କେମିତି କମିବ କରୋନା? ପୁଲିସ ଆଇଜିଙ୍କ ଗସ୍ତର ଘଣ୍ଟାଏ ପରେ ଷ୍ଟାଟିକ ପୋଷ୍ଟ ଫାଙ୍କା

ସମ୍ବଲପୁର: ସରକାର ଗତ ସୋମବାର ଠାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ୧୦ଟି ଜିଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ଏଥି ପାଇଁ ଗତ ରବିବାର ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମସ୍ତଙ୍କୁ ଚେତାଇ ଦେଇଥିଲେ। ରାତ୍ରି କର୍ଫ୍ୟୁକୁ କଡାକଡି ଭାବରେ ଲାଗୁ କରିବା ପାଇଁ କଡା ପେଟ୍ରୋଲିଂ ସହିତ ସମ୍ବଲପୁର ସହରର ୫ଟି ପ୍ରମୁଖ ସ୍ଥାନ ସମେତ ଜିଲାର ସୀମାବର୍ତ୍ତୀ ଅଞ୍ଚଳ ଗୁଡିକୁ ନେଇ ସମଗ୍ର ଜିଲାରେ ସମୁଦାୟ ୧୪ଟି ସ୍ଥାନରେ ଚେକିଂ ପାଇଁ ଷ୍ଟାଟିକ ପୋଷ୍ଟ କରାଯାଇଥିବାର ଏସପି ସୂଚନା ପ୍ରଦାନ କରିଥିଲେ।

ଏହା ସହିତ ଡିଜିଙ୍କ ନିର୍ଦ୍ଦେଶାନୁଯାୟୀ ଉତ୍ତାଞ୍ଚଳ ପୁଲିସ ରେଞ୍ଜ ଆଇଜି ବୁଧବାର ସନ୍ଧ୍ୟା ସମୟରେ ସମ୍ବଲପୁର ସହରର ୪ଟି ପ୍ରମୁଖ ଥାନାଞ୍ଚଳରେ ରହିଥିବା ଜନଗହଳି ସ୍ଥାନ, ମଲ, ବଡ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଯାଞ୍ଚ କରିଥିଲେ। ସେହି ସମୟରେ ଆଇନ ଉଲ୍ଲଂଘନ କରୁଥିବା ମଲ ଓ ବ୍ୟକ୍ତିମାନଙ୍କ ଠାରୁ ସମ୍ବଲପୁର ପୁଲିସ ଜରିମାନା ମଧ୍ୟ ଆଦାୟ କରିଛି। କିନ୍ତୁ ପୁଲିସ ଅଧିକାରୀଙ୍କ ଗସ୍ତ ଶେଷ ହେବାର ମାତ୍ର ୧ ଘଣ୍ଟା ପରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ସହର ମଧ୍ୟରେ ଟାଉନ ଥାନା ଅର୍ନ୍ତଗତ ଅତ୍ୟନ୍ତ ସମ୍ବେଦନଶୀଳ ତଥା ପ୍ରମୁଖ ସ୍ଥାନ ମୋଦିପଡା ଛକ ଠାରେ ରାତ୍ରି ୧୦ଟା ସମୟରେ ପୁଲିସ ଫୋର୍ସ ଆର୍ଶ୍ଚର୍ଯ୍ୟଜନକ ଭାବରେ ଗାୟବ ରହିଥିଲା।

ପ୍ରଥମ ଦୁଇ ଦିନ ଚଳପ୍ରଚଳ କରିବା ପରେ ତୃତୀୟ ଦିବସରେ ସମ୍ବଲପୁର ଭଳି ପ୍ରମୁଖ ପଶ୍ଚିମ ଓଡିଶାର ପ୍ରମୁଖ ସହରର ଷ୍ଟାଟିକ ପୋଷ୍ଟରେ ପୁଲିସ ଉପସ୍ଥିତ ରହି ନ ଥିବା ଘଟଣାରୁ ଜିଲାର ଅବସ୍ଥା ସହଜେ ଅନୁମେୟ ବୋଲି ସହରବାସୀ ମତ ପ୍ରକାଶ କରୁଛନ୍ତି। ବରିଷ୍ଠ ଅଧିକାରୀଙ୍କ ଗସ୍ତ ସମୟରେ ସବୁ ବ୍ୟବସ୍ଥାକୁ ଠିକ ଭାବରେ ଦେଖାଇ ପରେ ଯଥା ପୂର୍ବଂ ତଥା ପରଂ ନିତିରେ ସମ୍ବଲପୁର ପୁଲିସ ଲାଗି ରହିଥିବାରୁ ସମ୍ବଲପୁରରେ କୌଣସି ସ୍ଥିତିରେ ସୁଧାର ପରିଲକ୍ଷିତ ହେଉ ନାହିଁ ବୋଲି ସଚେତନ ମହଲରୁ ମତ ପ୍ରକାଶ ପାଉଛି।

Comments are closed.