ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହାତୀପଲ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ହାତୀ ପଲ ଶନିବାର ପ୍ରବେଶ କରିଛନ୍ତି। ସମ୍ବଲପୁର ସହରର ଅପରପାର୍ଶ୍ବରେ ଥିବା ଚାଉଁରପୁର ଓ ବ୍ରହ୍ମପୁରା ଗ୍ରାମ ଠାରେ ମହାନଦୀ କୂଳରେ ଏକ ବଡ ହାତୀପଲ ଦେଖାଯାଇଥିଲା। ହାତୀ ପଲରେ ୧୨ ରୁ ୧୫ଟି ଛୋଟ ବଡ ହାତୀ ରହିଥିବାର ସୂଚନା ରହିଥିବା ବେଳେ ମହାନଗର ନିଗମ ଅର୍ନ୍ତଗତ ୱାର୍ଡ ନଂ ୧ ର ବ୍ରହ୍ମପୁରା ଗ୍ରାମରେ ଗତକାଲି ରାତ୍ରିରେ ହାତୀପଲ ଉପଦ୍ରବ କରି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ସମ୍ବଲପୁର ସଦର ମହକୁମାରୁ ଦୂରରେ ରହିଥିବା ଗ୍ରାମାଞ୍ଚଳ ଗୁଡିକରେ ଜଙ୍ଗଲୀ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇ ଯାଇଥିବା ବେଳେ ଏବେ ମହାନଗର ନିଗମ ଅର୍ନ୍ତଗତ ଗ୍ରାମ ଗୁଡିକୁ ହାତୀ ପଲ ପ୍ରବେଶ କରି ଉପଦ୍ରବ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ମହାନଦୀ କୂଳକୁ ଲାଗି ରହିଥିବା ଚାଉଁରପୁର ଓ ବ୍ରହ୍ମପୁରା ଗ୍ରାମ ଅଞ୍ଚଳରେ ଗତକାଲି ୧୦ ରୁ ୧୫ ହାତୀ ବୁଲାବୁଲି କରୁଥିବାର ଦେଖିଥିଲେ। ହାତୀ ପଲ ରାତ୍ରିରେ ବ୍ରହ୍ମପୁରାରର ଓରାମପଡା ଅଞ୍ଚଳରେ ପ୍ରବେଶ କରି ଚାଷୀ ମାନଙ୍କର ଧାନ ଜମିରେ ଥିବା ଶହ ଶହ ଏକର ଧାନ ଫସଲ ନଷ୍ଟ କରିବା ସହିତ ଅମଳ କରି ବସ୍ତାରେ ଭର୍ତ୍ତି କରି ରଖାଯାଇଥିବା ଧାନ ଗୁଡିକୁ ଖାଇବା ସହିତ ଦଳଚକଟି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ହାତୀ ପଲ ପ୍ରବେଶ କରି ଉପଦ୍ରବ କରି ଧାନ ଫସଲ ନଷ୍ଟ କରିବା ପ୍ରଥମ ଘଟଣା ହୋଇଥିବାରୁ ନିଗମ ଅଧିନସ୍ଥ ଗ୍ରାମବାସୀ ମାନେ ଚିନ୍ତିତ ହୋଇ ପଡିଛନ୍ତି।

Comments are closed.