ସମ୍ବଲପୁରରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ

ସମ୍ବଲପୁର : ସମ୍ବଲପୁରର ରିର୍ଜଭ ପୁଲିସ ଲାଇନ ପଡିଆ ଠାରେ ଗୁରୁବାର ସକାଳ ୮ଟାରେ ଜିଲାସ୍ତରୀୟ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁଲିସ ବାହିନୀର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆଇଜି ଭୋଳ ୮୬ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣାଇଥିଲେ। ଏହା ସହିତ ଆଜିର ଦିନରେ ଏକ ସଂକଳ୍ପ ନେବାର ଆବଶ୍ୟକତା ରହିଛି ଯେ ଜନତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଜନତାଙ୍କୁ ସହାନୁଭୂତି ଓ ସମବେଦନା ପ୍ରଦର୍ଶନ କରି ସେମାନେ ଥାନାକୁ ନେଇ ଆସୁଥିବା ଅଭିଯୋଗ ଗୁଡିକୁ ଦୂର କରିବା ପାଇଁ  ନିରପେକ୍ଷ ଓ ନିର୍ଭିକ ଭାବରେ ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ଆଇଜି ଭୋଳ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର, ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଓ ସମ୍ବଲପୁର ବନଖଣ୍ଡ ଅଧିକାରୀ ଡ. ସଞ୍ଜିତ କୁମାର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ୨୦୨୦ ବର୍ଷରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରେଙ୍ଗାଲି ଥାନାଧିକାରୀ ତଥା ଏସଆଇ ଧବଳେଶ୍ୱର ସାହୁ, ଏଏସଆଇ କୈଳାଶ ଚନ୍ଦ୍ର ପ୍ରଧାନ, ଟ୍ରାଫିକ କନେଷ୍ଟବଳ ନୀଳୟ ଗଡନାୟକ, କନେଷ୍ଟବଳ ସୁରେଶ ଓରାମ, କାର୍ତ୍ତିକ ପ୍ରଧାନ ଓ ହାବିଲଦାର କାର୍ତ୍ତକ ଚନ୍ଦ୍ର ବାରିକଙ୍କୁ ମାନପତ୍ର ଓ ନଗଦ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ମଞ୍ଚ ପରିଚାଳନା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା କରିଥିବା ବେଳେ କାର୍ଯ୍ୟକ୍ରମକୁ ରିର୍ଜଭ ପୁଲିସ ଇନିସ୍ପକ୍ଟେର ମଧୁସୁଦନ ମହାପାତ୍ର ପରିଚାଳନା କରିଥିଲେ।

Comments are closed.