କରୋନା ପ୍ରଭାବରେ ଡିଜିଟାଲ ବିବାହ : ଲାଇଭ ଭିଡିଓରେ କନ୍ୟାଦାନ

ସମ୍ବଲପୁର : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିଛନ୍ତି। କିନ୍ତୁ ଏଥି ପାଇଁ ସାଧାରଣ ଜୀବନଯାପନ ଠାରୁ ଆରମ୍ଭ କରି ସାମାଜିକ, ଆର୍ଥିକ, ଶୈକ୍ଷିକ, ଆଧ୍ୟାତ୍ମିକ ଆଦି ସମସ୍ତ କ୍ଷେତ୍ରର ବ୍ୟବସ୍ଥା ଓଲଟପାଲଟ ହୋଇଯାଇଛି। ସାମାଜିକ ଦୂରତା ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏକ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଉଭା ହୋଇଥିବାରୁ ସମସ୍ତ ସାମାଜିକ, ଶୈକ୍ଷିକ, ପ୍ରଶିକ୍ଷଣ ଓ ଧାର୍ମିକ କାର୍ଯ୍ୟକ୍ରମ ଆଦି ଜନ ସମାବେଶ କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରିଦିଆଯାଇଛି। ଏଭଳି ସ୍ଥିତିରେ ବିବାହ ଋତୁ ଚାଲିଥିବା ବେଳେ ଅଧିକାଂଶ କ୍ଷେତ୍ରରେ ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟ ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେବେ କିଛି କ୍ଷେତ୍ର ବର ଏକା ଯାଇ ବିବାହ କରିବା, କିଏ କୋର୍ଟ ମ୍ୟାରେଜ କରିବା, କିଏ ଥାନାରେ ବିବାହ ଭଳି ଘଟଣା ମାନ ମଧ୍ୟ ଦେଖାଯାଉଛି।

ତେବେ କରୋନା ପାଇଁ ଲକ ଡାଉନ ଚାଲିଥିବା ବେଳେ ସମ୍ବଲପୁରର ଜଣେ ଝିଅ ପଡୋଶୀ ରାଜ୍ୟ ଝାରଖଣ୍ଡର ଜାମସେଦପୁରକୁ ଯାଇ ବିବାହ କରିବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନାନୁଯାୟୀ, ସମ୍ବଲପୁରର ମୋଦିପଡାର ନିବାସୀ ସୁକନ୍ୟା ଦେବୀଙ୍କ ଝିଅ ପୁଜା ଠାକୁର (୨୭) ଓ ଜାମସେଦପୁରର ଆକାଶ କୁମାର (୩୦) ଙ୍କର ବିବାହ ଠିକ ହୋଇସାରିଥିଲା। ଗତ ଜାନୁଆରୀ ମାସରେ ଦୁହିଁ ଜଣଙ୍କର ନିର୍ବନ୍ଧ ଶେଷ ହେବା ସହିତ ଏପ୍ରିଲ ୨୬ (ଅକ୍ଷୟ ତୃତୀୟା) ତାରିଖରେ ବିବାହ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ଯୋଗୁ ଲକ ଡାଉନ ଆରମ୍ଭ ଏବଂ ଦ୍ୱିତୀୟ ପର୍ଯ୍ୟାୟର ଲକ ଡାଉନ ସୀମା ମେ ୩ ତାରିଖରେ ଶେଷ ହେଉଥିବାରୁ ବାଧ୍ୟ ହୋଇ ଦୁଇ ପକ୍ଷ ବିବାହକୁ ଲକ ଡାଉନ ଶେଷ ହେବାକୁ ଅପେକ୍ଷା କରି ବାତିଲ କରିଥିଲେ। ତେବେ ପୁର୍ନବାର ଲକ ଡାଉନ ବୃଦ୍ଧି ହୋଇ ତୃତୀୟ ପର୍ଯ୍ୟାୟର ମେ ୧୭ ପର୍ଯ୍ୟନ୍ତ ଚାଲୁ ହୋଇଯାଇଛି। ଉଭୟ ପକ୍ଷର ଧର୍ମ ଓ ଶାସ୍ତ୍ର ଉପରେ ଅଗାଧ ବିଶ୍ୱାସ ଥିବା ବେଳେ ପୁଅ ଓ ଝିଅ ପୂଜା ମାଙ୍ଗଳିକ ହୋଇଥିବାରୁ ସେମାନେ ଆଉ ବିବାହ ଘୁଞ୍ଚାଇବା ପାଇଁ ଚାହୁଁ ନ ଥିଲେ। ଏଣୁ ଦୁଇ ପକ୍ଷ ବିବାହ କରିବା ପାଇଁ ଚଳିତ ମାସ ୮ ତାରିଖ ସ୍ଥିର କରିଥିଲେ।

ତେବେ ଲକ ଡାଉନ ଯୋଗୁ ବର ପକ୍ଷ ଝାରଖଣ୍ଡରୁ ଓଡିଶା ସମ୍ବଲପୁର ଆସିବା ସମ୍ଭବପର ନ ଥିବାରୁ ଶେଷରେ କନ୍ୟାକୁ ସମ୍ବଲପୁରରୁ ସଡକ ମାର୍ଗରେ ଝାରଖଣ୍ଡ ପଠାଇବାକୁ ସ୍ଥିର କରାଯାଇଥିଲା। ଏହା ସହିତ ଲକ ଡାଉନ ନିୟମାନୁଯାୟୀ, ଯଦି କେହି ଝାରଖଣ୍ଡ ବିବାହକୁ ଯିବେ ତାହା ହେଲେ ଫେରିବା ପରେ ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ୨୮ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡୁଥିବାରୁ କନ୍ୟା ପରିବାରର କେହି ଏହି ବିବାହରେ ସାମିଲ ନ ହେବା ପାଇଁ ସ୍ଥିର କରାଯାଇଥିଲା। ଏଣୁ ଝିଅ ପୂଜାଙ୍କୁ ବଧୂବେଶରେ ସଜାଇ ଭାଉଜ ଶାଲୁ ଚନ୍ଦେଲ କାରରେ ନେଇ ୮ ତାରିଖ ସକାଳୁ ବାହାରି ଓଡିଶା ଓ ଝାରଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାତ୍ରା କରିଥିଲେ।

ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆବଶ୍ୟକୀୟ ଅନୁମତି ସହିତ ଆକାଶ ମଧ୍ୟ ଏକ କାରରେ ଉଭୟ ରାଜ୍ୟର ସୀମାକୁ ଆସିଥିଲେ। ଦୁଇ ରାଜ୍ୟର ସୀମାରେ ପହଞ୍ଚିବା ପରେ ପୂଜା କାରରୁ ଓହ୍ଲାଇ ଆକାଶଙ୍କ କାରକୁ ଯାଇ ତାଙ୍କ ସାଥିରେ ଜାମସେଦପୁର ଯାଇଥିଲେ। ସେହିଦିନ ସନ୍ଧ୍ୟାରେ ପରିବାରର ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ଆକାଶ ଓ ପୂଜାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଝିଅର ପରିବାରର କୌଣସି ସଦସ୍ୟ ବିବାହରେ ଯୋଗ ଦେଇ ନ ଥିବା ବେଳେ ବିବାହକୁ ହ୍ୱାଟସଅପର ଭିଡିଓ ଲାଇଭ ଚାଟ ଜରିଆରେ ପରିବାରର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂଜାଙ୍କ ଭାଇ ଓ ଭାଉଜ ଭିଡିଓ କଲିଂରେ କନ୍ୟା ଦାନ ଦେଇଥିବା ବେଳେ ତାଙ୍କ ମାଆ ସୁକନ୍ୟା ଦେବୀ ଓ ପରିବାରବର୍ଗ ମଧ୍ୟ ଡିଜିଟାଲ ମାଧ୍ୟମରେ ନବ ବରବଧୂଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଝିଅର ବିବାହରେ ଯୋଗ ଦେଇ ନ ପାରିବା ଯୋଗୁଁ ସେମାନଙ୍କୁ ଦୁଃଖ ଲାଗିଛି, କିନ୍ତୁ ସ୍ଥିତି ଅନୁଯାୟୀ ସମସ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ପରିବାରରବର୍ଗ କହିଛନ୍ତି। ତେବେ ଏଭଳି ନିଆରା ଢ଼ଙ୍ଗରେ ବିବାହକୁ ନେଇ ପୂଜା ଓ ଆକାଶ ନୃତନ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ବେଳେ ଭିଡିଓ କଲିଂରେ କନ୍ୟାଦାନ ଓ ଡିଜିଟାଲ ଆଶୀର୍ବାଦ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ହୋଇଛି।

 

 

Comments are closed.