ତୈଳ ଉପରୁ ଟିକସ ହ୍ରାସ କରନ୍ତୁ ରାଜ୍ୟ ସରକାର: ବିଜେପି

ସମ୍ବଲପୁର: ଭାରତ ସରକାରଙ୍କ ଦ୍ୱାରା ଜନତାଙ୍କ ଉପରୁ ଆର୍ଥିକ ବୋଝ କମାଇବା ନିମନ୍ତେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହୋଇଥିବା ଟିକସକୁ କମ କରାଯାଇଛି । ଏହି ମର୍ମରେ ସମ୍ବଲପୁର ଜିଲା ଭାରତୀୟ ଜନତା ଦଳର କଚେରୀ ସ୍ଥିତ କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଦଳର ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ ଯୋଗ ଦେଇ କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ସବୁ ସମୟରେ ଜନତାଙ୍କ ସହିତ ରହି ଆସିଛି । ଏବେ ବୈଶ୍ୱିକ ଅସ୍ଥିରତା ଜାରି ଥିବା ବେଳେ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜନତାଙ୍କ ହିତକୁ ଧ୍ୟାନରେ ରଖି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରକୁ କମାଇବା ଲକ୍ଷ୍ୟରେ ଟିକସ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ଲିଟର ପିଛା ୭ ଟଙ୍କା ଏବଂ ଉଜ୍ୱଳା ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ ପାଇଛି । ବିଶ୍ୱ ଅର୍ଥନୈତିକ ଅସ୍ଥିରତା ସତ୍ୱେ ଏହି ଦର ହ୍ରାସ ପଦକ୍ଷେପ ଦ୍ୱାରା ଜନତା ବେଶ ଲାଭାନ୍ୱିତ ହେବେ ବୋଲି ଉପ ସଭାପତି ନାୟକ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଜିଲା ଭାଜପା ସଭାପତି ଗିରିଶ ପଟେଲ କହିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏବେ ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ନିର୍ବାହ କରନ୍ତୁ । ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ସମସ୍ତ ପ୍ରକାରର ପରିସ୍ଥିତିରେ ଜନତାଙ୍କ ହିତକୁ ସର୍ବୋପରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଅର୍ପଣ କରୁଛି । ବିଶ୍ୱର ଅର୍ଥନୀତି ବିଭିନ୍ନ କାରଣରୁ ଏବେ ବ୍ୟାପକ ଅସ୍ଥିର ରହିଥିବା ବେଳେ ଏହି ଜଟିଳ ପରିସ୍ଥିତିରେ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ ଅଟେ । ରାଜ୍ୟ ସରକାର କେବଳ କଥା ଓ ପ୍ରଚାର ପ୍ରସାରରେ ସୀମିତ ନ ରହି ତୁରନ୍ତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରକୁ ନିମ୍ନଗାମୀ କରିବା ନିମନ୍ତେ ଟିକସ ହ୍ରାସ କରନ୍ତୁ । ରାଜ୍ୟ ସରକାରଙ୍କ ମଧ୍ୟ ଜନତାଙ୍କୁ ଆର୍ଥିକ ଲାଭ ଦେବାର କର୍ତ୍ତବ୍ୟ ହୋଇଥିବାରୁ ଦାୟିତ୍ୱକୁ ନିର୍ବାହ କରନ୍ତୁ । ନଚେତ ଆଗାମୀ ଦିନରେ ଭାଜପା ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଆଚାର୍ଯ୍ୟ କହିଛନ୍ତି ।

ଏହି ଅବସରରେ ପୂର୍ବତନ ଜିଲା ସଭାପତି ରାମଚନ୍ଦ୍ର ମେହେର, ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ, ଶମ୍ଭୁ ବରେଲିଆ, ପ୍ରଭୁଦତ୍ତ ପଣ୍ଡା, ଦେବେନ୍ଦ୍ର ମହାପାତ୍ର, ସୁରେଶ ଶର୍ମା, କାହ୍ନୁରାମ ଶର୍ମା, ଶିବ ଦିୱାନ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

 

Comments are closed.