ସମ୍ବଲପୁର ରେଳ ଷ୍ଟେସନରୁ ୧୧ କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ରେଳବାଇ ସୁରକ୍ଷା ବଳ ଓ ସିଆଇବି ଦଳ ମିଳିତ ଭାବରେ ସ୍ୱତନ୍ତ୍ର ଅଭିଯାନ ସମୟରେ ୧୧ କିଗ୍ରା ଗଞ୍ଜେଇ ଜବତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରାପ୍ତସୂଚାନୁଯାୟୀ, ରେଳବାଇ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ କ୍ରମରେ ଶନିବାର ସକାଳ ସମୟରେ ସମ୍ବଲପୁର ରେଳ ଷ୍ଟେସ ଠାରେ ବ୍ୟାପକ ଖାନତଲାସି ଅଭିଯାନ କରାଯାଉଥିଲା। ଦିନ ପ୍ରାୟ ୧୨ଟା ସମୟରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେବାର ଖବର ମିଳିଥିଲା। ଏଣୁ ଆରପିଏଫ, ସିଆଇବି ଓ ରାଜ୍ୟ ଅବକାରୀ ଦଳ ସମ୍ବଲପୁର ରେଳ ଷ୍ଟେସନରେ ଚେକିଂ କରୁଥିବା ବେଳେ ପ୍ଲାଟଫର୍ମ ସଂଖ୍ୟା ୧ ରେ ଦିନ ପ୍ରାୟ ୧୨ଟା ୪୬ ରେ ରେଳ ସଂଖ୍ୟା ୨୦୮୦୭ ବିଶାଖାପଟନମ – ଅମୃତସର ହୀରାକୁଦ ଏକ୍ସପ୍ରେସ ପହଂଚି ଥିଲା।

ରେଳଗାଡିର ସମ୍ମୁଖ ଭାଗରେ ଥିବା ସାଧାରଣ ବଗି ଯାଞ୍ଚ ସମୟରେ ୨ ଜଣ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ବ୍ୟାଗ ଧରି ରହିଥିବାର ଦେଖି ପୁଲିସ ଦଳ ସେମାନଙ୍କୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବଲାଙ୍ଗୀର ଜିଲା ଟାଉନ ଥାନା ନିବାସୀ ସୁଦପଡ଼ାର ରାଜେଶ ଦାସ (୧୯) ଏବଂ ବୌଦ୍ଧ ଜିଲା ଧମଦରପୁର ନିବାସୀ ସୁଶାନ୍ତ ଭୁକ୍ତା (୧୯) ଙ୍କୁ ଧରି ଯାଞ୍ଚ ସମୟରେ ସେମାନେ ରଖିଥିବା ବ୍ୟାଗରେ ସମୁଦାୟ ୧୧ଟି ପ୍ୟାକେଟ ବେଆଇନ ଗଞ୍ଜେଇ ମିଳିଥିଲା। ଏଣୁ ଆରପିଏଫ ପକ୍ଷରୁ ଅବକାରୀ ବିଭାଗକୁ ଧରା ଯାଇଥିବା ଗଞ୍ଜେଇ ଗୁଡିକୁ ହସ୍ତାନ୍ତରିତ କରାଯାଇଛି। ଏ ସର୍ମ୍ପକରେ ମାମଲା ସଂଖ୍ୟା ୨୨/୨୦୨୨ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନରେ ଆରପିଏଫ ଥାନାଧିକାରୀ ଏମ. ଯାଦବ ଙ୍କ ନେତୃତ୍ୱରେ ସିଆଇବିର ମଲେସ ସାହୁ, ଅବକାରୀ ବିଭାଗର ଦିଲିପ ଶତପଥି, ସଚିନ କୁମାର ଙ୍କ ସମେତ ଆରପିଏଫର କର୍ମଚାରୀମାନେ ସାମିଲ ରହିଥିଲେ।

Comments are closed.