ବଢ଼ୁଛି କରୋନା ସଂକ୍ରମଣ ଓ ମୃତ୍ୟୁହାର, ବିପଦ ବଳୟରେ ପଶ୍ଚିମ ଓଡ଼ିଶାର ୭ ଜିଲା

ସମ୍ବଲପୁର : କରୋନାର ଦ୍ବିତୀୟ ଲହରରେ ସବୁଠୁ ବେଶୀ ପ୍ରଭାବିତ ପଶ୍ଚିମ ଓଡ଼ିଶା। ମୁଖ୍ୟତଃ ପଡ଼ୋଶୀ ଛତିଶଗଡ଼ ସୀମାବର୍ତ୍ତୀ ୭ଟି ଜିଲାରେ ସ୍ଥିତି ଭୟାବହ ହେବାରେ ଲାଗିଛି। ପ୍ରତିଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉପରୋକ୍ତ ୭ ଜିଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ରାତି ଚଳାଚଳ ନିଷିଦ୍ଧ ହୋଇଥିବାବେଳେ ଏହି ଜିଲା ଗୁଡ଼ିକର କେବଳ ସହରାଞ୍ଚଳରେ ସରକାର ଦୁଇଦିନିଅା ବନ୍ଦ ଲାଗୁ କରିଛନ୍ତି। ଗୁରୁବାର ରାଜ୍ୟରେ ଚିହ୍ନଟ ୬୧୬୪ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୨୫୫୨ ଜଣ ରହିଛନ୍ତି। ଗତ କିଛିଦିନ ହେବ ସୁନ୍ଦରଗଡ଼ ସବୁ ସମୟରେ ଶୀର୍ଷରେ ରହୁଥିବାବେଳେ ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହୁଛି। ଆଜି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ା ଜିଲାରୁ ୪୫୯ ଜଣ ଚିହ୍ନଟ ହେବାସହ କଳାହାଣ୍ଡିରେ ୪୫୨, ସୁନ୍ଦରଗଡ଼ରେ ୪୨୭, ଝାରସୁଗୁଡ଼ାରେ ୩୫୫, ବରଗଡ଼ରେ ୨୩୬, ସମ୍ବଲପୁରରେ ୨୨୯, ବଲାଙ୍ଗିରରେ ୨୨୬, ସୁବର୍ଣ୍ଣପୁରରେ ୯୯, ବୌଦ୍ଧରେ ୩୮ ଏବଂ ଦେବଗଡ଼ରେ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ଲହରରେ ମୃତ୍ୟୁହାର ବଢ଼ିଛି। ତେବେ, ସରକାରୀ ଭାବେ ମୃତ୍ୟୁ ସଂଖ୍ୟା କମ ଦର୍ଶାଯାଉଛି। କୋଭିଡ ପଜିଟିଭ ଚିହ୍ନଟ ହୋଇ ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତିଦିନ ପ୍ରାୟ ୭ରୁ ୧୦ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଗତକାଲି ପର୍ଯ୍ୟନ୍ତ ଭିମସାର କୋଭିଡ ହସପିଟାଲରେ ମୃତ୍ୟୁ ସଂଖ୍ୟା ୩୦୪ ହୋଇଥିବା ସୂଚନା ମିଳିଛି। ସରକାରୀ ଭାବରେ ଗତକାଲି ସୁଦ୍ଧା କରୋନାରେ ସୁନ୍ଦରଗଡ଼ ଜିଲାରେ ୧୮୨ ଜଣ ମୃତ୍ୟୁବରଣ କରିଥିବାବେଳେ ସମ୍ବଲପୁରରେ ୮୦, ବଲାଙ୍ଗିରରେ ୪୭, ବରଗଡ଼ରେ ୪୩, କଳାହାଣ୍ଡିରେ ୩୬, ନୂଆପଡ଼ାରେ ୩୪, ଝାରସୁଗୁଡ଼ାରେ ୨୮, ସୁବର୍ଣ୍ଣପୁରରେ ୨୧, ବୌଦ୍ଧରେ ୧୧ ଓ ଦେବଗଡ଼ରେ ୫ ଜଣ ଚିକିତ୍ସାଧୀନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ବୁଧବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ସକ୍ରିୟ ୫୦୫୫ ଜଣ ଚିକିତ୍ସାଧୀନ ଥିବାବେଳେ ନୂଆପଡ଼ାରେ ୨୧୧୬, ବରଗଡ଼ରେ ୧୭୬୫, କଳାହାଣ୍ଡିରେ ୧୭୬୩, ସମ୍ବଲପୁରରେ ୧୭୦୭, ଝାରସୁଗୁଡ଼ାରେ ୧୫୯୧, ବଲାଙ୍ଗିରରେ ୧୪୫୦, ସୁବର୍ଣ୍ଣପୁରରେ ୨୫୭, ଦେବଗଡ଼ରେ ୧୭୧ ଏବଂ ବୌଦ୍ଧରେ ୧୪୮ ଜଣ ସକ୍ରିୟ ରହିଛନ୍ତି। କୋଭିଡ ନିୟମାନୁଯାୟୀ ୧ରୁ ୫୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ସବୁଜ ଜୋନ, ୫୦୧ରୁ ୧୦୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ହଳଦିଆ ଜୋନ ଏବଂ ୧୦୦୧ରୁ ଊର୍ଦ୍ଧ୍ବ ସକ୍ରିୟ ଆକ୍ରାନ୍ତ ଥିଲେ ଲାଲ ଜୋନର ଅନ୍ତର୍ଭୁକ୍ତ କରାଯାଉଛି। ପଶ୍ଚିମ ଓଡ଼ିଶାର ୭ଟି ଜିଲା ଲାଲ ଜୋନରେ ଥିବାବେଳେ ଅନ୍ୟ ୩ଟି ଜିଲା ସୁବର୍ଣ୍ଣପୁର, ଦେବଗଡ଼ ଓ ବୌଦ୍ଧ ସବୁଜ ଜୋନ୍‌ରେ ଅଛନ୍ତି। ତେବେ, ଯେଭଳି ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁଛି ଶୀଘ୍ର ଏହି ଜିଲା ଗୁଡ଼ିକ ହଳଦିଆ ଜୋନ୍‌କୁ ଚାଲିଯିବେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ସମସ୍ତ ଜିଲା​‌ରେ କରୋନା ସ୍ଥିତିକୁ ଦେଖି କୋଭିଡ ଡାକ୍ତରଖାନା ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଉଛି।

Comments are closed.