କେନ୍ଦ୍ରୀୟ ବିଦ୍ୟାଳୟର ରାଜ୍ୟସ୍ତରୀୟ ପୁରସ୍କାର ସମାରୋହ

ସମ୍ବଲପୁର କେଭି ନଂ-୧ର ଅଧ୍ୟକ୍ଷଙ୍କ ସମେତ ୩ଜଣ ପୁରସ୍କୃତ

ସମ୍ବଲପୁର : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ପ୍ରତି ବର୍ଷ ପ୍ରଦତ୍ତ ଆଞ୍ଚଳିକ ପ୍ରୋତ୍ସାହନ ପୁରସ୍କାର – ୨୦୧୯ରେ ଚଳିତ ବର୍ଷ ସମ୍ବଲପୁରର କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ବିପୁଳ ସଫଳତା ମିଳିଛି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଅଧିନସ୍ଥ ଭୂବନେଶ୍ୱର ରିଜନ୍ ଅର୍ନ୍ତଗତ ୬୨ଟି କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା ହୋଇଥାଏ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ସଫଳତା ହାର, ବିଭିନ୍ନ କ୍ରୀଡା ଓ ଅନ୍ୟାନ୍ୟ ଗତିବିଧିରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପ୍ରଦର୍ଶନ ଆଦି ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗିତା ପ୍ରଥମେ ଆଞ୍ଚଳିକ ସ୍ତରରେ ହୁଏ। ଏହା ପରେ ଏହି ପ୍ରତିଯୋଗିତାରେ କୃତୀ ବିଦ୍ୟାଳୟ, ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଯାଞ୍ଚ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ନୁଆଦିଲ୍ଲୀ ଦ୍ୱାରା କରାଯାଇଥାଏ। ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷାଦାନ ସହିତ ଅନ୍ୟାନ୍ୟ ଗତିବିଧିରେ ନିପୁଣ କରାଉଥିବା ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆଞ୍ଚଳିକ ପ୍ରୋତ୍ସାହନ ପୁରସ୍କାର– ୨୦୧୯ ୧୭ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜଣକୁ କେଭିଏସ ମେଡାଲ ଅଫ ମେରିଟ ଆୱାର୍ଡ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନସ୍ଥ ବିଦ୍ୟାଳୟମାନଙ୍କର ଅଧ୍ୟକ୍ଷମାନଙ୍କ ବର୍ଗରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ମନିଷ କୁମାର ଶ୍ରୀବାସ୍ତବଙ୍କୁ ଏକମାତ୍ର ଅଧ୍ୟକ୍ଷ ଭାବରେ ଏହି ପୁରସ୍କାର ମିଳିଛି। ସେହିଭଳି କେଭି ନଂ୧ର ଶିକ୍ଷୟିତ୍ରୀ ଅଜନ୍ତା ପଣ୍ଡା ଓ ଆସିଷ୍ଟାନ୍ଟ ସେକ୍ସନ ଅଫିସର ଡମ୍ବରୁଧର ଘଢ଼େଇ ଏହି ପୁରସ୍କାର ପାଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଭୁବନେଶ୍ୱର ଦ୍ୱାରା ଶୁକ୍ରବାର ଦିନ ଜିକେସିଏମ ଅଡିଟୋରିୟମ ଠାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପୂର୍ବତନ ରାଜ୍ୟ ସୂଚନା କମିଶନର ଧିରେନ୍ଦ୍ର ନାଥ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଡେପୁଟି କମିଶନର ଏସ. କେ. ଚୋପଦାରଙ୍କ ମଧ୍ୟ ଉପସ୍ଥିତି ଥିଲେ।

ସୂଚନା ଯୋଗ୍ୟ, କେଭି ନଂ ୧ର ଅଧ୍ୟକ୍ଷ ମନିଷ ସମ୍ବଲପୁରର ପ୍ରିନ୍ସିପାଲ ଭାବରେ ୩୧ ଡିସେମ୍ବର ୨୦୧୫ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୦୨ ମସିହାରେ କେଭିରେ ଯୋଗଦାନ କରିଥିବା ମନିଷ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟ କରିବା ସହିତ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ, କାଠମାଣ୍ଡୁ (ନେପାଳ)ରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସମ୍ବଲପୁର କେଭି ନଂ ୧ରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଳ ସଫଳତା ହାସଲ କରିବା ସହିତ ବିଭିନ୍ନ ପାରିପାର୍ଶ୍ବିକ ଗତିବିଧିରେ ମଧ୍ୟ ସଫଳତା ଅର୍ଜନ କରିଆସୁଛନ୍ତି। ବିଦ୍ୟାଳୟ ଆଞ୍ଚଳିକସ୍ତରର ଯୁବ ପାର୍ଲାମେଣ୍ଟ ପ୍ରତିଯୋଗୀତାରେ ପ୍ରଥମ ଓ ଜୋନାଲ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଛାତ୍ରଛାତ୍ରୀମାନେ ନୁଆଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି। ସେହିଭଳି ୨୦୧୬ – ୧୭ରେ ବିଦ୍ୟାଳୟକୁ ‘ହରିତ ବିଦ୍ୟାଳୟ’ ଓ ୨୦୧୭ – ୧୮ ରେ ‘ସ୍ୱଚ୍ଛ ବିଦ୍ୟାଳୟ’ର ମାନ୍ୟତା କେଭିଏସ ଭୁବନେଶ୍ୱର ଦ୍ୱାରା ମାନ୍ୟତା ପ୍ରଦାନ କରାଯାଇଥିଲା। ରାଜ୍ୟରେ ସର୍ବାଧିକ ପୁରସ୍କାର ଲାଭ କରିଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସବୁ ମହଲରେ ଖୁସିବ୍ୟକ୍ତ କରାଯାଇଛି। ଏଣୁ ଅଧ୍ୟକ୍ଷ ମନିଷ ଶ୍ରୀବାସ୍ତବଙ୍କ ସମେତ ଅଜନ୍ତା ଓ ଡମ୍ବରୁଧରଙ୍କୁ ସବୁମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Comments are closed.