ଜାତୀୟ କବାଡି ପ୍ରତିଯୋଗୀତା : ପୁରୁଷରେ କୋଲକାତା ପୁଲିସ ଓ ମହିଳାରେ କୁଆଖିଆ ଚାମ୍ପିୟନ

ସମ୍ବଲପୁର : ସମ୍ବଲପୁର କବାଡି କ୍ଲବ ଓ ସମ୍ବଲପୁର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତିନି ଦିନବ୍ୟାପି ଆୟୋଜିତ ସର୍ବଭାରତୀୟ କବାଡି ପ୍ରତିଯୋଗୀତା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ମୁନିସିପାଲିଟି ଛକ ସ୍ଥିତ ଟାଉନ ହଲ ପଡିଆରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗୀତାର ଶେଷ ଦିବସରେ କ୍ୱାଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ଖେଳ ହୋଇଯାଇଛି। ରବିବାର ସକାଳୁ ଆରମ୍ଭ ହୋଇଥିବା ପ୍ରତିଯୋଗୀତାରେ ପୁରୁଷ ବର୍ଗରେ ୪ଟି କ୍ୱାଟର, ୨ଟି ସେମି ଓ ଫାଇନାଲକୁ ମିସାଇ ସମୁଦାୟ ୭ଟି ପ୍ରତିଯୋଗୀତା ହୋଇଥିବା ବେଳେ ମହିଳା ବର୍ଗରେ ସମୁଦାୟ ୨ଟି ସେମିଫାଇନାଲ ସମେତ ଫାଇନାଲ ମ୍ୟାଚ ହୋଇଯାଇଛି।

ଉଭୟ ପୁରୁଷ ଓ ମହିଳା ବର୍ଗର ୪ଟି ଲେଖାଏଁ ଗ୍ରୁପରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗୀତାର ମହିଳା ବର୍ଗରେ ୨ଟି ସେମିଫାଇନାଲ ମ୍ୟାଚ୍ ସମ୍ବଲପୁର-ଭୁବନେଶ୍ୱର ଏବଂ ଦୁର୍ଗ-କୁଆଖିଆ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହିଳା ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚରେ ସମ୍ବଲପୁର ଦଳ ୩୩ – ୨୮ ପଏଣ୍ଟରେ ଭୁବନେଶ୍ୱରକୁ ହରାଇ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା। ଦ୍ୱିତୀୟ ସେମିଫାଇନାଲରେ କୁଆଖିଆ ଦଳ ୩୨ – ୨୪ ପଏଣ୍ଟରେ ଦୁର୍ଗ ଦଳକୁ ହରାଇ ଫାଇନାଲକୁ ଯାଇଥିଲା। ସେହିଭଳି ମହିଳା ବର୍ଗର ଫାଇନାଲ ମ୍ୟାଚ୍ ସମ୍ବଲପୁର ଓ କୁଆଖିଆ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ କୁଆଖିଆ ଦଳ ୬ –୨୪ ପଏଣ୍ଟରେ ସମ୍ବଲପୁର ଦଳକୁ ହରାଇ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି।

ସେହିପରି ପୁରୁଷ ବର୍ଗର ପ୍ରଥମ କ୍ୱାର୍ଟର ଫାଇନାଲରେ ରାଉରକେଲା ଦଳ ୩୮ – ୧୫ ପଏଣ୍ଟରେ ଭୁବନେଶ୍ୱର ଦଳକୁ ପରାଜିତ କରି ସେମିଫାଇନାଲକୁ ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରଫାଇନାଲରେ କଟକ ଦଳ ୪୫ – ୨୯ ପଏଣ୍ଟରେ ଗୋନ୍ଦିଆ ଦଳକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା। ତୃତୀୟ କ୍ୱାର୍ଟରଫାଇନାଲରେ କୋଲକାତା ପୁଲିସ ୪୨ – ୨୧ ପଏଣ୍ଟରେ ନୁଆପଡା ଦଳକୁ ହରାଇ ସେମିଫାଇନାଲରେ ସ୍ଥାନ କରିଥିଲେ। ଚତୁର୍ଥ କ୍ୱାର୍ଟରଫାଇନାଲରେ ସାଇ ଢ଼େଙ୍କାନାଳ ୩୨–୨୧ ପଏଣ୍ଟରେ ସମ୍ବଲପୁର ଦଳକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା। ସେହିଭଳି ପ୍ରଥମ ସେମିଫାଇନାଲରେ କଟକ ଓ ରାଉରକେଲା ମଧ୍ୟରେ ହୋଇଥିଲା। ଏଥିରେ କଟକ ଦଳ ୩୨–୧୬ ପଏଣ୍ଟରେ ରାଉରକେଲା ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କୋଲକାତା ପୁଲିସ ଦଳ ୩୫–୨୧ରେ ସାଇ ଢ଼େଙ୍କାନାଳ ଦଳକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କୋଲକାତା ପୁଲିସ ଦଳ ୫୬–୨୧ ପଏଣ୍ଟରେ କଟକ ଦଳକୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି।

ଏହି ପ୍ରତିଯୋଗୀତାରେ ପୁରୁଷ ଚାମ୍ପିୟନ ଦଳକୁ ୫୧ ହଜାର ଟଙ୍କା ଓ ଉପ ଚାମ୍ପିୟନ ଦଳକୁ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିଭଳି ମହିଳା ଚାମ୍ପିୟନ ଦଳକୁ ୩୧ ହଜାର ଟଙ୍କା ଓ ଉପ ଚାମ୍ପିୟନ ଦଳକୁ ୨୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଲୋକସଭା ସାଂସଦ ନିତିଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳ ମାନଙ୍କୁ ପୁରସ୍କୃତ କରିଥିଲେ।

କବାଡି ଖେଳକୁ ପୁଣି ଥରେ ଲୋକାଭିମ୍ମୁଖୀ କରିବା ପ୍ରୟାସରେ ସମ୍ବଲପୁର ଜିଲା ପ୍ରଶାସନ ଓ ସମ୍ବଲପୁର କବାଡି କ୍ଲବ ତରଫରୁ ତିନି ଦିନ ବ୍ୟାପି ‘ସୁରେଶ ସେଟ ଓ ଅଶୋକ ଶର୍ମା’ ସ୍ମାରକୀ ଅଲ ଇଣ୍ଡିଆ ଓପନ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ଜାତୀୟସ୍ତରର କବାଡି ଖେଳାଳୀ ଭୀମ ବରାଡ ଓ ଜୟ କୁମାର ମଧ୍ୟ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀତାରେ ଆର୍ନ୍ତଜାତୀୟ କବାଡି ନିୟମାନୁଯାୟୀ ପ୍ରଥମ ଥର ପାଇଁ ‘ମ୍ୟାଟ’ ରେ ଦିବାରାତ୍ର (ଫ୍ଲଡ ଲାଇଟ) ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ କବାଡି ପ୍ରତିଯୋଗୀତାକୁ ଆୟୋଜନରେ କବାଡି କ୍ଲବର ସଭାପତି ସିଦ୍ଧାର୍ଥ ସାହା, ଉମା ପତି ତ୍ରିପାଠୀ, ରାମଦାସ ପଣ୍ଡା, ଆଦିତ୍ୟ ବାରିକ, ପ୍ରଶାନ୍ତ ସେଠ, ରାଜା ବରାଡ, ଜଗବନ୍ଧୁ ବେହେରା, ବାଦଲ ସେନ୍ଦ୍ରିୟା, ଜେ. କେ. ରାଜୁ, ଚିତ୍ତରଞ୍ଜନ ପ୍ରଧାନ, ଇନ୍ଦ୍ରଜିତ ବାଗ, ଅବିନାଶ ମିତ୍ର, ଭଜନ ତରିଆ, ବଚନ ବେରିହା, ସୁମନ୍ତ ବାଗ, ସୁବିର ରାୟ, ସୋମନାଥ ସେଠ ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।

Comments are closed.