ପୁଣି ଚର୍ଚ୍ଚାରେ ଧନୁପାଲି ଥାନା : ଜମି ମାଫିଆଙ୍କୁ ଅନୁକମ୍ପା ଅଭିଯୋଗ  

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଥାନା ବିଭିନ୍ନ ସଙ୍ଗୀନ ମାମଲାରେ ସନ୍ଦେହଜନକ ଭୂମିକାରେ ବାରମ୍ବା ରହୁଥିବା ବେଳେ ଜମି ମାଫିଆଙ୍କୁ ଅନୁକମ୍ପା ଅଭିଯୋଗରେ ପୁଣି ଥରେ ଚର୍ଚ୍ଚାରେ ରହିଛି । ଗତ ୨୦୧୬ ମସିହାରେ ସାକ୍ଷୀପଡା ଠାରେ ହୋଇଥିବା ଏକ ଜମି କିଣାବିକା ମାମଲାରେ ଜଣେ ଜମି ଦଲାଲକୁ ଅହେତୁକ ଲାଭ ଯୋଗାଇ ଆସୁଥିବା ଅଭିଯୋଗର ସମାଧାନ ହୋଇ ନଥିବା ବେଳେ ପୁର୍ନବାର ଶୁକ୍ରବାର ଅନ୍ୟ ଏକ ଜମି ମାମଲାରେ ଥାନା ଉପରେ ଅଙ୍ଗୁଳି ଉଠିଛି । ଶୁକ୍ରବାର ପୂର୍ବାହ୍ନରେ ଧନୁପାଲି ଥାନା ଅର୍ନ୍ତଗତ ସିଟି ରେଳ ଷ୍ଟେସନ ନିକଟରେ ଥିବା ଝାଙ୍କରପଡା ନିବାସୀ ଅଚାନକ ଜିଲ୍ଳା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି କିଛି ଜମି ମାଫିଆ ସେମାନଙ୍କୁ ଘର ଖାଲି କରିବାକୁ ଧମକଚମକ ଦେଉଥିବାର ଅଭିଯୋଗ କରିଥିଲେ । ପଡାବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୪୦ ବର୍ଷରୁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକେ ରହି ଆସୁଥିବା ବେଳେ କିଛି ମାସ ହେବ ଉକ୍ତ ଅଞ୍ଚଳକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାରମ୍ବାର ଆସି ଘର ଓ ଜାଗା ଖାଲି କରି ଚାଲିଯିବାକୁ ଧମକଚମକ ଦେଉଛନ୍ତି । ନଚେତ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଉଛନ୍ତି ।

ଏଣୁ ଅଞ୍ଚଳବାସୀ ସୁଗ୍ରିଆ ମୁଣ୍ଡା, ରାମଦାସ ମୁଣ୍ଡା, ଇନ୍ଦ୍ରାଣୀ ମୁଣ୍ଡା, ଆରତୀ ମୁଣ୍ଡା, ଦୀପ୍ତି କୁଲୁ, ଅନିତା ସୋରେନ, ପ୍ରଶାନ୍ତ ଓରାମ, ଉଜିନ ଧନୱାର, ସିବାନୀ କେରକେଟା, ପଦ୍ମା ଓରାମଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଏସପି କାର୍ଯ୍ୟାଳୟକୁ ଆସି ସୁରକ୍ଷା ଦାବି କରିଛନ୍ତି । ତେବେ ଅଞ୍ଚଳବାସୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠୁଳ ହୋଇଥିବା ବେଳେ ଧନୁପାଲି ଥାନାଧିକାରିଣୀ ସେହି ସ୍ଥାନକୁ ଆସି ସେମାନଙ୍କୁ ଥାନାକୁ ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏ ସର୍ମ୍ପକରେ ଥାନାଧିକାରିଣୀଙ୍କୁ ବାରମ୍ବାର ଯୋଗାଯୋଗ କରିବା ସତ୍ୱେ ଏହି ମାମଲା ସର୍ମ୍ପକରେ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଅଞ୍ଚଳବାସୀଙ୍କୁ ଥାନାରୁ ବୁଝାସୁଝାକରି ପଠାଇଦିଆଯାଇଛି ଏବଂ କୌଣସି ମାମଲା ଖବର ଲେଖାଯିବା ପର୍ଯ୍ୟନ୍ତ ରୁଜୁ କରାଯାଇ ନଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଜମି ବିକ୍ରିକୁ ନେଇ ହୋଇଥିବା ଏକ ଠକେଇ ମାମଲା ସର୍ମ୍ପକରେ ଧନୁପାଲି ଥାନାରେ ଗତ ୧୬ ତାରିଖରେ ଅଭିଯୋଗ ହୋଇଥିବା ବେଳେ କିନ୍ତୁ ଏହି ମାମଲାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାର ସଙ୍ଗୀନ ଅଭିଯୋଗ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ସୋମବାର ହୋଇଛି । ଏସପିଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସାକ୍ଷୀପଡା ଠାରେ ଥିବା ଏକ ଜମିକୁ କିଣିବା ପାଇଁ ରାମକୁମାରୀ ପାଣ୍ଡେ (୭୨) ଇଚ୍ଛା ପ୍ରକାଶ କରିବାରୁ ସେ ସମୟରେ ମିଲନ ଦାଶ ନାମକ ଜଣେ ବ୍ୟକ୍ତି ତାଙ୍କ ଠାରୁ ଅଗ୍ରିମ ଟଙ୍କା ନେଇଥିଲେ । ତେବେ ବାରମ୍ବାର ଅନୁରୋଧ ସତ୍ୱେ ମଧ୍ୟସ୍ଥି ଜମି ଦେବା ବଦଳରେ ବିଭିନ୍ନ କଥା କହି ବୁଲାଇବା ପରେ ଅଧିକ ଟଙ୍କା ନଦେଲେ ଜମି ମିଳିବ ନାହିଁ ବୋଲି କହିଥିଲେ । ଏଣୁ ପୀଡିତା ଧନୁପାଲି ଥାନାରେ ଗତ ୧୬ ତାରିଖରେ ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପୁଲିସ କୌଣସି ରୁଜୁ କରି ନାହିଁ ଏବଂ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛି ।

ଏ ସର୍ମ୍ପକରେ ସୋମବାର ଏସପିଙ୍କ ନିକଟରେ ମଧ୍ୟ ପୀଡିତା ଦ୍ୱାରସ୍ଥ ହେବା ପରେ ମଙ୍ଗଳବାର ରାତ୍ରୀ ସୁଦ୍ଧା ମାମଲା ରୁଜୁ ହୋଇ ନାହିଁ ଏବଂ ପୁଲିସ ସମୟ ଗଡାଇ ଚାଲିଛି । ସୂଚନାଯୋଗ୍ୟ ଯେ, ଏହି ଜମି କିଣାବିକା ମାମଲାରେ ଗତ ୨୦୨୧ ମସିହା ନଭେମ୍ବର ମାସରେ ଧନୁପାଲି ଥାନାର ମଧ୍ୟସ୍ଥିରେ ବିଲାସପୁରରୁ ଜମି ମାଲିକଙ୍କ ଡକାଇ ଜମି ବାବଦରେ ଟଙ୍କା ପଇଠ କରିବା ନିମନ୍ତେ ଅନ୍ୟ ଏକ ପକ୍ଷଙ୍କ ସହିତ ଚୁକ୍ତିନାମା କରାଯାଇଥିଲା । ଉକ୍ତ କାଗଜରେ ଧନୁପାଲି ପୁଲିସର ସିଲ ଓ ଦସ୍ତଖତ ମଧ୍ୟ ରହିଥିଲା । ଉକ୍ତ କାଗଜଟି ଭାଇରାଲ ହୋଇଥିବା ଏବଂ ଜମି ମାଫିଆ ଙ୍କ ସହିତ ପୁଲିସର ମଧୁଚନ୍ଦ୍ରିକା ସର୍ମ୍ପକରେ ବ୍ୟାପକ ଅଭିଯୋଗ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଉକ୍ତ ମାମଲାଟି ଅନେକ ମାସ ଧରି ଶାନ୍ତ ପଡିଥିବା ବେଳେ ଜମି କିଣିବା ପାଇଁ ବ୍ୟକ୍ତି ଠକେଇର ଶିକାର ହୋଇଥିବା ପୀଡିତା ଥାନାରେ ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ କୌଣସି ମାମଲା ରୁଜୁ କରାଯାଇ ନାହିଁ । ଏ ସଂକ୍ରାନ୍ତରେ ଧନୁପାଲି ପୁଲିସକୁ ପଚରାଯିବାରୁ ଏହି ମାମଲାଟି ଏକ ଦେୱାନୀ ମାମଲା ହୋଇଥିବାରୁ ଜଣେ ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନାହିଁ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଯଦି ଏହି ମାମଲାଟି ଦେୱାନୀ ମାମଲା ହୋଇଥିବା ବେଳେ କ’ଣ ପାଇଁ ଧନୁପାଲି ପୁଲିସ ଗତ ନଭେମ୍ବର ମାସରେ ମଧ୍ୟସ୍ଥି କେଉଁ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ସିଲ ଓ ଦସ୍ତଖତ କରି ମଧ୍ୟସ୍ଥି ସାଜିଛି, ତାହାର ଉତ୍ତର ଦେବାକୁ କେହି ମଙ୍ଗୁନାହାନ୍ତି । ପୀଡିତ ଅଭିଯୋଗକାରୀ ପୁଲିସ ଓ ଜମି ମାଫିଆଙ୍କ ମଧ୍ୟରେ ଘନିଷ୍ଠ ସର୍ମ୍ପକ ଥିବାରୁ ଏହି ମାମଲାରେ କୌଣସି ପଦକ୍ଷେପ ନେବାରୁ ପଛଘୁଞ୍ଚା ଦେଉଛି ବୋଲି ଅଭିଯୋଗ କରୁଛନ୍ତି । ଏହି ଜମି ମାମଲାରେ କୋଟିଏ ଟଙ୍କାରୁ ଊାର୍ଦ୍ଧ୍ଵ କାରବାର ଚାଲିଥିବା ବେଳେ ସେ ସମୟରେ କରାଯାଇଥିବା ଚୁକ୍ତିନାମା ଅନୁଯାୟୀ ଚଳିତ ମାସ ୩୧ ତାରିଖ ସୁଦ୍ଧା ଟଙ୍କା ପୈଠ କରାଯିବାର ଉଲ୍ଲେଖ୍ୟ ରହିଛି । ଅତ୍ୟନ୍ତ ସ୍ପର୍ଶକାତର ଧନୁପାଲି ଥାନାରେ ବିଗତ କିଛି ବର୍ଷ ହେବ ବିଭିନ୍ନ କାରଣ ଯଥା ଥାନା ହାଜତରୁ ଅଭିଯୁକ୍ତ ଫେରାର, ଗୋ’ ମାଂସ ଚାଲାଣ, ଥାନା ସମ୍ମୁଖରେ ଗୋଷ୍ଠୀ ସଂଘର୍ଷ, ଥାନା ପରିସରରେ ମାରପିଟ, ଥାନା ସମ୍ମୁଖରେ ଥାନାଧିକାରୀଙ୍କୁ ଦୁର୍ବ୍ୟବହାର, ଜମି ଦଲାଲି, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଆଦି ଅନେକ ସଙ୍ଗୀନ ମାମଲା ସମ୍ମୁଖକୁ ବାରମ୍ବାର ଆସୁଥିବା ବେଳେ କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅଭୟଦାନ ଯୋଗୁଁ ପୀଡିତ ମାନଙ୍କର ଧନୁପାଲି ଥାନାରୁ ନ୍ୟାୟ ଆଶା କ୍ଷୀଣ ହୋଇଯାଉଛି ।

Comments are closed.