ରେଳଯାତ୍ରୀଙ୍କୁ ଅପହରଣ ଓ ଲୁଟ: ୨ ଗିରଫ, ଜଣେ ଫେରାର

ସମ୍ବଲପୁର: ସମ୍ବଲପୁରରେ ପ୍ରତି ଦିନ ଲୁଟ ଓ ଆକ୍ରମଣ ସମେତ ବିଭିନ୍ନ ପ୍ରକାରର ଅପରାଧ ଘଟି ଚାଲୁଥିବା ବେଳେ କେହି ନିଜକୁ ସୁରକ୍ଷିତ ମଣୁ ନ ଥିବାର ପରିଲକ୍ଷିତ ହେଉଛି। ଏଭଳି ଏକ ଘଟଣାରେ ସମ୍ବଲପୁରର ସିଟି ଷ୍ଟେସନ ନିକଟରୁ ଜଣେ ରେଳଯାତ୍ରୀଙ୍କୁ ଅପରାଧି ମାନେ ଅପହରଣ କରି ନେଇ ମାଡମାରି ଟଙ୍କା ଲୁଟର ମାମଲା ସମ୍ମୁଖକୁ ଆସିଛି। ପ୍ରାପ୍ତସୂଚନାନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ମୁର୍ସିଦାବାଦ ଥାନା ଓ ଜିଲାର କୁତୁବପୁର ନିବାସୀ ସିଦ୍ଧାର୍ଥ କୁଣ୍ଡୁ (୩୨) ନାମକ ଜଣେ ବ୍ୟକ୍ତି ସମ୍ବଲପୁରର ବୁର୍ଲା ସ୍ଥିତ ଭିମସାରକୁ ଗତ ୩ ତାରିଖରେ ଆସିଥିଲେ। ଭିମସାର ଠାରେ କୋଭିଡ – ୧୯ ର ଦ୍ୱିତୀୟ ପର୍ଯ୍ୟାୟ ସମୟରେ ନିୟମିତ ସେବା ପ୍ରଦାନ କରିଥିବା ବେଳେ ସେଥି ଉପରେ ଅ।।ନସ୍ତିସେସୋଲୋଜିଷ୍ଟ ଡା. ଏମ. ପଟେଲ ଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ କୁଣ୍ଡୁ ସମ୍ବଲପୁର ଷ୍ଟେସନ (କ୍ଷେତରାଜପୁର) ପାଇଁ ରେଳ ଧରି ଫେରିଯିବା ନିମନ୍ତେ ଏକ ଅଟୋରେ ବୁର୍ଲାରୁ ସମ୍ବଲପୁରକୁ ଆସିଥିଲେ। ତେବେ ଅଟୋ ଚାଳକ ତାଙ୍କୁ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନ ବଦଳରେ ସିଟି ରେଳ ଷ୍ଟେସନ ଠାରେ ରାତ୍ର ପ୍ରାୟ ୯ଟା ସମୟରେ ତାଙ୍କୁ ଛାଡି ଦେଇ ଚାଲି ଯାଇଥିଲା। ଫଳରେ କୁଣ୍ଡୁ ଏହା ଜାଣିବା ପରେ ସେ ସିଟି ଷ୍ଟେସନରୁ ବାହାରି ଚାଲି ଚାଲି କ୍ଷେତରାଜପୁର ଷ୍ଟେସନ ଅଭିମୁଖେ ବାହାରିଥିଲେ।

ସେହି ସମୟରେ ଷ୍ଟେସନ ନିକଟରେ ଥିବା ଏକ ଚା ଦୋକାନ ନିକଟରେ ଅଟୋ ପାଇଁ ପଚାରୁଥିବା ବେଳେ ୩ ଜଣ ଯୁବକ ଏକ ବାଇକ ଓ ସ୍କୁଟିରେ ସେଠାରେ ପହୁଞ୍ôଚଥିଲେ। ସେମାନେ ଅଚାନକ ତାଙ୍କୁ ଏକୁଟିଆ ଦେଖି ମାଡପିଟ କରିବା ସହିତ ତାଙ୍କ ଠାରେ ଥିବା ୨ ହଜାର ଟଙ୍କା, ୨ଟି ଏଟିଏମ କାର୍ଡ, ଭୋଟର ପରିଚୟପତ୍ର ଲୁଟ କରି ନେବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ପୁର୍ନବାର ଅଭିଯୁକ୍ତ ମାନେ ମାଡପିଟ କରି ପିଡିତ କୁଣ୍ଡ ଙ୍କୁ ଗାଡିରେ ବସାଇ ନେଇ ଧନକଉଡା ସ୍ଥିତ ଏକ ଏଟିଏମକୁ ନେଇ ଟଙ୍କା ବାହାର କରିବାକୁ ଚାପ ପକାଇଥିଲେ। ଏଣୁ ପିଡିତ କୁଣ୍ଡୁ ଜୀବନ ଭୟରେ ଟଙ୍କା ବାହାର କରି ଅଭିଯୁକ୍ତ ମାନଙ୍କୁ ପ୍ରଦାନ କରିବା ପରେ ସେମାନେ ପୁଣି ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ମାଡପିଟ କରିବା ସହିତ ରେଳ ଷ୍ଟେସନ ନିକଟରେ ଛାଡି ଦେଇ ଫେରାର ହୋଇଯାଇଥିଲେ। ଏହା ପରେ ବାହାରର ଲୋକ ହୋଇଥିବାରୁ କୌଣସି ମତେ ପିଡିତ କୁଣ୍ଡୁ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନ (କ୍ଷେତରାଜପୁର)ରେ ପହଂଚି ସେହି ଠାରେ ପ୍ଲାଟଫର୍ମରେ ରାତ୍ରି ଅତିବାହିତ କରିଥିଲେ।

ଏହା ପରେ ଶୁକ୍ରବାର ଦିନ ଧନୁପାଲି ଥାନାକୁ ଆସି ଘଟଣା ସର୍ମ୍ପକରେ ଅଭିଯୋଗ କରିବାରୁ ଏ ସର୍ମ୍ପକରେ ପୁଲିସ ମାମଲା ସଂଖ୍ୟା ୩୬/୨୦୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସଙ୍ଗୀନ ମାମଲା ହୋଇଥିବାରୁ ତୁରନ୍ତ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଘଟଣାସ୍ଥଳରେ ପହଂଚି ଯାଞ୍ଚ କରିବା ପରେ ବିଭିନ୍ନ ସୁତ୍ରରୁ ଅଭିଯୁକ୍ତଙ୍କ ପରିଚୟ ସଂଗ୍ରହ କରିଥିଲେ। ଏହି ମାମଲାରେ ଅଭ୍ୟାସଗତ ଅପରାଧି ମହମ୍ମଦ ସମଦ ଓ ୨ ଜଣ ସାଥି ସାମିଲ ଥିବାର ଜାଣିଥିଲା। ପୁଲିସ ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ମୋତିଝରନ ନିବାସୀ ମହମ୍ମଦ ସମଦ (୩୦)ଙ୍କ ସମେତ ସାଥି ମହମ୍ମଦ ହୁସେନ ଓରଫ ଚାର୍ଲି (୪୨)ଙ୍କୁ ଧରିଥିଲା। ପୁଲିସ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୪୨ ହଜାର ମଧ୍ୟରୁ ୩୯ ହଜାର ଟଙ୍କା, ଏକ ସ୍କୁଟି ଓ ଏକ ବାଇକ ଜବତ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଅଦାଲତକୁ ଶନିବାର ଚାଲାଣ କରିଛି ବୋଲି ଜଣାଇଛି।

ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ଅପରାଧର ଲମ୍ବା ତାଲିକା
ସିଟି ଷ୍ଟେସନ ନିକଟରେ ଲୁଟ ମାମଲାର ମୁଖ୍ୟ ଅପରାଧି ମୋତିଝରନ ନିବାସୀ ମହମ୍ମଦ ସମଦ ଙ୍କ ଅପରାଧିକ ଗତିବିଧି ଲମ୍ବା ତାଲିକା ରହିଛି। ବହୁ ପୂର୍ବରୁ ଅପରାଧ ଦୁନିଆରେ ପାଦ ଥାପି ଥିବା ଏହି ଅଭ୍ୟାସଗତ ଅପରାଧି ଙ୍କ ନାମରେ କେବଳ ଧନୁପାଲି ଥାନାରେ ୨୦୦୯ ମସିହାରୁ ଏ ପର୍ଯ୍ୟନ୍ତ ୧୭ଟି ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି। ଏହି ଅଭ୍ୟାସଗତ ଅପରାଧି ନାମରେ ଧନୁପାଲି ପୁଲିସ ଥାନା ସମ୍ମୁଖରେ ଗୋଷ୍ଠୀ ସଂଘର୍ଷ କରିବା, ମରଣାନ୍ତକ ଆକ୍ରମଣ, ଦୋକାନ ପୋଡି ସମେତ ଗୁଳିକାଣ୍ଡ ଆଦି ଅନେକ ସଙ୍ଗୀନ ମାମଲା ରହିଛି। ବିଭିନ୍ନ ଅପରାଧରେ ଜଡିତ ଏହି ଯୁବକ ପ୍ରାୟ ୨ ମାସ ତଳେ ଜାମିନରେ ବାହାରିଥିବା ବେଳେ ପୁର୍ନବାର ଏକ ଅପରାଧିକ କାଣ୍ଡ ଭିଆଇଥିବାର ପୁଲିସ ସୂତ୍ରରୁ ପ୍ରକାଶ।

ପିଡିତଙ୍କୁ ଏକୁଟିଆ ଦେଖି ଲୁଟ
ସିଟି ଷ୍ଟେସନ ନିକଟରେ ଲୁଟ ମାମଲାରେ ଅଭିଯୁକ୍ତ ମାନେ ପିଡିତ ଙ୍କୁ ଏକୁଟିଆ ଦେଖି ପ୍ରଥମେ କେଉଁ ଆଡେ ଯାଉଛ ବୋଲି ପଚାରିଥିଲେ। ଏହା ପରେ ସେ ଧରିଥିବା ବ୍ୟାଗରେ କଣ ଅଛି, ଏଥିରେ ଚୋରି ସାମଗ୍ରୀ ରହିଥିବା, ଆଦି ବିଭିନ୍ନ ଆଳ ଦେଖାଇ ତାଙ୍କୁ ମାଡପିଟ କରିଥିଲେ। ଏହା ପରେ ଲୁଟ କରିବା ପରେ ପୁର୍ନବାର ଲୁଟ ନିମନ୍ତେ ତାଙ୍କୁ ଅପହରଣ କରି ନେଇ ଏଟିଏମରୁ ଟଙ୍କା ବାହାର କରି ଦେବା ପାଇଁ ବାଧ୍ୟ କରିଥିଲେ।

ଯାତ୍ରୀଙ୍କୁ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅପହରଣ, ମାଡପିଟ ଓ ଲୁଟ
ସିଟି ଷ୍ଟେସନ ଭଳି ଏକ ସାର୍ବଜନୀନ ଅଞ୍ଚଳରୁ ଜଣେ ଯାତ୍ରୀ ଙ୍କୁ ଅପହରଣ କରିନେବା ଘଟଣା ପୁଲିସର ଦୁର୍ବଳତାକୁ ସ୍ପଷ୍ଟ ଉଜାଗର କରୁଛି। ପିଡିତ ରେଳଯାତ୍ରୀଙ୍କୁ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅପହରଣ କରି ଅଟକ ରଖି ମାଡମାରିବା ଏବଂ ଲୁଟ କରିବା ଘଟଣା ସମସ୍ତଙ୍କୁ ଭୀତତ୍ରସ୍ତ କରିଦେଇଛି। ଏହା ସହିତ ସିଟି ଷ୍ଟେସନ ଭଳି ଏକ ବ୍ୟସ୍ତତମ ଅଞ୍ଚଳରୁ ଅପହରଣ କରି ନେଇ ଜାତୀୟ ରାଜପଥରେ ଅପହୃତ ଙ୍କୁ ଧରି ନେଇ ଏକ ଏଟିଏମକୁ ନେଇ ଟଙ୍କା ବାହାର କରାଇ ଲୁଟ କରିବା ଆଦି ଘଟଣା ୧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଚାଲିଥିବା ବେଳେ କିନ୍ତୁ ପୁଲିସକୁ ଜଣା ନ ପଡିବା ଘଟଣା ପୁଲିସର ଅପାରଗତା ବୋଲି ସହରବାସୀ ଅଭିଯୋଗ କରୁଛନ୍ତି।

ବିଫଳ ପୁଲିସ ବ୍ୟବସ୍ଥା
ସମ୍ବଲପୁର ପୁଲିସକୁ ଏକ କମ୍ପାନୀ ପ୍ରଦାନ କରିଥିବା ପିସିଆର ଭ୍ୟାନ ଗୁଡିକ କମ ପଡୁଥିବାର ଦେଖାଇ ଅନେକ ସମୟରେ ଭଡା ଗାଡି ଆଣି ପେଟ୍ରୋଲିଂ କରୁଥିବାର ନଜୀର ରହିଥିବା ବେଳେ କିନ୍ତୁ ସହରର ଆଇନ ବ୍ୟବସ୍ଥା ସୁଧରିବା ପରିବର୍ତ୍ତେ ଦିନକୁ ଦିନ ନିମ୍ନଗାମୀ ହେଉଛି। ସାଧାରଣତଃ ସିଟି ଷ୍ଟେସନ ନିକଟରେ ଅନେକବାର ଅସାମାଜିକ ଗତିବିଧି ହେଉଥିବାର ଅଭିଯୋଗ ହେଉଥିବା ବେଳେ ରାତ୍ର ସାଢ଼େ ୯ଟା ସମୟରେ ଜଣେ ଯାତ୍ରୀଙ୍କୁ ଅପହରଣ କରି ନେଇ ମାଡପିଟ କରି ଲୁଟ କରିବା ଘଟଣା ପୁଲିସର ପେଟ୍ରୋଲିଂ ଓ ଆଇନ ବ୍ୟବସ୍ଥାକୁ ଦର୍ଶାଉଛି।

Comments are closed.