ଗାଡି ଧକ୍କାରେ ନାବାଳକର ମୄତ୍ୟୁ ଅଭିଯୋଗ

ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ଥିବାରୁ ବ୍ୟାପକ ପୁଲିସ ମୁତୟନ

ସମ୍ବଲପୁର : ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମହିଳା ଥାନା ପାଖରେ ଆଜି ସକାଳେ ଏକ ଜିପ ଗାଡି ଚଢିଯିବାରୁ ଜଣେ ନାବାଳକର ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିପଗାଡି ବାଳକକୁ ଧକ୍କା ଦେବା ଯୋଗୁ ବାଳକଟି ଗୁରୁତର ଆହତ ହୋଇଥିଲା । ସଙ୍ଗେ ସଙ୍ଗେ ଗୁରୁତର ଆହତ ବାଳକକୁ ସଦର ହସ୍ପିଟାଲ କୁ ନିଆଯାଇଥିଲା ତେବେ ଡାକ୍ତର ସେଠାରେ ତାକୁ ମୄତ ଘୋଷଣା କରିଥିଲେ । ମୄତ ବାଳକଟି ୮ ବର୍ଷର  ସାହିଲ ସିଂ ଏବଂ ତାର ଘର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ବୋଲି ଜଣା ପଡ଼ିଛି।
ସୂଚନା ଯୋଗ୍ୟ, ବାଳକର ମୄତ୍ୟୁ ଖବର ପାଇଁ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ମୄତ ବାଳକର ପରିବାରବର୍ଗ ଦୋଷୀ ଗାଡି ଚାଳକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ପାଇଁ ଟାଉନ ଥାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକତ୍ରିତ ହେବାରୁ ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଛି । ଚାଳକ  ଓ ମାଲିକକୁ ଗିରଫ କରିବା ସହ ମୃତ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ଦୀର୍ଘ ସମୟର ଘେରାଉ ପରେ ପରିବାର ସଦସ୍ୟ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ପୁଲିସ ଉଭୟଙ୍କୁ ଗିରଫ କରିବାର ପ୍ରତିଶୃତି ଦେବା ସହ ଶବ ସତ୍କାର ପାଇଁ ୧୫ ହଜାର ଟଙ୍କା ଦେଇଥିଲେ । ପରେ ଆନ୍ଦୋଳନକାରୀ ମାନେ ଟାଉନ ଥାନା ଛାଡିଥିଲେ । ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା ଜିପକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ପରିସ୍ଥିତି ଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Comments are closed.