ଧୁମଧାମରେ ହେବ ଶୀତଳଷଷ୍ଠୀ, ଦେଢ଼ କ୍ୟୁଣ୍ଟାଲ ରୂପା ମେଢ଼ରେ ବିରାଜମାନ ହେବେ ବାବା ବାଲୁଙ୍କେଶ୍ୱର

ମୁଖ୍ୟ ଆର୍କଷଣ ହେବ ରୂପା ମେଢ଼ ଓ ସ୍ୱର୍ଣ୍ଣ ପାର୍ବତୀ

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା କରୋନାର ୨ ବର୍ଷ କରାଳ ସଙ୍କଟ ପରେ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ଏଥି ପାଇଁ ସହରର ବିଭିନ୍ନ ପୂଜା କମିଟୀ ମାନେ ଜୋରସୋରରେ ପ୍ରାକ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଏହି କ୍ରମରେ ସମ୍ବଲପୁରର ସର୍ବପ୍ରାଚୀନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି ପର୍ବ ଏବେ ଶେଷ ପର୍ଯ୍ୟାୟରେ ପହୁଞ୍ôଚ ସାରିଛି। ଚଳିତ ବର୍ଷ ନନ୍ଦପଡ଼ା କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ସର୍ବବୃହତ ତଥା ଓଜନଦାର ରୂପା ମେଢ଼ ବଂ ବରାଡ ବାଲୁଙ୍କେଶ୍ୱରଙ୍କ ନିମନ୍ତେ ପ୍ରାୟ ଦେଢ଼ କ୍ୟୁଣ୍ଟାଲ (୧୫୦ କିଗ୍ରା) ଓଜନର ନିର୍ମାଣ କରାଯାଇଥିବା ବେଳେ ମାତା ପାର୍ବତୀଙ୍କର ସମସ୍ତ ଗହଣା ଅଳଙ୍କାର ଗୁଡିକୁ ସୁନାର କରାଯାଇଛି ବୋଲି କମିଟି ସଭାପତି ପ୍ରଶାନ୍ତ କୁମାର ବରାଇ ସୂଚନା ଦେଇଛନ୍ତି।

କମିଟି ପକ୍ଷରୁ ୧୩ ଫୁଟ ଉଚ୍ଚତା ଓ ୧୧ ଫୁଟ ଚୌଡ ବିଶିଷ୍ଟ ଏକ ରୂପା ମେଢ଼ ନଗର ପରିକ୍ରମା ଯାତ୍ରାରେ ବିଶାଳ ପରଭା ମଧ୍ୟରେ ବାବା ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶଖେର ବିରାଜମାନ ହୋଇ ମାତା ପାର୍ବତୀଙ୍କ ସହିତ ଜଗତକଲ୍ୟାଣ ନିମନ୍ତେ ନଗର ପରିକ୍ରମା କରି ଭକ୍ତଜନଙ୍କୁ ଯୁଗଳ ଦର୍ଶନ ଦେବେ। ଏହି ରୂପା ପରଭା କଟକର କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି। କରୋନାର ସଙ୍କଟ ଯୋଗୁଁ ରୂପା ମେଢ଼ ନିର୍ମାଣରେ ବିଳମ୍ବ ହୋଇଥିବା ବେଳେ ଚଳିତ ବର୍ଷ ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କ ଆର୍ଶିବାଦ ଓ ଭକ୍ତ ମାନଙ୍କର ମନଖୋଲା ସହଯୋଗରେ ନିର୍ମିତ ରୂପା ମେଢ଼ରେ ବାବା ବିରାଜମାନ କରି ନଗର ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଦେବେ ବୋଲି ସଭାପତି ବରାଇ କହିଛନ୍ତି। ରୂପା ପରଭା ପାଇଁ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଆୟୋଜନ କରାଯିବା ସହିତ ଏକ ବଡ ରଥର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥି ସହ କଟକର କାରିଗରମାନଙ୍କ ଦ୍ୱାରା ଶୋଭାଯାତ୍ରାର ଅନ୍ୟତମ ଆକର୍ଷଣ ନୃସିଂହ ପରଭା (ମେଢ଼)କୁ ଜରି ଓ ତାମଡାରେ ନିର୍ମିତ କରାଯାଉଛି।

ସଭାପତି ବରାଇ ଆହୁରୀ କହିଛନ୍ତି ଯେ, ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ଚଳିତ ବର୍ଷ କମିଟିର ସ୍ୱେଚ୍ଛାସେବୀ, ଅଞ୍ଚଳବାସୀଙ୍କ ବେଶ ଉତ୍ସାହର ସହିତ ଏହି ଧାର୍ମିକ ମହୋତ୍ସବକୁ ଧୁମଧାମରେ ଆୟୋଜନ ପାଇଁ ସମସ୍ତେ ମନପ୍ରାଣ ଦେଇ ଲାଗିଛନ୍ତି। ଧାର୍ମିକ ମହୋତ୍ସବ ପାଇଁ ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ବିଭିନ୍ନ ସୂତ୍ରରୁ ଆର୍ଥିକ ସହାୟତା ରାଶି ସଂଗ୍ରହ ଚାଲୁଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ପ୍ରାପ୍ତ ହୋଇ ନାହିଁ। ନନ୍ଦପଡ଼ା ଯାତ୍ରା କମିଟୀର ଶୋଭାଯାତ୍ରାର ବିଶେଷତ୍ୱ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ନଗର ପରିକ୍ରମା ଶୋଭାଯାତ୍ରାର ଲମ୍ବ ପ୍ରାୟ ୨ କିମି ପର୍ଯ୍ୟନ୍ତ ରହିବ। ପୁର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶୋଭାଯାତ୍ରାରେ ଲୁପ୍ତପ୍ରାୟ ଲୋକ ନୃତ୍ୟ ଓ ଆଦିବାସୀ ନୃତ୍ୟ ଇତ୍ୟାଦିକୁ ପ୍ରଧାନ୍ୟ ସହିତ ଆଧୁନିକତାର ର୍ସ୍ପଶ ଦିଆଯାଉଛି।

ଚଳିତ ବର୍ଷ ପଶ୍ଚିମବଙ୍ଗରୁ ୩ଟି, ଆସାମ ରୁ ୨ଟି, ହରିୟାଣାରୁ ଅଘୋରୀ ଓ ଶିବ ତାଣ୍ଡବ ନୃତ୍ୟ ସମେତ ୭ଟି ରଥ ନାଚ ଦଳ ଆଧୁନିକ ଓ ଲୋକ ଗୀତର ତାଳରେ ନୃତ୍ୟ ଓ ପ୍ରତିଭା ପ୍ରଦର୍ଶନ କରି ଭକ୍ତଙ୍କ ମନ ମୋହିବେ। ଏଥି ସହ ପଶ୍ଚିମ ଓଡ଼ିଶାର ପ୍ରମୁଖ ବାଦ୍ୟ ଦୁଲଦୁଲି (୨୫ ଯୋଡି), ସମ୍ପ୍ରଦା, ଘଣ୍ଟ, ଧମାଲ, ରେମତାର ଦଣ୍ଡ ନୃତ୍ୟ, ଆଦିବାସୀ ନୃତ୍ୟ, ଶଙ୍ଖ ଓ ବିରକାଳି ନୃତ୍ୟ, ପୁରୁଲିଆର ଛଉ ନୃତ୍ୟ, କଳସ ନୃତ୍ୟ, ଛଉ ନୃତ୍ୟ, ପାଇକ ନୃତ୍ୟ, ମେଢ଼ ନୃତ୍ୟ, ବାଘ ଷଣ୍ଢ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମାନଙ୍କ ସହିତ ୧୫ ଶହରୁ ଉର୍ଦ୍ଧ କଳାକାର ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହେବେ। ଏଥି ସହ ସାମାଜିକ ସଚେତନତା ଓ ଶିଶୁ ମାନଙ୍କର ମନୋରଞ୍ଜନ ନିମନ୍ତେ ସ୍ଥାନୀୟ ଓ କଟକର କଳାକାର ମାନଙ୍କ ଦ୍ୱାରା ୫ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ମୁଖ୍ୟ ଶୋଭାଯାତ୍ରାରେ ରହିବ।

ରୂପା ମେଢ଼ ପାଇଁ ସ୍ୱତନ୍ତ୍ର ଡିଜିଟାଲ ଆଲୋକର ବ୍ୟବସ୍ଥା କରାଯାଇଥିବା ବେଳେ ନନ୍ଦପଡ଼ାରୁ ଅଧ କିମି ପର୍ଯ୍ୟନ୍ତ ରାସ୍ତା କଡରେ ସ୍ୱତନ୍ତ୍ର ଆଲୋକ ସାଜସଜ୍ଜା କରାଯିବ। ସମସ୍ତ ଭକ୍ତ ମାନଙ୍କୁ ଏହି ଧାର୍ମିକ ମହୋତ୍ସବରେ ସାମିଲ ହେବା ସମୟରେ ମାସ୍କ ପରିଧାନ ପାଇଁ ମଧ୍ୟ ଅନୁରୋଧ କରାଯାଉଛି। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଜନଗହଳି ଅଞ୍ଚଳରେ ସ୍ୱତନ୍ତ୍ର ପାଣି ସିଞ୍ଚନ ଓ ଚନ୍ଦନ ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏଥି ସହ ଧାର୍ମିକ ମହୋତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରାଯାଇ ସମସ୍ତ ଆୟୋଜନ କରାଯାଉଛି ବୋଲି ସଭାପତି ବରାଇ କହିଛନ୍ତି।

 

ଧାର୍ମିକ ମହୋତ୍ସବର ସୁଚୀ

୦୩.୦୫.୨୦୨୨ (ମଙ୍ଗଳବାର) – ଥାଳ ଉଠା

୩୧.୦୫.୨୦୨୨ (ରବିବାର) – ପତ୍ରପେଣ୍ଡି

୦୧.୦୬.୨୦୨୨ (ସୋମବାର) – ଶ୍ରୀ ନୃସିଂହ ନିଉତା

୦୩.୦୬.୨୦୨୨ (ଶୁକ୍ରବାର) – ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ

୦୪.୦୬.୨୦୨୨ (ଶନିବାର) – ଶିବ ପାର୍ବତୀ ବିବାହ

୦୫.୦୬.୨୦୨୨ (ରବିବାର) – ଯୁଗଳ ଦର୍ଶନ ଓ ଶୀତଳ ଷଷ୍ଠୀ ନଗର ପରିକ୍ରମା

୦୬.୦୬.୨୦୨୨ (ସୋମବାର) – ଶୀତଳ ଷଷ୍ଠୀ ନଗର ପରିକ୍ରମା ଓ ମନ୍ଦିର ପ୍ରବେଶ

 

ଯାତ୍ରାର ରୁଟ

ନନ୍ଦପଡ଼ାରୁ ଆରମ୍ଭ ହୋଇ ବଡ ସଡକରେ ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲିଟୀ ଛକ ଦେଇ ଶକ୍ତି ସଂଘ ଛକରେ ସାନ ସଡକର ବୈଦ୍ୟନାଥ ଛକ, କଂସାରୀପଡ଼ା, ମହାନ୍ତିପଡ଼ା ଦେଇ ନନ୍ଦପଡ଼ାରେ ସମ୍ପନ୍ନ ହେବ।

 

ଯାତ୍ରା କମିଟି ସଦସ୍ୟ

ସଭାପତି – ପ୍ରଶାନ୍ତ କୁମାର ବରାଇ

ଉପ ସଭାପତି – ଜିତେନ୍ଦ୍ର ନନ୍ଦ,

ସମ୍ପାଦକ – ଆଶିଷ ବାବୁ

ସହ ସମ୍ପାଦକ – ପ୍ରଭୁଦତ୍ତ ପଣ୍ଡା, ବିଷ୍ଣୁ ପ୍ରସାଦ ପାଢ଼ୀ

କୋଷାଧ୍ୟକ୍ଷ – ଭୁବନ ମୋହନ ମିଶ୍ର ଓ ଆଭାଷିସ ମିଶ୍ର

ଗଣ ମାଧ୍ୟମ ସଂଯୋଜକ – ସୁଶ୍ରିତ ମିଶ୍ର ଓ ବିରାଜ କୁମାର ମିଶ୍ର

Comments are closed.