଭାବର ଜ୍ବଳନ୍ତ ପ୍ରମାଣ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ବିକାଶ ପରିଷଦର ଅନ୍ୟତମ ପୂର୍ବତନ ଅଧ୍ୟକ୍ଷ ତଥା ବ୍ରଜରାଜନଗର ବିଧାୟକ( ବିଜେଡି) କିଶୋର ମହାନ୍ତି ଏହାର ପ୍ରତ୍ୟୁତ୍ତରରେ କହିଛନ୍ତି ଯେ ବିକାଶ ପରିଷଦ କଦାପି ଅଯଥା ଖର୍ଚ୍ଚ କରି ନାହିଁ କି ସରକାରୀ ପାଣ୍ଠିର ଦୁରୁପଯୋଗ କରି ନାହିଁ। ବରଂ ପଶ୍ଚିମ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଦିଗରେ ବିକାଶ ପରିଷଦ ଗତ ଦୁଇ ଦଶନ୍ଧୀ ହେଲା ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ବୋଲି କିଶୋର କହିଛନ୍ତି।

Comments are closed.