ଲକ ଡାଉନ ସମୟରେ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଉତ୍ସର୍ଗୀକୃତ ସେବା

ସମ୍ବଲପୁର : ଭାରତୀୟ ରେଳବାଇର ପୂର୍ବତଟ ରେଳପଥ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଲକ ଡାଉନ ସମୟରେ ମଧ୍ୟ ଜାରି ରହିଛି। ଦେଶରେ ରେଳବାଇ ରାଷ୍ଟ୍ରର ଜୀବନ ରେଖା ରୁପେ ପରିଚିତ। ଏବେ ଦେଶ କରୋନା ସଙ୍କଟ ସହିତ ସଂଗ୍ରାମ ଜାରି ରଖିଥିବା ବେଳେ ଭାରତୀୟ ରେଳବାଇ ତାର ଯାତ୍ରୀ ସେବାକୁ ବନ୍ଦ ରଖିବା ସହିତ ମାଲ ପରିବହନ ସେବାକୁ ଜାରି ରଖିଛି। ଏହି କ୍ରମରେ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀ ଓ କର୍ମଚାରୀ ମାନେ ଦିନରାତି ଏକ କରି ଦଳଗତ ଭାବରେ ସେବା ପ୍ରଦାନ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ସମେତ ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡିକ ପରିଚାଳନା କରିବା ଜାରି ରଖିଛନ୍ତି। ସମ୍ବଲପୁର ଜିଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରାଯାଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ସମ୍ବଲପୁରରୁ ଉତ୍ତରପ୍ରଦେଶର କାନପୁରକୁ ପଠାଯାଇଥିବା ବେଳେ ମଣ୍ଡଳ ଅଧିନସ୍ଥ ସମ୍ବଲପୁର, ସମ୍ବଲପୁର ସିଟି, ବଲାଙ୍ଗୀର, ବରଗଡ ରୋଡ, ଟିଟିଲାଗଡ, ଭବାନୀପାଟଣା, ଖରିଆର ରୋଡ, ନୂଆପଡା ଆଦି ଷ୍ଟେସନରେ ଏ ପର୍ୟ୍ୟନ୍ତ ୭୨ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ ୧ ଲକ୍ଷ ପ୍ରବାସୀ ଶ୍ରମିକ ଆସି ପହଞ୍ଚି ସାରିଛନ୍ତି। ପ୍ରବାସୀ ଶ୍ରମିକ ମାନଙ୍କର ମେଡିକାଲ ଯାଞ୍ଚ, ଖାଦ୍ୟ, ପାନୀୟ ଏବଂ ସୁରକ୍ଷିତ ଯାତ୍ରା ପାଇଁ ସବୁ ପ୍ରକାରର ସୁବିଧା କରାଯାଇଛି। କରୋନା ସଂକ୍ରମଣକୁ ପ୍ରତିହିତ ପାଇଁ କରାଯାଇଥିବା ଲକ ଡାଉନ ସମୟରେ ମାନବିକତା ଓ ସାମାଜିକ ଦାୟିତ୍ୱକୁ ବହନ କରି ମଣ୍ଡଳ ତରଫରୁ ମୁକ୍ତ ଖାଦ୍ୟ ବିତରଣ ପାଇଁ କରାଯାଇଛି। ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ, ସମ୍ବଲପୁର ରେଳ କର୍ମଚାରୀ, ରେଳବାଇର ବିଭିନ୍ନ ଶ୍ରମିକ ସଂଘ, ଆଇଆରସିଟିସି, ଏମସିଏଲ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଦ୍ୱାରା ବିଭିନ୍ନ ଷ୍ଟେସନ ନିକଟରେ ଅସହାୟ ଓ ପ୍ରବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।

ଏହା ସହିତ ଦେଶବାସୀଙ୍କ ଯେଭଳି ଲକ ଡାଉନ ସମୟରେ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ନ ହେବ ସେଥି ପାଇଁ ଦେଶର ବିଭିନ୍ନ ସ୍ଥାନକୁ ମଣ୍ଡଳ ଦେଇ ୧ ହଜାରରୁ ଉର୍ଦ୍ଧ ମାଲ ଗାଡି ସୁପରିଚାଳିତ ଭାବରେ ଯାତାୟାତ କରିଛନ୍ତି। ଚାଉଳ, ଗହମ, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଲୁହା, ଇସ୍ପାତ, କଣ୍ଟେନର ଆଦି ପରିବହନ କରାଯାଇଛି। ସମ୍ବଲପୁର ମଣ୍ଡଳରୁ ୦.୭୧୩ ମିଲିୟନ ଟନ ଖାଦ୍ୟ ସାମଗ୍ରୀ ୨୫୪ଟି ରେକ ମାଧ୍ୟମରେ ହୀରାକୁଦ, ବରଗଡ ରୋଡ, ଡୁଙ୍ଗୁରିପାଲି, ବଲାଙ୍ଗୀର, କେସିଂଗା, କୋମାଖାନ, ଖରିଆର ରୋଡ, କଣ୍ଟାବାଞ୍ଜି, ଜୁନାଗଡ ରୋଡ, ବେଲସଣ୍ଡା ଆଦି ଷ୍ଟେସନରୁ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରାଯାଇଛି ବୋଲି ରେଳବାଇ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି। ଏହି ଘଡି ସନ୍ଧି ମୁହୁର୍ତ୍ତରେ ରେଳବାଇ ଦ୍ୱାରା ସମ୍ପାଦିତ କାର୍ୟ୍ୟଗୁଡିକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Comments are closed.