ସମ୍ବଲପୁରରେ ଛୁରାମାଡ, ଜଣେ ଆହତ

ନାମକୁ ମାତ୍ର ଆଇନ ଶୃଙ୍ଖଳା !

ସମ୍ବଲପୁର: ସମ୍ବଲପୁରରେ ଛୁରାମାଡ଼ । ନୂଆବର୍ଷ ଅର୍ଥାତ୍ ୨୦୨୨ ପ୍ରଥମଦିନରେ ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ ଓ ଛୁରାମାଡ ହୋଇଛି । ସୂଚନାନୁଯାୟୀ, ଟାଉନ ଥାନା ଅର୍ନ୍ତଗତ ଚେରୁଆପଡା ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକ ଆହତ ହୋଇଛନ୍ତି । ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଚେରୁଆପଡାର ପ୍ରଥମ ବିଶ୍ୱାଳ ନାମକ ଜଣେ ଯୁବକ କୌଣସି ଏକ କାମରେ ଯାଇ ଘରକୁ ଫେରୁଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ ଆରମ୍ଭ ହୋଇଥିଲା । ଏହି ସମୟରେ ଦଳେଇପଡା ନିବାସୀ ଜଣେ ଯୁବକ ଅଚାନକ ଏକ ଧାରୁଆ ଅସ୍ତ୍ରରେ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ କରି ପେଟରେ ଭୂସି ଦେଇଥିଲେ । ଫଳରେ ବିଶ୍ୱାଳ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ ।

ଏହା ପରେ ଆକ୍ରମଣକାରୀ ଗୋଷ୍ଠୀ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଘଟଣା ସର୍ମ୍ପକରେ ଜାଣି ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ମାମଲାରେ ସଂପୃକ୍ତ ଦଲେଇପଡା ନିବାସୀ ମୁଖ୍ୟ ଅଭିଯୁକ୍ତ ଯୁବକ ଓ ଅନ୍ୟ ଜଣେ ସାଥିଙ୍କୁ ପୁଲିସ ଅଟକ ରଖିଥିବା କହିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୁଲିସ ବିଭନ୍ନ ସ୍ଥାନରେ ଚଢ଼ଉ କରୁଥିବାର ଜଣାପଡିଛି ।

ତେବେ ଗତକାଲି ପୂର୍ବାହ୍ନ ସମୟରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଯୁବକ ସଂଘ ଦାବିପତ୍ର ପ୍ରଦାନ କରି ସହରର ଆଇନ ଶୃଙ୍ଖଳା ଉପରେ ଉଦବେଗ ପ୍ରକାଶ କରି ବିହିତ ପଦକ୍ଷେପ ନିଆଯିବା ପାଇଁ ଦାବି କରିବାର ମାତ୍ର ୫ ଘଣ୍ଟା ମଧ୍ୟରେ ଛୁରାମାଡ ଘଟଣା ଘଟିଛି ।

Comments are closed.