ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନାଧିକାରୀ, ୨ ଲକ୍ଷ ୬ ହଜାର ସହିତ ଧରା ପଡିଲେ

ସମ୍ବଲପୁର: ସମ୍ବଲପୁର ଜିଲା କୁଚିଣ୍ଡା ଅଞ୍ଚଳ ମୂଳ ନିବାସୀ ତଥା ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା ପୁଲିସ ଥାନାଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ବିଭାଗ ଦ୍ୱାରା ବେଆଇନ ଭାବରେ ଲକ୍ଷାଧିକ ଟଙ୍କା ରଖିଥିବା ବେଳେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବେଆଇନ ଭାବରେ ବିପୁଳ ଭାବରେ ଟଙ୍କା ସାଥିରେ ନେଇ ବଙ୍ଗୋମୁଣ୍ଡା ଥାନାଧିକାରୀ ନାୟକ ତାଙ୍କର ମାରୁତି କାର ଓଡି୧୫କେ୬୧୧୧ରେ ବଙ୍ଗୋମୁଣ୍ଡାରୁ ନିଜସ୍ୱ ଘର କୁଚିଣ୍ଡାକୁ ଯାଉଥିବା ବେଳେ ତାଙ୍କୁ ବରଗଡ ଟୋଲ ଗେଟ ନିକଟରେ ଧରିଥିଲା।

ଭିଜିଲାନ୍ସ ବିଭାଗର ଯାଞ୍ଚରେ ଥାନାଧିକାରୀ ନାୟକଙ୍କ ନିକଟରୁ ୨ ଲକ୍ଷ ଟଙ୍କା ୬ ହଜାର ୨୨୦ ପାଇଥିଲା। ଟଙ୍କା ସର୍ମ୍ପକରେ ସେ କୌଣସି ସଠିକ ପ୍ରମାଣ ଚଢ଼ଉ ଦଳ ସମ୍ମୁଖରେ ପ୍ରସ୍ତୁତ କରି ପାରି ନ ଥିବାରୁ ତାଙ୍କୁ ତୁରନ୍ତ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ ଟଙ୍କାକୁ ଜବତ କରାଯାଇଛି। ଏହା ପରେ ତୁରନ୍ତ ବଙ୍ଗୋମୁଣ୍ଡା ସମେତ ବଲାଙ୍ଗୀର, ସମ୍ବଲପୁର ଓ ଦେବଗଡ ଜିଲାରେ ୪ଟି ସ୍ଥାନରେ ଥିବା ନାୟକଙ୍କ ସମ୍ପତ୍ତି ଗୁଡିକର ଯାଞ୍ଚ ଆରମ୍ଭ କରାଯାଇଛି। ଯାଞ୍ଚ ସମୟରେ ବେଶ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗର ହାତରେ ଧରା ପଡିଛି। ଏ ସର୍ମ୍ପକରେ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ପୁଲିସ ଅଧିକାରୀ ନାୟକ ପୂର୍ବରୁ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଅନ୍ୟ ଜିଲା ଗୁଡିକରେ କାର୍ଯ୍ୟ କରିଛନ୍ତି।

Comments are closed.