ମାନବ ସେବା ହିଁ ମାଧବ ସେବା : ସମାଜର କର୍ମଚାରୀ ଘରେ ରାନ୍ଧି ଭୋକିଲାଙ୍କୁ ଖୁଆଉଛନ୍ତି

ସମ୍ବଲପୁର : ମାନବ ସେବା ହିଁ ମାଧବ ସେବା ବୋଲି କୁହାଯାଏ। ଏବେ କରୋନା ପାଇଁ ସାରା ଦେଶ ଲକ ଡାଉନ ହୋଇ ପଡି ରହିଛି। ଏଣୁ ଦିନ ମଜୁରିଆ, ଖଟିଖିଆ, ଅସହାୟ ମାନଙ୍କର ଜୀବନ କାଟିବା କଷ୍ଟକର ହୋଇ ପଡିଛି। ବହୁ ଅସହାୟ ବ୍ୟକ୍ତି ଏବେ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। କିନ୍ତ ଏହି ଘଡସନ୍ଧି ମୁହୁର୍ତ୍ତରେ ଶତବାର୍ଷିକୀ ଦୈନିକ ଖବର କାଗଜର ସମ୍ବଲପୁର ସଂସ୍କରଣର କର୍ମଚାରୀ ଭବାନୀ ପାଢ଼ୀ ଓ ତାଙ୍କର ସହଧର୍ମିଣୀ ମମତା ପାଢ଼ୀ ଭୋକିଲାଙ୍କୁ ଖାଦ୍ୟ ଖୁଆଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଭବାନୀ ଓ ତାଙ୍କର ସହଧର୍ମିଣୀ ମିଳିତ ଭାବରେ ନିଜ ଘରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ରାନ୍ଧିଥିଲେ। ଏହା ପରେ ଭବାନୀ ସମାଜର ସମ୍ବଲପୁର ସଂସ୍କରଣର ପ୍ରସାରଣ ଅଧିକାରୀ ମନୋରଞ୍ଜନ ମିଶ୍ର ଓ ଦୀପକ ସାହୁଙ୍କ ସହିତ ଏକାଠି ହୋଇ ସହରର ଫାଟକ, ବୁଢ଼ାରଜା, କ୍ଷେତରାଜପୁର, ମୋଦିପଡା ଆଦି ଅଞ୍ଚଳରେ ବୁଲି ବୁଲି ୫୦ରୁ ଉର୍ଦ୍ଧ ଅସହାୟ ଭାବରେ ରହିଥିବା ଭୋକିଲାଙ୍କୁ ସଦ୍ୟ ରନ୍ଧା ଖାଦ୍ୟ ଦେଇଥିଲେ। ଏ ସର୍ମ୍ପକରେ ପାଢ଼ୀ ଦମ୍ପତି କହିଛନ୍ତି ଯେ, ଏହି ଘଡିସନ୍ଧି ମୁହୁର୍ତ୍ତରେ ଯଦି ଆମେ କାହାରି କୌଣସି ପ୍ରକାରର କିଛ ସହାୟତା କରି ପାରିଲେ ପ୍ରକୃତ ମାନବ ସେବା ହେବ ବୋଲି ଆମେ ଭାବିବା ପରେ ଏହି କାର୍ଯ୍ୟ ହାତକୁ ନେଇଛୁ। ଏହି ମହତ କାର୍ଯ୍ୟ କରୋନା ବିପଦ ଟଳିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପାଢ଼ି ଦମ୍ପତି କହିଛନ୍ତି। ସେମାନଙ୍କ ଏହି ମାନବୀୟ କାର୍ଯ୍ୟକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି।

Comments are closed.