ମୋତିଝରନ ଗୁଳିକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ସମଦ ଗିରଫ

, ପିସ୍ତଲ ସହ ୨ ଲକ୍ଷ ଟଙ୍କା ଓ କାର ଜବତ

ସମ୍ବଲପୁର: ଗତ ୬ ଓ ୭ ତାରିଖ ମଧ୍ୟରାତ୍ରିରେ ମୋତିଝରନ ଠାରେ ଜଣକ ଘରକୁ ଜୋରଜବରଦସ୍ତି ପଶି ମାଡପିଟ କରିବା ସହିତ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସମ୍ବଲପୁର ପୁଲିସ ଗୁରୁବାର ଧରିବାରେ ସଫଳତା ହାସଲ କରିଛି। ପୁଲିସର ସୂଚନାନୁଯାୟୀ, ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଏସ କେ ସମଦ ତାର ଭାଇ ଏସ କେ ୱାସିମ ମୋତିଝରନ କ୍ଷେତିପଡାର ନିବାସୀ ଅବଦୁଲ ମୁଜିବ ଙ୍କ ଘରକୁ ଜବରଦସ୍ତି ପଶି ତାଙ୍କୁ ମାରିବାକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ। କିନ୍ତୁ ଗୁଳି ଅବଦୁଲଙ୍କ ଦେହରେ ନ ବାଜିବାରୁ ସେ ବର୍ତ୍ତି ଯାଇଥିଲେ। ଅନ୍ୟ ପଟରେ ୱାସିମ ମୁଜିବ ଙ୍କ ଭାଇ ଅବଦୁଲ ଲତିଫ ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ। ଏହି ଘଟଣା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ସମୟରେ ଉଭୟ ଅଭିଯୁକ୍ତ ଭାଇ ସମଦ ଓ ୱାସିମ ଫେରାର ହୋଇଯାଇଥିଲେ। ଏଣୁ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଧରିବାକୁ ଚେଷ୍ଟା ଚଳାଇଥିଲା। ଫଳରେ ଗତ ୯ ତାରିଖରେ ଅଭିଯୁକ୍ତ ୱାସିମକୁ ଧରିବା ସହିତ ଆକ୍ରମଣରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ମଧ୍ୟ ଜବତ କରିଥିଲା। କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମଦ ଫେରାର ଚାଲୁଥିଲା। ଏଣୁ ପୁଲିସର ସ୍ୱତନ୍ତ୍ର ଦଳ ସମ୍ବଲପୁର ଜିଲା ସମେତ ପଡୋଶୀ ଜିଲା ମାନଙ୍କରେ ବ୍ୟାପକ ଚଢ଼ଉ ଅଭିଯାନ ସତ୍ୱେ ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରୁ ଖସି ଯାଉଥିଲା। ତେବେ ବହୁ କଷ୍ଟରେ ସମ୍ବଲପୁର ପୁଲିସ ଗୁରୁବାର ମୁଖ୍ୟ ଅଭିଯୁକ୍ତ ସମଦ ଓରଫ ଏସକେ ରିଜୱାନ ଅଲ୍ଲୀ କୁ ଧରିବାରେ ସଫଳ ହୋଇଛି। ଏହା ସହିତ ଘଟଣାରେ ବ୍ୟବହୃତ ୭.୬୫ ଏମଏମ ପିସ୍ତଲ, ଗୁଳି ଭର୍ତ୍ତି ମାଗାଜିନ, ନଗଦ ୨ ଲକ୍ଷ ଟଙ୍କା ଓ ଏକ ହୁଣ୍ଡାଇ କାର (ଡବ୍ଲୁବି – ୦୨ – ଏକ୍ସ – ୨୨୭୧) ଜବତ କରିଛି। ଅପରାଧିକ ପୃଷ୍ଠଭୂମି ରହିଥିବା ମୁଖ୍ୟ ଅଭିଯୁକ୍ତ ସମଦ ନାମରେ ପୂର୍ବରୁ କେବଳ ଧନୁପାଲି ଥାନାରେ ୧୪ରୁ ଉର୍ଦ୍ଧ ଅପରାଧିକ ମାମଲା ଚାଲୁ ରହିଛି। ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ସମଦକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ମୋତିଝରନ ଗୁଳିକାଣ୍ଡ ଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ, ତାର ଭାଇ ଓ ସାଥି ମାନେ ପୂର୍ବରୁ ଅଞ୍ଚଳରେ ନିୟମିତ ଭାବରେ ଆତଙ୍କରାଜ ଚଳାଇଥିବା ବେଳେ ଅଞ୍ଚଳବାସୀ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ ପ୍ରତିକାର ଦାବି କରି ଆସୁଥିଲେ। କିନ୍ତୁ ଥାନା ପକ୍ଷରୁ ଅଭିଯୁକ୍ତ ଓ ସାଥୀ ମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇ ଆସୁଥିବାରୁ ସେମାନଙ୍କ ସାହାସ ବହୁଗୁଣିତ ହୋଇଥିବାର ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଗୁଳିକାଣ୍ଡ ଓ ମରଣାନ୍ତକ ଆକ୍ରମଣର ଶିକାର ପିଡିତ ପରିବାର ଓ ଅଞ୍ଚଳବାସୀ ଧନୁପାଲି ଥାନାର କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ୭ ତାରିଖ ସକାଳୁ ଥାନା ଘେରାଓ କରିଥିବା ବେଳେ ଥାନାଧିକାରୀଙ୍କ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ସତ୍ୱେ ସେମାନଙ୍କର ଭରସା ନ ହୋଇ ନ ଥିଲା। ଏଣୁ ପିଡିତ ପରିବାର ଓ ଅଞ୍ଚଳବାସୀ ମଧ୍ୟାହ୍ନରେ ଏସପି କାର୍ଯ୍ୟାଳୟ ଘେରାଓ କରି ନ୍ୟାୟ ପାଇଁ ଦାବି କରିଥିଲେ। ଏସପିଙ୍କ ଅନୁପସ୍ଥିତିରେ ସେଠାରେ ଅଭିଯୋଗ ପ୍ରକୋଷ୍ଠର ଭାରପ୍ରାପ୍ତ ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ରଙ୍କୁ ସମସ୍ତ ଘଟଣା ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇବା ସହିତ ପୁଲିସ ଘଟଣା ରାତ୍ରିରେ ଜାଣିଶୁଣି ଅଭିଯୁକ୍ତ ମାନଙ୍କୁ ଛାଡି ଦେଇଥିବାର ଅଭିଯୋଗ କରିଥିଲେ। ଘଟଣା ପରଦିନ ସକାଳୁ ମଧ୍ୟ ଅଭିଯୁକ୍ତ ଅଞ୍ଚଳରେ ଦେଖାଯାଇଥିବା ବେଳେ କିନ୍ତୁ ପୁଲିସ ଆର୍ଶ୍ଚଯ୍ୟଜନକ ଭାବରେ ଚୁପ ପଡ଼ି ଯାଇ ସେମାନଙ୍କୁ ଫେରାର ହେବାକୁ ସୁଯୋଗ ଦେଇଥିଲେ ବୋଲି ମଧ୍ୟ ଏସପି କାର୍ଯ୍ୟାଳୟରେ ପିଡିତ ମାନେ ଅଭିଯୋଗ କରିଥିଲେ। ଏହା ସହିତ ଅଭିଯୁକ୍ତ ଗିରଫ ସମୟରେ ୨ ଲକ୍ଷ ଟଙ୍କା ଜବତ ଘଟଣା ପିଡିତ ମାନଙ୍କ ଦ୍ୱାରା ଅଭିଯୁକ୍ତ ମାନେ ବେଆଇନ ଓ ଅନୈତିକ କାର୍ଯ୍ୟ ଟଙ୍କା ଉପାର୍ଜନ କରୁଥିବା ଅଭିଯୋଗକୁ ପରୋକ୍ଷରେ ହେଉ ପ୍ରମାଣ କରୁଛି। ଏଣୁ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ଆୟର ଶ୍ରୋତ ସର୍ମ୍ପକରେ ମଧ୍ୟ ଯାଞ୍ଚ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।

Comments are closed.