ଧବଳମୁଖୀ ବେଶ ପାଇଁ ସମଲେଶ୍ୱରୀଙ୍କୁ ଧଳା ଶାଢ଼ୀ ଓ ପୂଜକଙ୍କୁ ବନାରସୀ ଧଳା ପାଟ ବସ୍ତ୍ର ପ୍ରଦାନ

ସମ୍ବଲପୁର: ଗୁରୁବାର ଦିନ ପବିତ୍ର ମହାଳୟା ଅବସରରେ ପ୍ରତି ବର୍ଷ ଭଳି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ କରୋନା ସଙ୍କଟକୁ ଧ୍ୟାନରେ ରଖି ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ସମେତ ମାଁ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ସାଧାରଣ ଭକ୍ତ ମାନଙ୍କର ଦର୍ଶନ ପାଇଁ ବନ୍ଦ ରହିଛି। କିନ୍ତୁ ମାଁ ସମଲେଶ୍ୱରୀ ଙ୍କ ପୂଜା ଓ ସମସ୍ତ ପାରମ୍ପରିକ ଉତ୍ସବ ନିତିବିଧି ଅନୁଯାୟୀ ନିୟମିତ ଭାବରେ ଜାରି ରହିଛି। ମହାଳୟା ଅବସରରେ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶ ଧାରଣ କରୁଥିବାରୁ ଚଳିତ ବର୍ଷ ପୂଜକ ମାନଙ୍କ ପାଇଁ ଧଳା ରଙ୍ଗର ପାଟ ବସ୍ତ୍ରର ବ୍ୟବସ୍ଥା କରାଯାଇଛି। ତେବେ ମାଁ ସମଲେଶ୍ୱରୀ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ମହାଳୟା ଅବସରରେ ମାଁ ସମଲେଶ୍ୱରୀଙ୍କ ପୂଜକ ମାନେ ବାରଣାସୀରୁ ଅଣାଯାଇଥିବା ଧଳା ପାଟ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିବେ। ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ମାଁଙ୍କ ପାଇଁ ବାରଣାସୀରୁ ସ୍ୱତନ୍ତ୍ର ବନାରସୀ ପାଟ ଶାଢ଼ୀ ଓ ସମସ୍ତ ପୂଜକ ମାନଙ୍କ ପାଇଁ ସ୍ୱତନ୍ତ୍ର ପାଟ ବସ୍ତ୍ର ଅଣାଯାଇଛି। ଏହି ପାଟ ବସ୍ତ୍ର ବୁଧବାର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଓ ମୁଖ୍ୟ ପୂଜକ ଅମ୍ବିକା ପ୍ରସାର ରାୟଙ୍କ ଉପସ୍ଥିତିରେ ସମସ୍ତ ପୂଜକ ମାନଙ୍କୁ ମହିମା ପ୍ରଚାର ସମିତି ତରଫରୁ ପ୍ରଦାନ କରାଯାଇଛି।

ଏହି ଅବସରରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ ମନ୍ଦିରର ରଙ୍ଗ କାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଗୁରୁବାର ପ୍ରାତଃ ପ୍ରାୟ ୪ଟା ସମୟରୁ ମାଁ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ମାଁ ସମଲେଶ୍ୱରୀ ବର୍ଷତମାମ ସିନ୍ଦୁରବର୍ଣ୍ଣା ହୋଇ ଦର୍ଶନ ଦେଉଥିବା ବେଳେ ମହାଳୟା ଅବସରରେ ଧବଳମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ମାଁଙ୍କୁ ଧବଳମୁଖରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ବେଶରେ ଅଢ଼େଇ ଦିନ ଧରି ମାଁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହାକୁ ସରସ୍ୱତୀ ଦର୍ଶନ ବୋଲି ମଧ୍ୟ କୁହାଯାଇଥାଏ। ଯେହେତୁ ଏବେ କରୋନା କଟକଣା ରହିଛି, ସେଥି ପାଇଁ ମାଁ ଙ୍କର ଧବଳମୁଖୀ ଦର୍ଶନ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଭକ୍ତ ମାନେ କରିପାରିବେ। ସେଥିପାଇଁ ଟ୍ରଷ୍ଟ ବୋର୍ଡର ଫେସବୁକ ପେଜରେ ଭକ୍ତ ମାନଙ୍କୁ ଲାଇଭ ଦର୍ଶନର ବ୍ୟବସ୍ଥା କରାଯାଇଛି।

ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି ଯେ, ପ୍ରତି ବର୍ଷ ଧବଳମୁଖୀ ଦର୍ଶନ ସମୟରେ ଚିରାଚରିତ ଭାବରେ ଗେରୁଆ କିମ୍ବା ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ସେବାରେ ଲାଗିଥାନ୍ତି। ତେବେ ଚଳିତ ବର୍ଷ ମହିମା ପ୍ରଚାର ସମିତି ତରଫରୁ ବିଚାର କରାଗଲା ଯେ ମାଁ ଧବଳମୁଖୀ ବେଶରେ ଦର୍ଶନ ଦେଉଥିବା ବେଳେ ତାଙ୍କର ସେବାକାରୀ ମାନେ ମଧ୍ୟ ଧଳା ପାଟବସ୍ତ୍ର ପରିଧାନ କରି ସେବା କଲେ ଭଲ ହୁଅନ୍ତା। ସେଥିପାଇଁ ପ୍ରଚାର ସମିତି ତରଫରୁ ସମସ୍ତ ପୂଜକ ମାନଙ୍କୁ ପାଟ ବସ୍ତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ମାଁଙ୍କ ମହିମା ପ୍ରଚାର ଓ ଦେଶ ବିଦେଶରେ ରହିଥିବା ସମସ୍ତ ସମଲେଶ୍ୱରୀ ମନ୍ଦିର ମାନଙ୍କୁ ଏକ ସୂତ୍ରରେ ଯୋଡିବାର ପ୍ରୟାସ ଜାରି ରହିଛି। ଏଥି ପାଇଁ କରୋନା ସଙ୍କଟ ପୂର୍ବରୁ ଛତିଶଗଡ ଓ ରାଜ୍ୟର ଅନ୍ୟ ସ୍ଥାନରେ ରହିଥିବା ସମଲେଶ୍ୱରୀ ମନ୍ଦିର ଗୁଡିକର ପରିଦର୍ଶନ କରି ମାଁ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି। ପାଟ ବସ୍ତ୍ର ପ୍ରଦାନ ସମୟରେ ସମ୍ବଲପୁର ପ୍ରେସ କ୍ଲବ ସଭାପତି ତଥା ପ୍ରଚାର ସମିତିର ସଦସ୍ୟ ତ୍ରିବିକ୍ରମ ପ୍ରଧାନ, ଜ୍ଞାନବ୍ରତ ଭୋଇ, ବିରାଜ କୁମାର ମିଶ୍ର, ଅମଳେନ୍ଦୁ ନାୟକ, ଶ୍ରବଣ ପତି, ସଞ୍ଜୟ ଜେନା, ମନୋଜ ନାୟକ, ଅଜୟ ନାଥ, ବାଦଶାହା ଜୁସମନ ରାଣା, ମଳୟ ଭୋଇ, ରଞ୍ଜନ ସିଂହଦେଓ, କୃଷ୍ଣ ଚନ୍ଦ୍ର ପରିଡା, ଧର୍ମେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

 

Comments are closed.