ଲକ ଡାଉନରେ ବଢ଼ୁଛି ଅନଲାଇନ ଠକେଇ ; କାମକରୁ ନାହିଁ ସାଇବାର ଥାନା

ସମ୍ବଲପୁର: ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇନ୍ଟରନେଟ, କମ୍ପ୍ୟୁଟର ଲୋକଙ୍କ ଅଭିନ୍ନ ସାଥି ପାଲଟିଛନ୍ତି। ସରକାର ମଧ୍ୟ କାର୍ଯ୍ୟକ୍ଷେତ୍ରରେ ପାରିଦର୍ଶିତା ଓ ସମୟ ସଞ୍ଚୟ କରିବା ପାଇଁ ଡିଜିଟାଲ ମାଧ୍ୟମ ଗୁଡିକୁ ଉପଯୋଗ କରିବା ପାଇଁ ପ୍ରୋତ୍ସାହନ କରୁଛନ୍ତି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ, ସାଇବର ପୁଲିସର ସାଇବର ଅପରାଧିଙ୍କ ଉପରେ ଅଙ୍କୁଶ ଲଗାଇବାରେ ଅସଫଳତା ଯୋଗୁ ଦିନ କୁ ଦିନ ସାଇବର ଅପରାଧ ସମ୍ବଲପୁର ଜିଲାରେ ବୃଦ୍ଧି ପାଉଛି। ଯାହା ଫଳରେ ନିୟମିତ ଭାବରେ ଜିଲାବାସୀ ସାଇବର ଅପରାଧିଙ୍କ ଶିକାର ହେଉଥିବା ବେଳେ ସମ୍ବଲପୁର ଠାରେ ପୁଲିସ ସାଇବର ଥାନା ଖୋଲିବାର ୨ ବର୍ଷରୁ ଉର୍ଦ୍ଧ୍ବ ସମୟରେ ହୋଇ ସାରିଥିବା ବେଳେ ଏହା ଉପରେ ଲଗାମ ଲଗାଇବାରେ ବାରମ୍ବାର ଅସଫଳ ହୋଇ ଚାଲିଛି। ଗତ ୨୮ ମାର୍ଚ୍ଚ ୨୦୧୮ ମସିହାରେ ରାଜ୍ୟର ତୃତୀୟ ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜର ପ୍ରଥମ ଥାନା ସମ୍ବଲପୁରର ବରେଇପାଲି ଠାରେ ସେ ସମୟର ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ। ଏହି ଥାନା ଉଦଘାଟନର ଦିନଠାରୁ ହିଁ ଏହାର କାର୍ଯ୍ୟ ଦକ୍ଷତା ଓ ଶୈଳୀକୁ ନେଇ ପ୍ରଶ୍ନ ଘେରରେ ରହିଛି। ଏହି ଥାନାରେ ପରିଚୟ ଚୋରି, ନକଲି ଇମେଲ ଖାତା ନିର୍ମାଣ, ମୋବାଇଲ ହଜିବା ଓ ଚୋରି, ନକଲି ଫେସବୁକ ପରିଚୟ ନିର୍ମାଣ, ଏଟିଏମ ଜାଲିଆତି, କ୍ରେଡିଟ କାର୍ଡ ଜାଲିଆତି, ଅନଲାଇନ ବ୍ୟାଙ୍କିଙ୍ଗ ଜାଲିଆତି, ନକଲି ୱେବସାଇଟ, ସାଇବର ଅଶ୍ଳିଳ ଛବି, ଭିଡିଓ, ଶିଶୁ ଅଶ୍ଳିଳ ଛବି ଓ ଭିଡିଓ ଆଦି, ଲଟେରୀ ଜାଲିଆତି, ସାଇବର ଫିସିଙ୍ଗ, ସାଇବର ପିଛା, ସାଇବର ମାନହାନୀ ଇତ୍ୟାଦି ଅନଲାଇନ ସମ୍ବନ୍ଧୀୟ ଅପରାଧ ଗୁଡିକର ରିପୋର୍ଟ ରଖାଯାଇ ତଦନ୍ତର ବ୍ୟବସ୍ଥା କରାଯାଇଛି। କିନ୍ତୁ ଉଦଘାଟନ ଦିନ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ୪ ଲକ୍ଷ ୧୦ ହଜାର ଟଙ୍କାର ଅନଲାଇନ ଠକେଇ ମାମଲାର ଅଭିଯୋଗ କରିବା ପାଇଁ ଯାଇଥିଲେ। ସେହି ଦିନ ହିଁ ଭିତ୍ତିଭୂମିର ଅଭାବ ଥିବାରୁ ଅଭିଯୋଗ ଗ୍ରହଣ କରାଯାଇ ନ ଥିଲା। ପରେ ସେହି ମାମଲାକୁ ତା’ ପରଦିନ ଅଇଁଠାପାଲୀ ଥାନାରେ ଅଭିଯୋଗ ଗ୍ରହଣ କରାଯାଇ ସାଇବର ଥାନାକୁ ଦିଆଯାଇଥିଲା। କିନ୍ତୁ ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ ସେହି ମାମଲା ରୁଜୁ ହେବାର ୨ ବର୍ଷ ୧ ମାସରୁ ଉର୍ଦ୍ଧ ସମୟ ବିତିଯିବା ସତ୍ୱେ ସମ୍ବଲପୁର ସାଇବର ଥାନାର ପ୍ରଥମ ମାମଲାକୁ ଏ ପର୍ଯ୍ୟନ୍ତ ସାମାଧାନ କରାଯାଇ ପାରି ନାହିଁ।

ଇତି ମଧ୍ୟରେ ସାଇବର ଅପରାଧର ମାମଲା ଦିନ କୁ ଦିନ ବଢ଼ି ଚାଲିଥିବା ବେଳେ ସାଇବର ସେଲ ସମ୍ବଲପୁର ଜିଲାରେ ଏହାକୁ ଲଗାମ ଲଗାଇବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି। ସମ୍ବଲପୁର ଜିଲାରେ ସାଇବର ସେଲର ଅସଫଳତା ଯୋଗୁ ସାଇବର ଅପରାଧି ମାନେ ପ୍ରତ୍ୟହ ଅନଲାଇନ ଠକେଇ କରି ଚାଲିଥିବା ବେଳେ ପୁଲିସ ତାର ଦୋଷ ଦୂର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ଅନ ଲାଇନର ଯୁଗରେ ଡିଜିଟାଲ ମାଧ୍ୟମକୁ ଲୋକେ ଗ୍ରହଣ କରିବାକୁ ବାଧ୍ୟ ହେଉଥିବା ବେଳେ ନିରୀହ ଜନତାର ସରଳତାର ସୁଯୋଗ ଓ ସାଇବର ପୁଲିସର ଦୁର୍ବଳତାକୁ ଠିକ ଠଉରେଇ ସାଇବର ଅପରାଧି ମାନେ ସମ୍ବଲପୁର ଜିଲାକୁ ସହଜ ଲକ୍ଷ୍ୟ ଭାବରେ ନେଇଛନ୍ତି। ବିଗତ ଦିନରେ ହୀରାକୁଦ, ସମ୍ବଲପୁର, ବୁର୍ଲା ସମେତ ଜିଲାବାସୀଙ୍କୁ କେତେବେଳେ ଅନଲାଇନ ସଉଦା, ଅନଲାଇ ମଦବିକ୍ରି, ଅନଲାଇନ ଲଟେରୀ ଆଦି ବିଭିନ୍ନ ଆଳ ଦେଖାଇ ଅପରାଧି ମାନେ ଲୁଟି ଚାଲିଥିବା ବେଳେ ପୁଲିସ ଚୁପ ହୋଇ ବସି ରହିଛି। ଯଦି କୌଣସି ବଡବଡିଆ ଙ୍କ ମାମଲା ଆସେ ତାହା ହେଲେ ଜୀବନକୁ ପାଣି ଛଡାଇ କୌଣସି ମତେ ସେହି କେଶ ଗୁଡିକୁ ସମାଧାନ କରିଥାଏ ନ ହେଲେ ସାମାନ୍ୟ ମୋବାଇଲ ଚୋରିର ରିପୋର୍ଟଟିଏ କରାଗଲେ ମଧ୍ୟ ତାହାକୁ ଠାବ କରିବାରେ ସାଇବର ପୁଲିସ ମାସ ମାସ ଲଗାଇ ଦେବା ସହିତ ବହୁ କ୍ଷେତ୍ରରେ ତାହା ମିଳୁ ମଧ୍ୟ ନାହିଁ। ସଦ୍ୟତମ ଉଦାହରଣ ସ୍ୱରୁପ ଟାଉନ ଥାନା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ଭୂଆଁ ବୁଲାଇ ସାଇବର ଅପରାଧି ମାନେ ୪୩ ହଜାର ଟଙ୍କା ଠକେଇ ଘଟଣାକୁ ନିଆଯାଇ ପାରେ। ଘଟଣା ଘଟିବାର ପରେ ଟାଉନ ଥାନାରେ ଅଭିଯୋଗ ହେବାର ୫ ଦିନରୁ ଉର୍ଦ୍ଧ ସମୟ ବିତିଗଲାଣି। ସାଇବର ଥାନା ସହିତ ମିଳିତ ଭାବରେ ଟାଉନ ପୁଲିସ ତଦନ୍ତ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି ରହିଛି। ଅନ୍ୟ ପଟରେ ସାଇବର ଅପରାଧ ସଂଖ୍ୟା ଓ ତାର ସମାଧାନ, ଥାନାର ଭିତ୍ତିଭୂମି ଆଦି ସ୍ଥିତ ସର୍ମ୍ପକରେ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ପୁଲିସ ଅଧିକାରୀ ମାନେ ଟାଳଟୁଳ ନିତି କରି ପ୍ରଶ୍ନକୁ ଏଡାଇ ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସମ୍ବଲପୁର ପୁଲିସ ଜନତାର ସମସ୍ୟାର ସମାଧାନ ଅପେକ୍ଷା ତାର ଦୋଷଦୂର୍ବଳତାକୁ ଲୁଚାଇବାରେ ପ୍ରାଧାନ୍ୟ ପ୍ରଦାନ କରୁଛି। ଏଣୁ ଡିଜିଟାଲ ଯୁଗରେ ଅନଲାଇନ କାରବାର ଗୁରୁତ୍ୱକୁ ଦେଖି ସମ୍ବଲପୁରରେ ସାଇବର ସୁରକ୍ଷାକୁ ପୁଲିସ ପ୍ରଶାସନ ସର୍ବାଗ୍ରେ ରଖୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.