ଦୁଇ ବର୍ଷ ପରେ ପୁନଃ ଗଡିଲା ସମ୍ବଲପୁର – ପୁରୀ ଇନ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର: ପବିତ୍ର ଶ୍ରୀରାମ ନବମୀ ତିଥିରେ ପଶ୍ଚିମାଞ୍ଚଳର ପ୍ରମୁଖ ସମ୍ବଲପୁର ରେଳ ଷ୍ଟେସନରୁ ରବିବାର ସକାଳ ୬ଟା ସମୟରେ ପୁରୀ ଅଭିମୁଖେ ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟରସିଟି ଏକ୍ସପ୍ରେସ (୧୮୩୦୪/୧୮୩୦୪)ର ପୁନଃ ଚଳାଚଳ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରେଳଯାତ୍ରୀ ମାନଙ୍କ ସମେତ ଜନତାଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ରେଳଗାଡି ସମ୍ବଲପୁରରୁ ଛାଡିବା ପୂର୍ବରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ସମ୍ବଲପୁର ଜିଲା ଭାଜପା ଶାଖାର କର୍ମୀମାନେ ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ଲୋକୋ ପାଇଲଟଙ୍କୁ ସମ୍ବର୍ଦ୍ଧିତ କରିବା ପରେ ରେଳଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଭାଜପା ସଭାପତି ଗିରିଶ ପଟେଲ, ବିପିନ ଭାଟିଆ, ଅନୀଲ ବେହେରା, ଫଣି ଭୂଷଣ ମିଶ୍ର, ସମୀର ରଞ୍ଜନ ବାବୁ, ଶମ୍ଭୁ ବରେଲିଆ, ସୁଶାନ୍ତ କୁମାର ପୁରୋହିତ, ମୋହନ ଦାଶ, ଶମ୍ଭୁ ଯାଦବ, ଗୋବିନ୍ଦ ଅଗ୍ରୱାଲ, ମୁନ୍ନା ତିୱାରି, ପ୍ରଦୀପ ସୁପକାର, ସୁଧିର ବହିଦାର, ଡା. ପ୍ରଭାସ ଦେବତା, ପ୍ରଦୀପ ବେହେରା, ପ୍ରଭାସ ରେଡ୍ଡୀ, ଅରୁଣ କୁମାର ଦାସ, ପିଣ୍ଟୁ ମହତୋ, ଅନୀଲ ସୁନା, ମହେଶ ପ୍ରଧାନ, ଲକ୍ଷ୍ମୀ ଜେନା, ସବିତା ହୋତା, ମନୋଜ ପଲସାନିଆ, ଦିଲୀପ ଶର୍ମାଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ। ରେଳବାଇ ପକ୍ଷରୁ ଲୋକପ୍ରିୟ ଯାତ୍ରୀବାହି ରେଳଗାଡି ସମ୍ବଲପୁର – ପୁରୀ ଇନ୍ଟରସିଟିର ପୁନଃ ଚଳାଚଳକୁ ସବୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ବେଶ ଖୁସିବ୍ୟକ୍ତ କରିଛନ୍ତି।

 

କରୋନା ମହାମାରୀ ପାଇଁ ପ୍ରାୟ ୨ ବର୍ଷ ତଳେ ସମ୍ବଲପୁରରୁ ପୁରୀ ମଧ୍ୟରେ ଚଳାଚଳ କରୁଥିବା ଲୋକପ୍ରିୟ ଯାତ୍ରୀବାହୀ ରେଳଗାଡି ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟରସିଟି ଏକ୍ସପ୍ରେସ ଚଳାଚଳକୁ ବାତିଲ କରାଯାଇଥିଲା। ତେବେ କରୋନା ସଙ୍କଟ ଟଳିବା ପରେ ଏହି ଇନ୍ଟରସିଟି ଏକ୍ସପ୍ରେସର ପୁନଃ ଚଳାଚଳ ରେଳବାଇ ପକ୍ଷରୁ କରାଯାଇ ନ ଥିବାରୁ ଅଞ୍ଚଳାବସୀଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ଦେଖାଯାଇଥିଲା। ଗତ ୨ ତାରିଖରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଓଡିଶା ରାଜ୍ୟରେ ଥିବା ଭାଜପା ବିଧାୟକମାନେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତକାର କରି ଏହି ଜନପ୍ରିୟ ରେଳଗାଡିର ପୁନଃ ଚଳାଚଳ ପାଇଁ ଦାବି କରିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗାମୀ ଦିନରେ ଏହି ରେଳଗାଡିର ପୁନଃ ଚଳାଚଳ ଆରମ୍ଭ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ।

Comments are closed.