ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳିତ

ସମ୍ବଲପୁର: ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସ୍ୱାଧିନତା ସଂଗ୍ରାମୀ ସଭାକକ୍ଷରେ ଆୟୋଜିତ ଏହି ସମାରୋହରେ ପ୍ର. ଡ. କୁମୁଦ ରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଭୀମଭୋଇ ଅନ୍ଧ ହୋଇଥିବା ନେଇ ମତାନୈକ୍ୟ ରହିଛି। ତେବେ ଐତିହାସିକମାନଙ୍କ ଦ୍ୱାରା ସଂଗୃହୀତ କିଛି ପୋଥିକୁ ଅଧ୍ୟୟନ କଲେ ଅନେକ ନୂତନ ତଥ୍ୟ ଲୋକଲୋଚନକୁ ଆସିବ। ଏକଦା ଭୀମ ଭୋଇଙ୍କୁ ଓଡିଆ ସାହିତ୍ୟରେ ଉପଯୁକ୍ତ ସ୍ଥାନ ଦିଆଯାଇ ନ ଥିବା ବେଳେ ଆଜି କିନ୍ତୁ ସେ ସାହିତ୍ୟ ଜଗତରେ ଏକ ବିଶେଷ ସ୍ଥାନ ପାଇଛନ୍ତି ବୋଲି ମୁଖ୍ୟ ବକ୍ତା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଶା ବିଭାଗର ମୁଖ୍ୟ ଡ. ଲକ୍ଷ୍ମୀପ୍ରିା ବେହେରା କହିଛନ୍ତି।

ଯଦିଓ ଆମେ ସନ୍ଥ କବିଙ୍କୁ ନେଇ କୌଣସି ନିର୍ଦ୍ଦିଷ୍ଟତାରେ ଉପନିତ ହୋଇ ପାରିନାହୁଁ ତେବେ ଏହା ସ୍ପଷ୍ଟ ଯେ, ସେ ଜଣେ ଭଲ ମଣିଷ ଥିଲେ। ତାଙ୍କ ଜନ୍ମସ୍ଥାନ, ସମ୍ପ୍ରଦାୟ ଓ ସାହିତ୍ୟରେ ଶବ୍ଦ ସଂଯୋଜନାର ଶୈଳୀ, ଜୀବନ ଦର୍ଶନର ଉପସ୍ଥାପନରେ ଯେଉଁ ଉଚ୍ଚାଙ୍ଗ ସାହିତ୍ୟିକ ସ୍ପର୍ଶ ରହିଛି ସେ ସର୍ମ୍ପକରେ ଆହୁରୀ ଗବେଷଣାର ଆବଶ୍ୟକତା ରହିଛି। ମଣିଷ ପଣିଆକୁ ହିଁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ମଣିଷ ନିଜେ ଅନ୍ୟକୁ ଭଲ ପାଇବା ଶିଖିଲେ ହିଁ ଏକ ସୁସ୍ଥ ସମାଜ ଗଢ଼ା ଯାଇପାରିବ ବୋଲି ଭୀମ ଭୋଇ ତାଙ୍କର ସାହିତ୍ୟ ମାଧ୍ୟମରେ ପ୍ରଚାର କରିଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ସଦସ୍ୟ ତ୍ରିଲୋଚନ ତ୍ରିପାଠୀ ସଭା ପ୍ରାରମ୍ଭରେ ଭୀମ ଭୋଇ ଙ୍କ ରଚିତ ଏକ ଜଣାଣ ଗାନ କରିଥିଲେ। ଶେଷରେ ସହ ସମ୍ପାଦିକା ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.