ଅସହାୟ ରୋଗୀଙ୍କ ଦେବଦୂତ – ସ୍ୱଇଚ୍ଛା

ସମ୍ବଲପୁର: ସାରା ବିଶ୍ୱରେ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଭାରତ ଏବେ ଲକ ଡାଉନ ହୋଇ ରହିଛି। ଏଣୁ ଜରୁରୀକାଳୀନ ସେବା ବ୍ୟତିତ ସମସ୍ତ ପ୍ରକାରର ଯାତ୍ରୀ ପରିବହନ ବ୍ୟବସ୍ଥା ଗୁଡିକ ବନ୍ଦ ପଡି ରହିଛି। ଯାହା ଫଳରେ ଲକ ଡାଉନ ପୂର୍ବରୁ ଯିଏ ଯେଉଁ ଠାରେ ରହିଥିଲା ସେ ସେହି ସ୍ଥାନରେ ରହିଯାଇଛି। ସାଧାରଣ ପରିବହନ ବ୍ୟବସ୍ଥା ଠପ ପଡି ଯାଇଥିବାରୁ ବହୁ ସମୟରେ ଡାକ୍ତରଖାନାରୁ ଡିସଚାର୍ଜ ପାଉଥିବା ବହୁ ରୋଗୀ ନିଜ ଘରକୁ ଯାଇ ପାରୁ ନାହାନ୍ତି। ଏଭଳି ଏକ ଘଟଣାରେ ସମ୍ବଲପୁର ଜିଲାର କୁଚିଣ୍ଡା ଉପଖଣ୍ଡର ଜଣେ ମହିଳା ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସଚାର୍ଜ ହେବା ପରେ ତାଙ୍କ ପରିବାର ସହିତ ଘରକୁ ଯାଇ ନ ପାରି ଦୁଇ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ।

କୁଚିଣ୍ଡା ଉପଖଣ୍ଡ ଅଧିନସ୍ଥ କେଶେଇବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଫଟାଟାଙ୍ଗର ଗ୍ରାମର ରଘୁ ରଣାଙ୍କ ଧର୍ମପତ୍ନୀ ନିଳିମା ରଣା ଏକ ସନ୍ତାନ ପ୍ରସବ ଦେବା ପାଇଁ ୬ ଦିନ ତଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରକ୍ତ ଅଭାବ ଯୋଗୁଁ ୨୭ ତାରିଖରେ ନିଳିମାଙ୍କ ଗର୍ଭରେ ହିଁ ଛୁଆଟି ଖରାପ ହୋଇଯାଇଥିଲା। ତାଙ୍କର ଚିକିତ୍ସା କରାଯାଇ ସୁସ୍ଥ ହେବା ପରେ ନିଳିମାଙ୍କୁ ୨୮ ତାରିଖରେ ଜିଲା ମୁଖ୍ୟାଳୟରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଅତ୍ୟନ୍ତ ଗରିବ ଅର୍ଥାଭାବ ଯୋଗୁଁ କୌଣସି ପ୍ରକାରର ଗାଡି ଭଡା କରି ଗାଁକୁ ଫେରିବା ପାଇଁ ସକ୍ଷମ ନ ଥିବାରୁ ରଘୁ, ପତ୍ନୀ ନିଳିମା ଓ ଛୋଟ ଝିଅ ସହିତ ଦୁଇ ଦିନ ହେବ ଜିଲା ମୁଖ୍ୟ ଚିକିତ୍ସାଳୟରେ ହିଁ ପଡି ରହିଥିଲେ। ଏ ସର୍ମ୍ପକରେ ଖବର ପାଇବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’ର ଦିଲ୍ଲୀପ ପଣ୍ଡା ଓ ତାଙ୍କର ସାଥି ମାନେ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିଥିଲେ। ସେମାନେ ଏମସିଏଚ ଇନ ଚାର୍ଜ ଅସିତ କୁମାର ପ୍ରଧାନଙ୍କ ସହିତ ଯୋଗାଯୋଗ କରି ଅସହାୟ ରଣା ପରିବାରକୁ ତାଙ୍କର ଗାଁକୁ ପଠାଇବାର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଏଣୁ ଇନ ଚାର୍ଜ ଅସିତ ସେମାନଙ୍କୁ ଗାଡିର ଯାତାୟାତ କରିବା ପାଇଁ ପାସ ପ୍ରଦାନ ପରେ ଏକ ଅଟୋ (ଓଡି-୧୫-ଜେ-୬୭୬୧) ଯୋଗେ ସୋମବାର ଦିନ ପ୍ରାୟ ଗୋଟାଏ ସମୟରେ ଖାଦ୍ୟ ପୁଡିଆ ସହିତ ଏହି ଅସହାୟ ପରିବାରକୁ ପଠାଯାଇଥିଲା। ସ୍ୱଇଚ୍ଛାର ଦିଲ୍ଲୀପ ପଣ୍ଡା, ଅଧିର ନାୟକ, ସମୀର ବହିଦାର, ବିକାଶ ତ୍ରିପାଠୀ, ପ୍ରକାଶ ଲୁହା, ଶ୍ରୀଧର, ସୁଶାନ୍ତ ସାହୁ, ଡା. ଅଶୋକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଅସହାୟ ପରିବାରଙ୍କୁ ପଠାଇବାର ବ୍ୟବସ୍ଥା କରିଥିଲେ। ସୂଚନାଯୋଗ୍ୟ ଯେ, ରଘୁ ଓ ନିଳିମାଙ୍କର ପୂର୍ବରୁ ଏକ ପୁତ୍ରର ଦେହାନ୍ତ ହୋଇ ସାରିଥିବା ବେଳେ ଏବେ ତାଙ୍କର ଦୁଇ ଜଣ ଝିଅ ରହିଛନ୍ତି।

ଏଭଳି ଏକ ଘଡି ସନ୍ଧି ମୁହୁର୍ତ୍ତରେ ଜନତାଙ୍କ ସେବା ପାଇଁ ଆଗେଇ ଆସୁଥିବା ସ୍ୱଇଚ୍ଛା ଅନୁଷ୍ଠାନ ତରଫରୁ ଏକ କାର ଓ ଅଟୋର ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଅସହାୟ ରୋଗୀ ଓ ସର୍ମ୍ପକୀୟ ଡାକ୍ତରଖାନାରୁ ଡିସଚାର୍ଜ ପରେ ଘରକୁ ଯାଇ ପାରୁ ନାହାନ୍ତି, ସେମାନଙ୍କୁ ଏହି ଯାନ ନିଃଶୁଳ୍କ ଭାବରେ ଯୋଗାଇ ଦିଆଯାଉଛି। ଏହା ସହିତ ଲକ ଡାଉନ ସମୟରେ ପ୍ରତ୍ୟହ ଭୋକିଲା ଓ ଗରିବ ଅସହାୟ ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଉଛି ବୋଲି ଦିଲ୍ଲୀପ କହିଛନ୍ତି।

Comments are closed.