ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ ତୀବ୍ରତର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ଚାଲି ଆସୁଛି। ଏହି କ୍ରମରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ପରିଚାଳନା କମିଟିର ବୈଠକରେ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୮ ତାରିଖରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହେବାକୁ ଥିବା ଗଣଧାରଣାକୁ ସମସ୍ତ ପ୍ରକାରର ସହଯୋଗ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ଓକିଲ ମାନଙ୍କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍‍ରମେ ସମ୍ବଲପୁର ଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଦାବକୁ ନେଇ ଆନ୍ଦୋଳନ ଆୟୋଜିତ ହେବ। ଶନିବାର ଗୃହିତ ପ୍ରସ୍ତାବ ଅନୁଯାୟୀ ଆନ୍ଦୋଳନକୁ ଏକ ମଜବୁତ ଆଧାର ଯୋଗାଇ ଦେବାକୁ ଏଥିରେ ତ୍ରିସ୍ତରୀୟ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାମିଲ କରାଯିବ।

ଆଗାମୀ ଦିନରେ ସେମାନଙ୍କୁ ନେଇ ଏକ ବୃହତ୍ତର ସଭାର ଆୟୋଜନ କରାଯିବା ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲା ମାନଙ୍କରେ ଏହି ବିଷୟକୁ ନେଇ ଜନତାଙ୍କୁ ସଚେତନ କରିବା ପାଇଁ ବୈଠକମାନ ଆୟୋଜିତ ହେବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ସଭା କାର୍ଯ୍ୟରେ ପରିଚାଳନା କମିଟିର ଆବାହକ ଅରବିନ୍ଦ ମହାପାତ୍ର ଅଧ୍ୟକ୍ଷତା ଓ ସହ ଆବାହକ ପ୍ରଫୁଲ୍ଲ କୁମାର ହୋତା ଓ ସରୋଜ ଦାଶ ସକ୍ରିୟ ସହାୟତା କରିଥିଲେ। ସ୍ୱତନ୍ତ୍ର ଅତିଥି ରୂପେ ଅଧିବକ୍ତା ପ୍ରଦୀପ ବହିଦାର ଯୋଗ ଦେଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନା ଉପରେ ଯୁକ୍ତି ବାଢ଼ି ଥିଲେ। ସଭାରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଗିରିଶ ପଟେଲ, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ, ଶିବ ପ୍ରସାଦ ମେହେର, କମଳ ଲୋଚନ ପଣ୍ଡା, ପ୍ରଶାନ୍ତ ପାଟ୍ଟଯୋଶୀ, ହରି ଶଙ୍କର ପଣ୍ଡା, ଦେବେନ୍ଦ୍ର ପ୍ରଧାନ, ଅରୁଣ ମୁଖାର୍ଜୀ, ଅଶୋକ ମିଶ୍ର ଓ ସୁଧିର ରଞ୍ଜନ ବହିଦାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Comments are closed.