ଲାଲ ବଳୟରେ ପଶ୍ଚିମର ୯ ଜିଲା

ଉପରମୁହାଁ କରୋନା, ସ୍ଥିତି ଅଣାୟତ୍ତ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଭୟାବହ ରହିଛି। ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାକୁ ନେଇ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରୁ ୯ଟି ଏବେ ଲାଲ ବଳୟ (ଜୋନ)ରେ ଥିବାବେଳେ କେବଳ ଦେବଗଡ଼ ଜିଲା ହଳଦିଆ ବଳୟରେ ରହିଛି। ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଖୁବ୍ ଶୀଘ୍ର ସମସ୍ତ ଜିଲା ଲାଲ ବଳୟକୁ ଆସିଯିବା ଆଶଙ୍କା ପ୍ରକାଶ ପାଉଛି। ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୩୮.୬୫ ପ୍ରତିଶତ ସକ୍ରିୟ ଚିକିତ୍ସାଧୀନ କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ରହିଛନ୍ତି।
ସୋମବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ସକ୍ରିୟ ୧୦୦୩୯ ଜଣ ଚିକିତ୍ସାଧୀନ ଥିବାବେଳେ ସମ୍ବଲପୁରରେ ୪୨୮୭, ବରଗଡ଼ରେ ୪୦୩୩, କଳାହାଣ୍ଡିରେ ୩୫୨୨, ଝାରସୁଗୁଡ଼ାରେ ୨୭୨୮, ବଲାଙ୍ଗିରରେ ୨୫୨୩, ନୂଆପଡ଼ାରେ ୧୯୯୫, ବୌଦ୍ଧରେ ୧୭୫୩, ସୁବର୍ଣ୍ଣପୁରରେ ୧୨୬୩ ଏବଂ ଦେବଗଡ଼ରେ ୭୨୮ ଜଣ ସକ୍ରିୟ ରହିଛନ୍ତି। ଏହି ସମୟରେ ରାଜ୍ୟରେ ୮୫୦୫୪ ଜଣ ସକ୍ରିୟ ଚିକିତ୍ସାଧୀନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ୩୨୮୭୧ ଜଣ ସକ୍ରିୟ ଥିବା ଜଣାପଡ଼ିଛି।

 

ପଶ୍ଚିମ ଓଡ଼ିଶାର ସ୍ଥିତି ଦିନକୁଦିନ ଭୟାବହ ହେଉଛି। ସୋମବାର ରାଜ୍ୟରେ ଚିହ୍ନଟ ୧୦୦୩୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୩୪୮୨ ଜଣ ରହିଛନ୍ତି। ଗତ କିଛିଦିନ ହେବ ସୁନ୍ଦରଗଡ଼ ଜିଲା ଶୀର୍ଷରେ ରହିଛି। ଏହାସହିତ କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୮୨୪ ଜଣ ଚିହ୍ନଟ ହେବାସହ ବରଗଡ଼ରେ ୪୫୦, କଳାହାଣ୍ଡିରେ ୪୩୩, ଝାରସୁଗୁଡ଼ାରେ ୪୧୮, ନୂଆପଡ଼ାରେ ୩୧୧, ସମ୍ବଲପୁରରେ ୩୦୨, ବଲାଙ୍ଗିରରେ ୨୭୪, ବୌଦ୍ଧରେ ୧୮୩, ସୁବର୍ଣ୍ଣପୁରରେ ୧୬୯ ଏବଂ ଦେବଗଡ଼ରେ ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଛତିଶଗଡ଼ ସୀମାବର୍ତ୍ତୀ ପଶ୍ଚିମ ଓଡ଼ିଶାର ୭ଟି ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ଦେଖି ସରକାର ଏପ୍ରିଲ ୫ରୁ ରାତି ଚଳାଚଳ ନିଷିଦ୍ଧ (ନାଇଟ୍ କର୍ଫ୍ୟୁ) ଓ ଏହି ଜିଲା ଗୁଡ଼ିକର କେବଳ ସହରାଞ୍ଚଳରେ ଏପ୍ରିଲ ୧୭ରୁ ଦୁଇଦିନିଅା ସପ୍ତାହାନ୍ତ ବନ୍ଦ (ସଟ୍‌ଡାଉନ) ଘୋଷଣା କରିଥିଲେ। ଏହାପରେ ସାରା ରାଜ୍ୟରେ ଗତ ୫ ତାରିଖରୁ ୧୫ ଦିନ ପାଇଁ ତାଲା ବନ୍ଦ (ଲକ୍‌ଡାଉନ) ଲାଗୁ କରାଯାଇଛି। ତେବେ, କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ। ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାକୁ ଦେଖିଲେ ପଶ୍ଚିମ ଓଡ଼ିଶାର ଉପରୋକ୍ତ ୭ଟି ଜିଲା ସହ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲା ଲାଲ ବଳୟରେ ଥିବାବେଳେ କେବଳ ଦେବଗଡ଼ ଜିଲା ହଳଦିଆ ବଳୟରେ ରହିଛି। କୋଭିଡ ନିୟମାନୁଯାୟୀ ୧ରୁ ୫୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ସବୁଜ ବଳୟ, ୫୦୧ରୁ ୧୦୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ହଳଦିଆ ବଳୟ ଏବଂ ୧୦୦୧ରୁ ଊର୍ଦ୍ଧ୍ବ ସକ୍ରିୟ ଆକ୍ରାନ୍ତ ଥିଲେ ଲାଲ ବଳୟ ଅନ୍ତର୍ଭୁକ୍ତ କରାଯାଉଛି।

Comments are closed.