ଝାଙ୍କରପଡା ଜମି ମାମଲା; ଅଭିଯୁକ୍ତଙ୍କୁ ପୁଲିସର ସୁରକ୍ଷା !          

ସମ୍ବଲପୁର; ସମ୍ବଲପୁରର ସ୍ପର୍ଶକାତର ଧନୁପାଲି ଥାନା ଅର୍ନ୍ତଗତ ଝାଙ୍କରପଡା ମାମଲାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କିନ୍ତୁ ପୁଲିସ ଅଭିଯୁକ୍ତ ମାନଙ୍କୁ ପରୋକ୍ଷରେ ସୁରକ୍ଷା ପ୍ରଦାନ କରାଯାଉଥିବାର ଅଭିଯୋଗ ହେଉଛି । ଏହି ଘଟଣାରେ ୩ ଜଣ ପ୍ରମୁଖ ବ୍ୟକ୍ତିଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଥାନାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୧୭୭/୨୦୨୨ ଅନୁଯାୟୀ ୨୬ ତାରିଖ ରାତିରେ ଝାଙ୍କରପଡା ଅଞ୍ଚଳକୁ ଅଭିଯୁକ୍ତ ବ୍ୟକ୍ତି ମାନେ ଯାଇ ଜଣକ ଘରକୁ ଭଙ୍ଗାରୁଜା କରିବା ସହିତ ଜାତିଆଣ ଆକ୍ଷେପ କରି ମାରପିଟ କରିଥିଲେ । ଏହା ପରେ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କର ସ୍ୱାମୀକୁ ମାରି ଦେବାକୁ ଧମକଚମକ ଦେବା ସହିତ ଝିଅକୁ ଦୁଷ୍କର୍ମ କରିବାର ଧମକଚମକ ଦେଇଥିଲେ । ଉକ୍ତ ବ୍ୟକ୍ତି ମାନେ ବିଗତ କିଛି ମାସ ହେବ ଉକ୍ତ ପଡାକୁ ଖାଲି କରିବାକୁ ଏଭଳି ଆତଙ୍କ ସୃଷ୍ଟି କରି ଆସୁଥିବା ବେଳେ ୨୬ ତାରିଖ ଘଟଣା ପରେ ଅଞ୍ଚଳବାସୀ ଭୟଭୀତ ହୋଇ ଅଭିଯୋଗ କରିଛନ୍ତି ବୋଲି ଦର୍ଶାଇଛନ୍ତି । ପୁର୍ବରୁ ସନ୍ଦେହଜନକ ଭୂମିକାରେ ରହିଥିବା ଧନୁପାଲି ପୁଲିସ ଏକ ମାମଲା ରୁଜୁ କରି ଚୁପ ବସି ରହିଛି ।

ଅପରପକ୍ଷରେ ଏହି ମାମଲା ସହିତ ଏକ ରାଜନୈତିକ ଦଳର କର୍ମୀ ମାନେ ସିଧାସଳଖ ସଂପୃକ୍ତ ଥିବାରୁ ପୁଲିସ ଏହି ମାମଲାର ତଦନ୍ତ ଭାର ସଦର ଏସଡିପିଓ ପ୍ରଦୀପ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ଏ ସର୍ମ୍ପକରେ ତଦନ୍ତକାରୀ ଅଧିକାରୀ ପ୍ରଦୀପ ସାହୁଙ୍କୁ ପଚରାଯିବାରୁ ଏହି ମାମଲାର ତଦନ୍ତ ଚାଲିଛି ଏବଂ ଅଗ୍ରଗତି ସର୍ମ୍ପକରେ ସୂଚନା ଦିଆଯିବା ବୋଲି କହିଛନ୍ତି । ତେବେ ସାମାନ୍ୟତମ ମାମଲାଟିଏ ରୁଜୁ ହେବା ମାତ୍ରେ ପୁଲିସ ତୁରନ୍ତ ସକ୍ରିୟ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରୁଥିବା ବେଳେ ଏକ ବିସ୍ତିର୍ଣ୍ଣ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଧମକଚମକ, ଜାତିଆଣ ଆକ୍ଷେପ, ମାରପିଟ ଆଦି ସଙ୍ଗୀନ ଅଭିଯୋଗ ହେବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅପରାଧୀକ ମାମଲା ଚାଲୁଥିବା ବେଳେ କିନ୍ତୁ ପୁଲିସ ସେମାନଙ୍କୁ ତଦନ୍ତ ଚାଲୁଛି ଆଳରେ ଘଣ୍ଟା ଘୋଡାଇବା ଘଟଣା ପୁଲିସ ଓ ଅପରାଧି ଙ୍କ ମଧ୍ୟରେ ମଧୁଚନ୍ଦ୍ରିକାକୁ ସୂଚାଉଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ପୂର୍ବାହ୍ନରେ ଧନୁପାଲି ଥାନା ଅର୍ନ୍ତଗତ ସିଟି ରେଳ ଷ୍ଟେସନ ନିକଟରେ ଥିବା ଝାଙ୍କରପଡା ନିବାସୀ ଅଚାନକ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟକୁ ପହଞ୍ଚି କିଛି ଜମି ମାଫିଆ ସେମାନଙ୍କୁ ଘର ଖାଲି କରିବାକୁ ଧମକଚମକ ଦେଉଥିବାର ଅଭିଯୋଗ କରିଥିଲେ । କିନ୍ତୁ ଅଞ୍ଚଳବାସୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠୁଳ ହୋଇଥିବା ବେଳେ ଧନୁପାଲି ଥାନାଧିକାରିଣୀ ସେହି ସ୍ଥାନକୁ ଆସି ସେମାନଙ୍କୁ ଥାନାକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତୁ ମାନଙ୍କୁ ଥାନାରେ ବହୁ ସମୟ ଧରି ବସାଇବା ପରେ ରାତିରେ ସେମାନଙ୍କୁ ଛାଡି ଦିଆଯାଇଥିବାର କୁହାଯାଉଛି । ଧ୍ୟାନଯୋଗ୍ୟ ଯେ, ଗତ ୨୦୧୬ ମସିହାରେ ସାକ୍ଷୀପଡା ଠାରେ ହୋଇଥିବା ଏକ ଜମି କିଣାବିକା ମାମଲାରେ ଜଣେ ଜମି ଦଲାଲକୁ ଅହେତୁକ ଲାଭ ଯୋଗାଇ ଆସୁଥିବା ଅଭିଯୋଗର ସମାଧାନ ହୋଇ ନ ଥିବା ବେଳେ ସମ୍ବଲପୁର ପୁଲିସ ଉପରେ ପୁର୍ନବାର ଶୁକ୍ରବାର ଅନ୍ୟ ଏକ ଜମି ମାମଲା ଓ କାର୍ଯ୍ୟଶୈଳୀ ପାଇଁ ପ୍ରଶ୍ନ ଉଠୁଛି ।

 

Comments are closed.