ମଦ୍ୟପାନର ଭିଡିଓ ପରେ ଅଡିଓ ଭାଇରାଲ : ଘଟଣାର ତଦନ୍ତ ପରିବର୍ତ୍ତେ ପର୍ଦ୍ଦା ପକାଇବାରେ ବିଭାଗ ବ୍ୟସ୍ତ!!

ସମ୍ବଲପୁର: ସମ୍ବଲପୁର ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ଓ ପୁଲିସ ବିଭାଗର ନିଷ୍କ୍ରିୟତାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ କରାଯାଉଛି। ଏଭଳି ସମୟରେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କର ଖୁଲମଖୁଲା ମଦ୍ୟପାନ କରୁଥିବା ଏକ ଭିଡିଓ ଓ ଅଡିଓ ଭାଇରାଲ ହେବାରେ ଲାଗିଛି। କୌଣସି ଏକ ବ୍ୟସ୍ତତମ ରାସ୍ତା କଡରେ ଏକ ଗାଡି ମଧ୍ୟରେ ଅବକାରୀ ବିଭାଗର କର୍ମଚାରୀ ମାନେ ଖୁଲମଖୁଲା ମଦ୍ୟପାନ କରୁଥିବାର ଭିଡିଓରେ ଜଣାପଡୁଛି। ଭିଡିଓ କେବେ ଉଠାଯାଇଛି, କେଉଁ ଠାରେ ଉଠାଯାଇଛି ତାହା ଜଣାପଡ଼ି ନାହିଁ। କିନ୍ତୁ ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି ଯେ ଭିଡିଓଟି ଚଳିତ ବର୍ଷର ଅଟେ ଏବଂ ମଦ୍ୟପାନ ଏକ ରେଡ କରାଯିବା ପରେ ଫେରିବା ରାସ୍ତାରେ ସରାକରୀ ଗାଡି ମଧ୍ୟରେ କରାଯାଇଥିଲା। ତେବେ ଏହି ଘଟଣାକୁ ବିଭାଗ ତରଫରୁ ଖୋଳତାଡ କରିବା ପରିବର୍ତ୍ତେ ତଳ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ପର୍ଦ୍ଦା ଘୋଡାଇବାରେ ବ୍ୟସ୍ତ ରହିଥିବା ବେଳେ ଅବକାରୀ ବିଭାଗର ପୁଣି ଏକ ଲମ୍ବା ଅଡିଓ କ୍ଲିପ ଭାଇରାଲ ହେଉଛି।

ସାମାଜିକ ଗଣମାଧ୍ୟମରେ ୫ ମିନିଟ ୨୫ ସେକେଣ୍ଡର ଏହି କ୍ଲିପରେ ସୁନ୍ଦରଗଡ ଜିଲାରେ ଏକ ଗଞ୍ଜେଇ ରେଡ ପରେ ଲକ୍ଷାଧିକ ଟଙ୍କାର ଲାଞ୍ଚ କାରବାରରୁ ଭାଗ ପାଇ ନ ଥିବା ଜଣେ ଅବକାରୀ କର୍ମଚାରୀ ତାଙ୍କର ରୋଷ ପ୍ରକାଶ କରୁଛନ୍ତି। ଯିଏ ଇଆଇବି ସମ୍ବଲପୁର ଆଇଆଇସି ହେଲା ସେ ଚୋର। ନିଜର ଛଡା ସେମାନେ କାହାରିକୁ ଦେଖୁ ନାହାନ୍ତି। ସେ ଅସନ୍ତୋଷ ହେବାରୁ ଅନ୍ୟ ଜଣେ କର୍ମଚାରୀଙ୍କୁ ପଠାଯାଇ ତାଙ୍କୁ ଚୁପ କରିବା ପାଇଁ ଚାପ ପକାଯାଉଛି। କିନ୍ତୁ ସେ କାହାରିକୁ ଡରନ୍ତି ନି ବୋଲି କର୍ମଚାରୀ ଜଣକ ଜୋର ଜୋରରେ ପାଟି କରି କହୁଥିବାର ଅଡିଓରେ ସ୍ପଷ୍ଟ ଜଣାପଡୁଛି। ଏହା ସହିତ ସମ୍ବଲପୁର ଅବକାରୀ ଇଆଇବିର ଅନ୍ୟ କେତେ କର୍ମଚାରୀଙ୍କ ନାମ ଧରି କର୍ମଚାରୀ ଜଣକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ ମଧ୍ୟ କରୁଥିବାର ସ୍ପଷ୍ଟ ଶୁଣାଯାଉଛି।

ଏ ସର୍ମ୍ପକରେ ସମ୍ବଲପୁର ଅବକାରୀ ବିଭାଗର ଇଆଇବି ୱିଙ୍ଗର ଶୃତିକାନ୍ତ ରାଉତଙ୍କୁ ପୂର୍ବରୁ ପଚରାଯାଇଥିବା ବେଳେ ସେ ଭାଇରାଲ ଭିଡିଓରେ ମଦ ଗ୍ଲାସ ଧରିଥିବା କନେଷ୍ଟବଳଙ୍କୁ ଜଣେ ସଚ୍ଚୋଟ ଏବଂ ମଦ୍ୟପାନ କରୁ ନ ଥିବାର କହି ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ତେବେ ଏହି ଘଟଣାର ଭିଡିଓ ସେ ଦେଖିଛନ୍ତି, ତାଙ୍କୁ ଅକାରଣରେ ଫସାଇ ଦେଉଛନ୍ତି ଏବଂ ଏ ସର୍ମ୍ପକରେ ସେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଧବାର କହିଥିଲେ। ଏହା ପରେ ଏହି ଘଟଣାର ତଦନ୍ତ ଏବଂ ବିଭାଗର ପୁଣି ଏକ ଅଡିଓ ଭାଇରାଲ ହେବା ପରେ ଇଆଇବି ଅଧିକାରୀ ରାଉତଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନ ଥିଲେ। ଏଣୁ ତାଙ୍କୁ ମେସେଜ ଦିଆଯିବା ପରେ ମଧ୍ୟ ତାହାର ଉତ୍ତର ନ ଦେବାରୁ ଘଟଣାକୁ ଚପାଇବାର ଉଦ୍ୟମ ଚାଲୁଥିବାର ଅନୁମାନ କରାଯାଉଛି। ଅନ୍ୟ ପଟରେ ବିଶ୍ୱସ୍ତସୂତ୍ର ଅନୁଯାୟୀ ଏହି ଘଟଣା ଦ୍ୱୟର ଚେର ବହୁ ଉପର ପର୍ଯ୍ୟନ୍ତ ଯାଇଥିବାରୁ କୌଣସି ପ୍ରକାରରେ ମାମଲାକୁ ରଫାଦଫା କରିବା ପାଇଁ ବିଭାଗ ମଧ୍ୟରେ ଜୋରସୋରରେ ଉଦ୍ୟମ ଚାଲିଛି। ପଶ୍ଚିମ ଓଡିଶାରେ ଦିନକୁ ଦିନ ନିଶା କାରବାର ଚିନ୍ତାଜନକ ଭାବରେ ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗର ଏହି ଭିଡିଓ ଏବଂ ଅଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ ନିଶା କାରବାରୀ ମାନେ ଅବକାରୀ ବିଭାଗର ଛତ୍ର ଛାୟା ତଳେ ଆରାମରେ ସେମାନଙ୍କର ବେପାର ଚଳାଇଛନ୍ତି। ଏଣୁ ଏହି ଘଟଣା ଦ୍ୱୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସବୁ ମହଲରୁ ଦାବି କରାଯାଉଛି।

 

 

Comments are closed.