ପଶ୍ଚିମ ଓଡ଼ିଶା ଅବସ୍ଥା ସଙ୍ଗୀନ, ଦିନକରେ ୧୫୪୯ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର: କରୋନାର ଦ୍ବିତୀୟ ଲହରରେ ପଶ୍ଚିମ ଓଡ଼ିଶା ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ଭୟଙ୍କର ଭାବେ କରୋନା କବଳିତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମାକୁ ଲାଗି ରହିଥିବା ଓଡ଼ିଶାର ୧୦ ଜିଲାରେ ପ୍ରତିଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ପରିସ୍ଥିତି ଦିନକୁଦିନ ଭୟାବହ ହେବାରେ ଲାଗିଛି। ଗୁରୁବାର ରାଜ୍ୟରେ ଚିହ୍ନଟ ୨୯୮୯ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୧୫୪୯ ଜଣ ରହିଛନ୍ତି। ଗତ କେଇଦିନ ହେବ ସୁନ୍ଦରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ବେଶୀ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ରାଜ୍ୟର ସର୍ବାଧିକ ୬୩୧ ଜଣ ଚିହ୍ନଟ ହେବା ସଂକ୍ରମଣ ସ୍ଥିତିର ଭୟାବହତାକୁ ସୂଚାଉଛି। ସୁନ୍ଦରଗଡ଼ ପରେ କଳାହାଣ୍ଡିରେ ୨୬୦, ନୂଆପଡ଼ାରେ ୧୫୧, ସମ୍ବଲପୁରରେ ୧୪୮, ବରଗଡ଼ରେ ୧୨୬, ବଲାଙ୍ଗୀରରେ ୧୧୦, ଝାରସୁଗୁଡ଼ାରେ ୮୪, ଦେବଗଡ଼ରେ ୨୩, ବୌଦ୍ଧରେ ୧୦ ଓ ସୁବର୍ଣ୍ଣପୁରରେ ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୁଣି ବୁଧବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୨୭୭୨ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ୫ ତାରିଖ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିରହିଥିବା ପଶ୍ଚିମ ଓଡ଼ିଶାର ୭ଟି ଜିଲା : ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ରାତି କର୍ଫ୍ୟୁ ଲାଗୁ ହୋଇଛି। ଇତିମଧ୍ୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିବାବେଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ତେବେ, ଶୁକ୍ରବାରରୁ ଉପରୋକ୍ତ ୭ଟି ଜିଲାରେ ରାତ୍ରିକାଳୀନ କର୍ଫ୍ୟୁ (କେବଳ ସହରାଞ୍ଚଳରେ) ସମୟ ପରିବର୍ତ୍ତନ କରି ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରାଯାଇଛି। ଏଥିସହ ଆସନ୍ତା ଶନିବାରରୁ ସପ୍ତାହାନ୍ତ ଦୁଇଦିନିଆ ସଟ୍‌ଡାଉନ (କେବଳ ସହରାଞ୍ଚଳରେ) ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶା​ର ସମସ୍ତ ଜିଲା​‌ରେ ବରିଷ୍ଠ ଆଇଏଏସ ଅଧିକାରୀ କରୋନା ସ୍ଥିତି, ପ୍ରସ୍ତୁତି ଓ ଟୀକାକରଣ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପରେ ଉପରୋକ୍ତ ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି।

କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ଦେଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିର୍ଦେଶ ଅନୁସାରେ ସଂକ୍ରମଣ ପ୍ରଭାବିତ ଅଞ୍ଚଳରେ ଯାଞ୍ଚ ସହ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି, ଆୟୁଷ ଡାକ୍ତରଙ୍କ ସହ ଜିଲା ନିୟନ୍ତ୍ରଣ କକ୍ଷ ଏବଂ ବ୍ଲକ ଆରଆରଟି ଟିମ୍‌କୁ ସକ୍ରିୟ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ସିଏଚ୍‌ସିରେ ଅକ୍ସିଜେନ ସୁବିଧା ସହ ଆଇସୋଲେସନ ସୁବିଧା, ଫେବିପିରାଭିର ଆଦି ଔଷଧ ମହଜୁଦ ଏବଂ କୋଭିଡ ରୋଗୀଙ୍କ ପାଇଁ ଆଇସିୟୁ, ଲେବରରୁମ, ଅପରେସନ ଥିଏଟର, ଡାଏଲିସିସ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି। ସଚିବ ମାନଙ୍କ ତର୍ଜମା ପରେ ଗତ ୧୪ ତାରିଖ ମୁଖ୍ୟ ଶାସନ ସଚିବ ବୁର୍ଲା ଭିମସାର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଆଉ ଏକ କୋଭିଡ ହସପିଟାଲ ୧୦ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲାରୁ ଭିମସାରକୁ ଆସୁଥିବାରୁ ଏହାଦ୍ବାରା ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଶଯ୍ୟା ସହ ମୋଟ ୫୨୫ଟି ଶଯ୍ୟା କରୋନା ସଂକ୍ରମିତଙ୍କ ସକାଶେ ଉପଲବ୍ଧ ହେବ। ଅନ୍ୟପକ୍ଷରେ ଇସ୍ପାତ ସ୍ପେଶାଲିଟି ହସପିଟାଲକୁ ମଧ୍ୟ କୋଭିଡ ହସପିଟାଲରେ ପରିବର୍ତ୍ତିତ କରାଯାଇଛି। ସରକାରଙ୍କ ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ ଦ୍ବାରା କରୋନା ସଂକ୍ରମଣର ଚେନ୍‌କୁ ଭଙ୍ଗ କରାଯାଇପାରିବ ବୋଲି ଆଶା କରାଯାଉଛି।

Comments
Loading...