ଡେବ୍ରିଗଡ ଅଭୟାରଣ୍ୟର ବିକାଶ ନିମନ୍ତେ ଜଙ୍ଗଲବାସୀଙ୍କୁ ସ୍ଥାନାନ୍ତରଣ ଜାରି

ବିସ୍ଥାପନ ପାଇଁ ପ୍ରତି ପରିବାରକୁ ୧୫ଲକ୍ଷ, ୧୦ ଡିସିମିଲ ଜମି ସହିତ ଘର ଓ ଅନ୍ୟାନ୍ୟ ସୁବିଧା

ସମ୍ବଲପୁର: ସରକାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ପରିବେଶ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏହି କ୍ରମରେ ସମ୍ବଲପୁର ସହରର ଉପକଣ୍ଠରେ ଅବସ୍ଥିତ ପ୍ରାକୃତିକ ଅଭୟାରଣ୍ୟ ଡେବ୍ରିଗଡର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ଅଭୟାରଣ୍ୟର ବିକାଶ ନିମନ୍ତେ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା କିଛି ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତରିତ କରି ଅନ୍ୟତ୍ର ଥଇଥାନ କରାଯିବା ପାଇଁ ଯୋଜନା କରାଯାଇଥିଲା। ସାଧାରଣତଃ କେହି ନିଜର ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ କିନ୍ତୁ ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳର ଅଧିକାରିଣୀ ଅଂଶୁ ପ୍ରଜ୍ଞା ଦାସ ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଦଳ ଜଙ୍ଗଲ ନିବାସୀ ମାନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଫଳରେ ସରକାରଙ୍କ ଏହି ଯୋଜନାକୁ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଅଧିବାସୀ ମାନେ ମଧ୍ୟ ସହଯୋଗ କରିଥିବାରୁ ଏବେ ସ୍ଥାନାନ୍ତରଣ ଓ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସରକାରଙ୍କ ଯୋଜନାନୁଯାୟୀ, ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ଲମ୍ବିପାଲି, କୁରୁମକେଲ, ରେଙ୍ଗାଲି ଓ ଭୁଟଲି ଗ୍ରାମ ଗୁଡିକୁ ସ୍ଥାନାନ୍ତରଣ କରାଯିବାର ଆବଶ୍ୟକତା ରହିଛି। ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳର ଅଧିକାରିଣୀ ଦାସ ଙ୍କ ଅନୁଯାୟୀ, ଅଭୟାରଣ୍ୟର ବିକାଶ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଲମ୍ବିପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଛି। ୧୯୦୮ ମସିହାରେ କିଛି ଶ୍ରମିକ ମାନଙ୍କୁ ନେଇ ଲମ୍ବିପାଲି ଗ୍ରାମକୁ ବନ ବିଭାଗର ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ବସାଯାଇଥିଲା। ପରେ ଅନ୍ୟ କିଛି ପରିବାର କାର୍ଯ୍ୟ ଅନ୍ୱେଷଣରେ ଆସି ଏହି ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇ ଯାଇଥିଲେ। ଅତ୍ୟନ୍ତ ଘଞ୍ଚ ବଣ ଜଙ୍ଗଲ ଓ ବନ୍ୟପ୍ରାଣୀ ପୁର୍ଣ୍ଣ ଏହି ଅଞ୍ଚଳର ବାସିନ୍ଦା ମାନଙ୍କ ପାଇଁ ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଆଦିର ସର୍ବନିମ୍ନ ସୁବିଧା ମଧ୍ୟ କରାଯାଇ ପାରି ନ ଥିଲା। ଜଙ୍ଗଲରେ ସମ୍ବର, ହରିଣ, ବାଇସନ ଆଦି ପ୍ରାଣୀ ଭରି ରହିଥିବାରୁ ଏହି ଗ୍ରାମବାସୀ ମାନେ ଫସଲ ନଷ୍ଟ ହୋଇଯିବା ଭୟରେ କୃଷି ମଧ୍ୟ କରି ପାରୁ ନ ଥିଲେ। ଏଣୁ ପରିବାରର ମୁଖିଆ ମାନେ ଭରଣପୋଷଣ ପାଇଁ ଅନ୍ୟତ୍ର ଯାଇ ସ୍ଥାୟୀ କିମ୍ବା ଅସ୍ଥାୟୀ କାର୍ଯ୍ୟ କରି ଜୀବନଯାପନ କରୁଥିଲେ।

ଚଳିତ ବର୍ଷ ଅଗଷ୍ଟ ମାସରେ ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ଗ୍ରାମବାସୀ ମାନଙ୍କୁ ରାଜ୍ୟ ସରକାର ଙ୍କ ଯୋଜନା ଓ ଥଇଥାନର ପ୍ୟାକେଜ ସର୍ମ୍ପକରେ ଅବଗତ କରାଯାଇଥିଲା। ଏହା ପରେ ଅଗଷ୍ଟ ୨୫ ତାରିଖରେ ଗ୍ରାମବାସୀ ମାନେ ସରକାରଙ୍କ ଯୋଜନାକୁ ଗ୍ରହଣ କରି ଡେବ୍ରିଗଡ ଅଭୟାରଣ୍ୟ ଅଞ୍ଚଳରୁ ବାହାରି ଅନ୍ୟତ୍ର ସ୍ଥାନାନ୍ତରିତ ହେବା ପାଇଁ ରାଜି ହୋଇଥିଲେ। ଲମ୍ବିପାଲି ଗ୍ରାମବାସୀଙ୍କ ଥଇଥାନ ପ୍ୟାକେଜରେ ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା, ୧୦ ଡିସିମିଲ ଜମିପଟ୍ଟା, ପକ୍କା ଘର ସହିତ ରାସ୍ତା, ବିଦ୍ୟୁତ, ପାନୀୟ ଜଳ ସୁବିଧା, ସାର୍ବଜନୀନ ଶୌଚାଳୟ ସମେତ ଅନ୍ୟାନ୍ୟ ମୂଳଭୂତ୍ତ ସୁବିଧା ଯୋଗାଇ ଦିଆଯାଇଛି।

ଲମ୍ବିପାଲି ଗ୍ରାମଟି ବରଗଡ ଜିଲା ମଧ୍ୟରେ ରହିଥିବାରୁ ତୁରନ୍ତ ଜିଲାସ୍ତରୀୟ କମିଟି ସେପ୍ଟେମ୍ବର ମାସରେ ଗଢ଼ାଯାଇ ସର୍ଭେ କରାଯାଇଥିଲା ଏବଂ ଏଥିରେ ୪୨ଟି ପରିବାରର ସମୁଦାୟ ୮୦ ଜଣ ସଦସ୍ୟ ଥଇଥାନ ଯୋଜନା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ଏଣୁ ତୁରନ୍ତ ବନ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ଥଇଥାନ ପାଇଁ ଟାଙ୍ଗରପାଲି ଓ କଣ୍ଟଲ ଗ୍ରାମ ମଧ୍ୟରେ ଏକ ସ୍ଥାନକୁ ନୂତନ କଲୋନୀ ନିମନ୍ତେ ଚୟନ କରାଯାଇଥିଲା। ଏହା ପରେ ତୁରନ୍ତ ପକ୍କା ଘର ନିର୍ମାଣ କରାଯାଇ ଏକ ସ୍ୱତନ୍ତ୍ର କଲୋନୀ ନିର୍ମାଣ କରାଯାଇଥିଲା। ଏହି କଲୋନୀକୁ ଗତ ୧୭ ତାରିଖରେ ଲମ୍ବିପାଲି ଗ୍ରାମବାସୀ ମାନେ ସ୍ଥାନାନ୍ତରିତ ହୋଇଛନ୍ତି। ଏହି କଲୋନୀ ନିର୍ମାଣରେ ଗ୍ରାମବାସୀଙ୍କୁ ରେଜଗାର ପ୍ରଦାନ କରାଯାଇଥିଲା। କଲୋନୀରେ ସାର୍ବଜନୀନ ଶୌଚାଳୟ ସହିତ ମହିଳା ଙ୍କ ନିମନ୍ତେ ସ୍ୱତନ୍ତ୍ର ଗାଧୋଇବା ଘାଟ, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ପ୍ରତି ଘର ସମ୍ମୁଖରେ ନାମ ଫଳକ, ନାଳ ଆଦି ବିଭିନ୍ନ ସୁବିଧା କରାଯାଇଛି। ଏହା ସହିତ କଲୋନୀରେ ଏକ ପାଠାଗାରର ନିର୍ମାଣ ମଧ୍ୟ ଜାରି ରହିଛି। ଏତଦବ୍ୟତିତ ଜିଲା ପ୍ରଶାସନର ସହାୟତାରେ ଏକ ବର୍ଷ ମଧ୍ୟରେ ସମସ୍ତ ସୁବିଧା ସହିତ ଏକ ସ୍ଥାୟୀ ଗ୍ରାମ କଲୋନୀର ନିର୍ମାଣ କାର୍ଯ୍ୟ ଶେଷ ହେବ।

କଲୋନୀବାସୀ ସ୍ଥାନାନ୍ତରିତ ହେବା ପରେ ପଡୋଶୀ ଗ୍ରାମ ଟାଙ୍କରପାଲି ଓ କଣ୍ଟଲ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ବନ୍ଧୁ ମିଳନ ଓ ପରିଚୟ ପର୍ବ ପାଳନ କରିଛନ୍ତି। ଏହି ଥଇଥାନ ପ୍ରକ୍ରିୟା ପାଇଁ ଗଠିତ ସ୍ୱତନ୍ତ୍ର ଜିଲା କମିଟିରେ ବରଗଡ ଜିଲାପାଳ, ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳର ଡିଏଫଓ ଆବାହକ ସଦସ୍ୟ ରୂପେ ମିଳିତ ଭାବରେ କାର୍ଯ୍ୟ କରି ସରକାରଙ୍କ ବିସ୍ଥାପନ ପ୍ୟାକେଜ ଗୁଡିକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି। ଇତି ମଧ୍ୟରେ ସ୍ଥାନାନ୍ତରିତ ହୋଇଥିବା ପରିବାରର ମହିଳା ମାନଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗ୍ରୃପ ଜରିଆରେ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ପ୍ରତି ପରିବାର ପାଇଥିବା ୧୫ ଲକ୍ଷ ଟଙ୍କା ମଧ୍ୟରୁ ୧୪ ଲକ୍ଷ ଟଙ୍କା ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିବାରୁ ସେମାନେ ମାସକୁ ୬ ହଜାର ଟଙ୍କାରୁ ଉର୍ଦ୍ଧ ଆୟ କରିବେ, ଯାହା ଦ୍ୱାରା ସେମାନେ ସୁବିଧାରେ ପରିବାର ପୋଷଣ କରିପାରିବେ।

ସେହିଭଳି ସ୍ଥାନାନ୍ତରିତ ହେବାକୁ ଥିବା ଅନ୍ୟ ଗ୍ରାମ ଯଥା କୁରୁମକେଲ, ରେଙ୍ଗାଲି ଓ ଭୁଟଲି ଗ୍ରାମର ବିସ୍ଥାପନ ଓ ଥଇଥାନ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ନିମନ୍ତେ ଚାଲିଥିବା ଅସ୍ଥାୟୀ କଲୋନୀ ନିର୍ମାଣର ପ୍ରକ୍ରିୟାରେ ଗ୍ରାମବାସୀ ମାନେ ସହାୟତା କରୁଛନ୍ତି। ଏକ ମାସ ମଧ୍ୟରେ ଅସ୍ଥାୟୀ କଲୋନୀ ନିର୍ମାଣର କାର୍ଯ୍ୟ ଶେଷ ହେବ ଏବଂ ଏହା ପରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଡେବ୍ରିଗଡ ଅଭୟାରଣ୍ୟ ହୀରାକୁଦ ଜଳଭଣ୍ଡାରକୁ ସଂଲଗ୍ନ ହୋଇ ରହିଛି। ଏହି ଅଭୟାରଣ୍ୟରେ ବନ୍ୟଜନ୍ତୁ ଓ ପକ୍ଷୀ ଭରି ରହିଛନ୍ତି। ଜଳଭଣ୍ଡାର ସହିତ ସଂଲଗ୍ନ ହୋଇ ରହିଥିବାରୁ ଏହି ଅଭୟାରଣ୍ୟରେ ବର୍ଷତମାମ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ଦେଖିବାକୁ ମିଳିଥାଏ। ଶୀତ ଋତୁରେ ଡେବ୍ରିଗଡ ଅଭୟାରଣ୍ୟକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ମଧ୍ୟ ହୋଇଥାଏ। ପର୍ଯ୍ୟଟକ ମାନଙ୍କ ପାଇଁ ଅନେକ ଆକର୍ଷଣ ରହିଥିବାରୁ ଏହାକୁ ସରକାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ କରିବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକରୁଥିବା ବେଳେ ଡେବ୍ରିଗଡ ଅଭୟାରଣ୍ୟର ବିକାଶ ସେଥି ମଧ୍ୟରୁ ଅନ୍ୟତମ।

Comments are closed.