ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା : କରୋନା ପାଇଁ ଡିଜିଟାଲ ନିମନ୍ତ୍ରଣ ଓ ନିରାଡମ୍ବରରେ ଆୟୋଜିତ ହେବ ଦେବ ବିବାହ ଉତ୍ସବ

ସମ୍ବଲପୁର : ଚଳତି ବର୍ଷ ମେ ୨୭ ତାରିଖ ବୁଧବାର ରାତ୍ର ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ଲୌକାଚାର ନିତିରେ ବିବାହ ଅନୁଷ୍ଠିତ ହେବ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆନୁଷ୍ଠାନିକ ଭାବରେ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ସହିତ କନ୍ୟା ପିତାମାତା ଚୟନ, ପତ୍ରପେଣ୍ଡି, ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇ ସାରିଛି। ଏଣୁ ଦେବ ବିବାହ ଉତ୍ସବ ପାଇଁ କନ୍ୟା ପକ୍ଷ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି। ତେବେ ଚଳିତ ବର୍ଷ କରୋନା ମହାମାରୀର ସଙ୍କଟ ଯୋଗୁଁ ନିରାଡମ୍ବର ଭାବରେ କେବଳ ବିଧି ରକ୍ଷା ନିମନ୍ତେ ଦେବ ବିବାହ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଉଛି। ଚଳିତ ବର୍ଷ ବାଜା, ରୋଷଣୀ, ନୃତ୍ୟ, ସଙ୍ଗୀତ, ଶୋଭାଯାତ୍ରା ଆଦିର ଆୟୋଜନ କରାଯାଉ ନ ଥିବା ବେଳେ ଚାଲି ଆସୁଥିବା ସମସ୍ତ ପୂଜାର୍ଚ୍ଚନା, ରିତିନିତ ଆଦି ଶଙ୍ଖ ଧ୍ୱନି ମଧ୍ୟରେ ପାଳିତ ହେଉଛି। ଶହ ଶହ ବର୍ଷର ପୁରାତନ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଉପରେ ବିଭିନ୍ନ କମିଟୀମାନଙ୍କ ତରଫରୁ ଚଳିତ ବର୍ଷ କନ୍ୟା ପିତା ମାତାର ଦାୟିତ୍ୱ ନିର୍ବାହ କରୁଥିବା କନ୍ୟା ଘରଗୁଡିକର ପ୍ରସ୍ତୁତି ଓ ସେମାନଙ୍କର ଅନୁଭୂତି ସର୍ମ୍ପକରେ ଏକ ଅବଲୋକନ।

 

ବମ ବରାଡ ବାଲୁଙ୍କେଶ୍ୱର ବାବା, କନ୍ୟା ପିତାମାତା, ନନ୍ଦପଡା ଶୀତଳ ଷଷ୍ଠୀ କମିଟୀ

ସର୍ବପୁରାତନ ଓ ପ୍ରଥମ ଶୀତଳ ଷଷ୍ଠୀ ଯାତ୍ରା କମିଟୀର ବିବାହ ଉତ୍ସବର କନ୍ୟା ପିତାମାତା ହେବାର ସୌଭାଗ୍ୟ ଚଳିତ ବର୍ଷ ମିଳିଥିବାରୁ ଆମର ଜୀବନ ଧନ୍ୟ ହୋଇଯାଇଛି। ବହୁ ଦିନର ଆମର ଇଚ୍ଛା ପୁର୍ଣ୍ଣ ହେବାକୁ ଯାଉଛି। ଆମର କେବଳ ଗୋଟିଏ ପୁତ୍ର ସଚେତ ବିଶି ଥିବା ବେଳେ କନ୍ୟା ସନ୍ତାନ ନ ଥିବାରୁ ମନରେ କନ୍ୟା ପିତାମାତା ହେବା ପାଇଁ ଗତ କିଛି ବର୍ଷ ହେବ ଆବେଦନ କରିଆସୁଥିଲୁ। ଘରର ବଡ ଝିଅ ଙ୍କୁ ଯେଭଳି ଭାବରେ ବିବାହ କରାଯାଏ, ଠିକ ସେହିଭଳି ନିଜ ସାମର୍ଥ୍ୟ ମତେ ଏହି ବିବାହ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ଯୋଜନା କରିଛୁ। ଦେବ ବିବାହ ପାଇଁ ଆମେ ବହୁ ଦିନରୁ ପ୍ରସ୍ତୁତି ଚାଲୁ ରଖିଥିଲୁ। ବିବାହ ଉତ୍ସବ ପାଇଁ ସ୍ଥାନ ବୁକିଂ କରି ସାରିଥିଲୁ, ସାଜସଜ୍ଜା ପାଇଁ ସମସ୍ତ ଅଗ୍ରିମ, ଭୋଜିର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସମସ୍ତ ବୁକିଂ ଗୁଡିକୁ ବାତିଲ କରାଯାଇ ସାରିଛି। କରୋନା ସଙ୍କଟ ଯୋଗୁଁ ସମସ୍ତ ବ୍ୟବସ୍ଥାକୁ ବିଧି ରକ୍ଷା ପର୍ଯ୍ୟନ୍ତ ନିରାଡମ୍ବର ଓ ଅତି ସୀମିତ କରି ଦିଆଯାଇଛି। ତେବେ ଚଳିତ ମହାମାରୀ କରୋନା ଯୋଗୁଁ ଆମେ ଯେଭଳି ଭାବରେ ଦେବ ବିବାହ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଭାବିଥିଲୁ ସେଭଳି ହେବ ନାହିଁ ଏବଂ ଏକମାତ୍ର ପୁତ୍ର ବିଦେଶରେ ପାଠ ପଢ଼ୁଥିବାରୁ ଏଥିରେ ଯୋଗ ଦେଇ ପାରୁ ନ ଥିବାରୁ କିଛିଟା ଦୁଃଖ ଲାଗୁଛି।

ବାବା ବାଲୁଙ୍କେଶ୍ୱରଙ୍କ ପାଇଁ ରୁଦ୍ରାକ୍ଷ, ସୁନାର ମାଳି, ମୁଦି, ରୂପାର ତ୍ରିଶୁଳ, ବେଲପତ୍ର, ଚିଲମ, ଡମ୍ବରୁ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ସେହିଭଳି ଜଗତଜନନୀ ମାତା ପର୍ବତୀଙ୍କ ପାଇଁ ସୁନାର ମାଳି, ଚୁଡି ନଥ, କାନଫୁଲ, ମଥାମଣି, ରୂପାର ପାଉଞ୍ଜି ଓ ଅନ୍ୟ ଅଳଙ୍କାରର ବ୍ୟବସ୍ଥା କରାଯାଇଛି। ଘରକରଣା ସାମଗ୍ରୀ ଯଥା କଂସା ଓ ପିତ୍ତଳର ବାସନ କୁସନ, ପୂଜା ପାଇଁ ଘଣ୍ଟି, ଚୌକି, ଶେଜ, ତକିଆ, ଶିଳ, ଶିଳପା, ଟୁପଲି, ଭୁଗଲି, ମସିଣା, ପିଢ଼ା, ବେଲଣା ପିଢ଼ା, ବାକ୍ସ, ପିତ୍ତଳର ଗରିଆ, ଚନ୍ଦନ ପେଡି, ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ବର, ବଧୁ ଓ ପୂଜକ ଙ୍କ ପାଇଁ ପାଟ, ଯଥା, ଶାଢ଼ୀ, କପଡା ଆଦିର ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ମାତ୍ର କିଛି ହାତଗଣତି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ଦେବ ବିବାହ ସମ୍ପନ୍ନ କରାଯିବ। ଏଥିପାଇଁ କୌଣସି ନିମନ୍ତ୍ରଣ କାର୍ଡ ଛପା ଯାଇ ନାହିଁ। ସମସ୍ତଙ୍କୁ ଫୋନ ଓ ହ୍ୱାଟସଅପ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ତେବେ ଡିଜିଟାଲ ନିମନ୍ତ୍ରଣ ପାଇଥିବା ବନ୍ଧୁବାନ୍ଧବ ଓ ପରିଚିତ ବ୍ୟକ୍ତି ମାନେ ବିବାହ ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ ଥିବା ବେଳେ ଲକ ଡାଉନ ଯୋଗୁଁ କେହି ଯୋଗ ଦେଇ ପାରିବେ ନାହିଁ ବୋଲି ନିଜ ପଟରୁ ସୂଚନା ଦେଇ ସାରିଛନ୍ତି। ଏଣୁ କେବଳ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ବୋଲି କନ୍ୟା ପିତା ସୁକାନ୍ତ କହିଛନ୍ତି। ବିବାହ ଓ ବାକି ରିତିନିତ ମନ୍ଦିରରେ କରାଯିବାର ସ୍ଥିରିକୃତ କରାଯାଇଛି। କେବଳ ପତ୍ରପେଣ୍ଡି ଉତ୍ସବ ଆମର ଘରେ ଜିଲା ପ୍ରଶାସନର ନିର୍ଦ୍ଦେଶାନୁଯାୟୀ ଆୟୋଜିତ ହେବ। ଚଳିତ ବର୍ଷ ବୋଧହୁଏ ମହାଦେବ ଓ ମାତା ପାର୍ବତୀ ନିରାଡମ୍ବରରେ ବିବାହର ଇଚ୍ଛା ରଖିଥିବାରୁ ଏଭଳି ବିଷମ ସ୍ଥିତି ସାରା ବିଶ୍ୱରେ ଉତ୍ପନ୍ନ ହୋଇଥିବା ବେଳେ ତାଙ୍କର ଆର୍ଶିବାଦରୁ ହିଁ ଏହି ବିପଦ ଟଳି ଯିବ ବୋଲି କନ୍ୟା ପିତାମାତା ବିଶି ଦମ୍ପତ୍ତି କହିଛନ୍ତି।

ଶ୍ରୀ ଲୋକନାଥ ବାବା, କନ୍ୟା ପିତାମାତା, ଝାଡୁଆପଡା ଶୀତଳ ଷଷ୍ଠୀ କମିଟୀ
ସମ୍ବଲପୁରର ଝାଡୁଆପଡାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ଲୌକିକ ବିବାହ ଉତ୍ସବ ଲାଗି ବର ଓ କନ୍ୟା ପକ୍ଷ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଇଛନ୍ତି। ଲକ ଡାଉନ କଟକଣା ଯୋଗୁଁ ପ୍ରସ୍ତୁତି ପ୍ରଭାଭିତ ହୋଇଥିଲେ ସୁଦ୍ଧା ବିଧି ଓ ପରମ୍ପରାରକୁ ଦୃଷ୍ଟିରେ ରଖି ଯଥାସମ୍ଭବ ବିବାହ ଆୟୋଜନ କରାଯାଉଛି। କେବଳ ସୌଜନ୍ୟ ଫୋନ ଓ ହ୍ୱାଟସଅଫ ମାଧ୍ୟମରେ ସୂଚନା ଦିଆଯାଇଛି। ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ଅତିଥି ମାନଙ୍କ ଗହଣରେ ଏହି ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଉଭୟ ପକ୍ଷ କହିଛନ୍ତି। ଚଳିତ ବର୍ଷ କନ୍ୟା ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କିଶୋର କୁମାର ଷଡଙ୍ଗୀ ଓ ବିଜୟିନୀ। ସେମାନଙ୍କର ଦୁଇ ଝିଅ ଇପସିତା ଓ ଶ୍ରଦ୍ଧାସୀତା ଥିବା ବେଳେ ପାର୍ବତୀଙ୍କୁ ବଡ ଝିଅ ରୂପେ ପାଇଁ ନିଜକୁ ସୌଭାଗ୍ୟବାନ ମଣୁଛନ୍ତି ଷଡଙ୍ଗୀ ଦମ୍ପତି। ଜ୍ୱାଇଁ ଶ୍ରୀ ଲୋକନାଥ ଓ ଝିଅ ପାର୍ବତୀଙ୍କ ପାଇଁ ସୁନା ଓ ରୂପାର ଅଳଙ୍କାର, ଶାଢ଼ୀ, କପଡା, ଘରକରଣା ସାମଗ୍ରୀ ଇତ୍ୟାଦିର ବ୍ୟବସ୍ଥା କରିସାରିଛନ୍ତି। କରୋନା ଯୋଗୁଁ ଚଳିତ ବର୍ଷ ଧୁମାଧାମରେ ହେଉଥିବା ଏହି ଦେବ ବିବାହ ଉତ୍ସବ ନିରାଡମ୍ବର ଭାବରେ ଲକ ଡାଉନ ନିୟମାନୁଯାୟୀ ହେବ ବୋଲି କନ୍ୟା ପିତାମାତା କିଶୋର ଓ ବିଜୟିନୀ କହିଛନ୍ତି।

ଶ୍ରୀ ଜାଗେଶ୍ୱର ବାବା, କନ୍ୟା ପିତାମାତା, ମୋଦିପଡା ଶୀତଳ ଷଷ୍ଠୀ କମିଟୀ
ଚଳିତ ବର୍ଷ ମୋଦିପଡାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ଲୌକିକ ବିବାହରେ ମୋଦିପଡା ନିବାସୀ ଅଭିରାମ ପଟେଲ ଓ ତାଙ୍କର ଧର୍ମପତ୍ନୀ ଶୋଭାଗିନୀ ପଟେଲ ମାତା ପାର୍ବତୀଙ୍କ ପିତାମାତାର ଦାୟିତ୍ୱ ନିର୍ବାହ କରୁଛନ୍ତି। ବହୁ ଦିନର ଇଚ୍ଛା ଚଳିତ ବର୍ଷ ପୂର୍ଣ୍ଣ ହେଉଥିବାରୁ ନିଜକୁ ସେମାନେ ଧନ୍ୟ ମନେ କରୁଛନ୍ତି। ପୂର୍ବରୁ ଯେଭଳି ଭାବରେ ବିବାହ ପାଇଁ ଯୋଜନା କରିଥିଲୁ, ତାହା କରୋନା ସଙ୍କଟ ଯୋଗୁଁ ଏବେ ସମ୍ଭବ ନୁହେଁ। ସରକାରୀ ନିୟମାନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପାଦିତ ହେବ। ଆମର ଗୋଟିଏ ପୁଅ ରୂପେଶ ଓ ଝିଅ ସୁପ୍ରିତା ଥିବା ବେଳେ ପାର୍ବତୀଙ୍କୁ ବଡ ଝିଅ ରୂପେ ଗ୍ରହଣ କରିବାର ଇଚ୍ଛା ଚଳିତ ବର୍ଷ ପୂରଣ ହୋଇଛି। ବିବାହ ପାଇଁ ଉଭୟ ଜ୍ୱାଇଁ ଓ ଝିଅଙ୍କ ପାଇଁ ସୁନା ଓ ରୂପାର ଗହଣା, ଡମ୍ବରୁ, ତ୍ରିଶୁଳ, ବାସକୁସନ, ଘରକରଣା ସାମଗ୍ରୀ ଇତ୍ୟାଦି କିଣା ଯାଇ ସାରିଛି। ବାପା ଖେଡୁ ପଟେଲ ଓ ମାଁ ବିଷ୍ଣୁପ୍ରିୟା ଏହି ଦେବ ବିବାହ ଉତ୍ସବ ପାଇଁ ଅତ୍ୟନ୍ତ ଖୁସି ରହିଛନ୍ତି ବୋଲି ପଟେଲ ଦମ୍ପତି କହିଛନ୍ତି।

ଶ୍ରୀ ଶିତଳେଶ୍ୱର ବାବା, କନ୍ୟା ପିତାମାତା, ବଡବଜାର ଶୀତଳ ଷଷ୍ଠୀ କମିଟୀ
କରୋନା ସଂକ୍ରମଣକୁ ପ୍ରତିହିତ ଓ ଲକ ଡାଉନ ନିୟମକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଡବଜାର ଶୀତଳ ଷଷ୍ଠୀ ଯାତ୍ରା କମିଟୀ ପକ୍ଷରୁ ଚଳିତ ବର୍ଷର ଦେବ ବିବାହ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନିରାଡମ୍ବର ସହକାରେ କରିବାକୁ ସ୍ଥିର କରାଯାଇଛି। ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇଥିବାରୁ ଆମର ଜୀବନ ଧନ୍ୟ ହୋଇଯାଇଛି ବୋଲି କହିଛନ୍ତି ଚଳିତ ବର୍ଷର କନ୍ୟ ପିତାମାତା ଭବେଶ ଚାନ୍ଦ ଓ ରଶ୍ମୀ ଚାନ୍ଦ। ଦେବ ବିବାହ ଉତ୍ସବରେ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ। ଦେବ ବିବାହ ପାଇଁ ଯଥା ଶକ୍ତି ଜ୍ୱାଇଁ ଶ୍ରୀ ଶିତଳେଶ୍ୱର ଓ ଝିଅ ପାର୍ବତୀ ଙ୍କ ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର, ଶାଢ଼ୀ, କପଡା, ବାସନକୁସନ, ଘରକରଣା ସାମଗ୍ରୀ ଇତ୍ୟାଦି କିଣା ଯାଇଛି। ଭବ୍ୟ ଭାବରେ ଦେବ ବିବାହ ଉତ୍ସବ ଆୟୋଜନ କରିବାର ଇଚ୍ଛା ଥିବା ବେଳେ କରୋନା ସଙ୍କଟକୁ ଧ୍ୟାନରେ ରଖି ସମସ୍ତ କାର୍ଯ୍ୟକ୍ରମକୁ କେବଳ ବିଧି ରକ୍ଷା ନିମନ୍ତେ ସୀମିତ କରାଯାଇଛି। ଲକ ଡାଉନ ନିୟମ, ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ନିୟମକୁ କଡାକଡି ଭାବରେ ପାଳନ କରାଯାଇ ଏହି ଧାର୍ମିକ କାର୍ଯ୍ୟକ୍ରମ କରାଯିବ ବୋଲି ଚାନ୍ଦ ଦମ୍ପତ୍ତି କହିଛନ୍ତି।

ଶ୍ରୀ ଗୁପ୍ତେଶ୍ୱର ବାବା, କନ୍ୟା ପିତାମାତା, ଠାକୁରପଡା ଶୀତଳ ଷଷ୍ଠୀ କମିଟୀ
ମ୍ବଲପୁରରେ ରେଳ ବିଭାଗରେ ଚାକିରୀ କଲା ଦିନରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଆସୁଛି। ଏଣୁ ଜଗତଜନନୀ ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା। ଆମର କନ୍ୟା ସନ୍ତାନ ନ ଥିବାରୁ ମାତା ପାର୍ବତୀଙ୍କୁ ଝିଅ ରୂପେ ଗ୍ରହଣ କରିବାର ସୌଭାଗ୍ୟ ଚଳିତ ବର୍ଷ ମିଳିଛି। ଚଳିତ ବର୍ଷ କରୋନା ଯୋଗୁଁ ସାମାଜିକ ଦୂରତା ସହିତ ଅନ୍ୟାନ୍ୟ କଟକଣା ଥିଲେ ମଧ୍ୟ ମାତା ପାର୍ବତୀଙ୍କୁ ଝିଅ ଓ ଦେବାଧି ଦେବ ମହାଦେବ ଙ୍କ ସହ ଜ୍ୱାଇଁ ଭାବରେ ପାଇଁ ସେମାନଙ୍କ ପାଣିଗ୍ରହଣ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଶେଷ କରିସାରିଛୁ। ବୈଦିକ ରିତିନିତି ଅନୁଯାୟୀ ଜ୍ୱାଇଁ ଶ୍ରୀ ଗୁପ୍ତେଶ୍ୱର ଓ ଝିଅ ମାତା ପାର୍ବତୀଙ୍କ ପାଇଁ ସୁନା, ରୂପାର ଅଳଙ୍କାର, ଘରକରଣା ସାମଗ୍ରୀ, ଶାଢ଼ୀ, କପଡା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ସରକାରୀ ଲକ ଡାଉନ ନିୟମକୁ ଧ୍ୟାନରେ ରଖି ବିଧିପୂର୍ବକ ଏହି ଦେବ ବିବାହ ଅନୁଷ୍ଠିତ ହେବ ବୋଲି ବସନ୍ତରାୟ ଦମ୍ପତ୍ତି କହିଛନ୍ତି।

Comments are closed.