ସମ୍ବଲପୁର ଜିଲା ଝାଙ୍କରପାଲି ସରପଞ୍ଚ ପଦ ପାଇଁ ସର୍ବାଧିକ ୨୭ ପ୍ରାର୍ଥୀ

୮୬ ୱାର୍ଡସଭ୍ୟ ପଦ ପାଇଁ ପୁନଃବିଜ୍ଞପ୍ତି

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଝାଙ୍କରପାଲି ପଞ୍ଚାୟତରେ ସରପଞ୍ଚ ପଦ ସକାଶେ ସର୍ବାଧିକ ୨୭ ଜଣ ପ୍ରାର୍ଥୀ ରହିଛନ୍ତି। ସାଧାରଣ ଭୋଟଦାନ ପତ୍ର (ବେଲଟ୍‌ ପେପର୍‌)ରେ ସର୍ବୀଧିକ ୧୦ ଜଣ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଓ ଚିହ୍ନ ସ୍ଥାନିତ ହେଉଥିବାବେଳେ ଏହି ପଞ୍ଚାୟତ ସକାଶେ ସ୍ବତନ୍ତ୍ର ଭୋଟଦାନ ପତ୍ର ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ ଆ​‌େ​‌ୟାଗକୁ ପତ୍ର ଲେଖାଯାଇଥିବା ଜଣାପଡ଼ିଛି। ଏହି ଝାଙ୍କରପାଲି ପଞ୍ଚାୟତରେ ଭୋଟର ସଂଖ୍ୟା ୫୦୫୯ ବୋଲି ଜଣାପଡ଼ିଛି। ଏହାସହ ରେଙ୍ଗାଲି ବ୍ଲକର ରେଙ୍ଗାଲି ପଞ୍ଚାୟତରେ ୧୪ ଜଣ ସରପଞ୍ଚ ପ୍ରାର୍ଥୀ ଥିବାବେଳେ ଠେଲକୋଲୋଇ ପଞ୍ଚାୟତରେ ୧୨ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ଦୁଇଟି ପଞ୍ଚାୟତରେ ଭୋଟର ସଂଖ୍ୟା ଯଥାକ୍ରମେ ୭୬୩୨ ଓ ୨୩୧୭ ବୋଲି ସୂଚନା ମିଳିଛି।

ଜିଲାର ଜଣେ ସରପଞ୍ଚ, ୨ ଜଣ ସମିତିସଭ୍ୟ ଏବଂ ୮୬୬ ଜଣ ୱାର୍ଡସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଲ ପଞ୍ଚାୟତର ସରପଞ୍ଚ ପଦ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ସମିତି ସଭ୍ୟ ପଦରେ ନାମାଙ୍କନ ଦାଖଲ କରିଥିବା ରେଢ଼ାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଏବଂ କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଜିଲାର ୮୬୬ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ମଧ୍ୟ କେହି ପ୍ରତିଦ୍ବନ୍ଦ୍ବୀ ନଥିବାରୁ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାର ୮୬ଟି ୱାର୍ଡରେ କେହି ଜଣେ ହେଲେ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ପୁଣିଥରେ ପ୍ରାର୍ଥିପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର ଜିଲାରେ ୧୮ଟି ଜିଲା ପରିଷଦ ସଭ୍ୟ ପଦ ପାଇଁ ୬୩ ଜଣ ରଣାଙ୍ଗନରେ ରହିଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ୧୮ ଜଣ ଲେଖାଏ ସହିତ ବିଏସପି ଦଳର ୩ ଜଣ, ଆପ୍‌ର ୨ ଜଣ ଏବଂ ୩ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜିଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

Comments are closed.