ପ୍ରଭାବିତ ହେବ ଶୀତଳଷଷ୍ଠୀ, ଆୟୋଜକଙ୍କ ଉତ୍ସାହ ଫିକା

ସମ୍ବଲପୁର:  ସାରା ଦେଶରେ ବୃଦ୍ଧି ହୋଇ ଚାଲିଥିବା କୋଭିଡ ପ୍ରକୋପ କ୍ରମରେ ସମ୍ବଲପୁରରେ ମଧ୍ୟ ଏହାର ଗତି ଥମିବାର ନାମ ଧରୁ ନାହିଁ। ଏଭଳି ସ୍ଥିତିରେ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା କେମିତି ହେବ ତାକୁ ନେଇ ଚାରି ଆଡେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟ ତିଥି ରହିଥିବା ବେଳେ ଏହି ଦିନରେ ଐତିହ୍ୟ ପରମ୍ପରାନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯ୍ୟକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ କରାଯିବ। ଥାଳ ଉଠାରୁ ଦେବ ଦମ୍ପତିଙ୍କ ନଗର ପରିକ୍ରମା ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ବିଭିନ୍ନ ଶିବାଳୟ ଗୁଡିକରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ବହୁ ଧୁମାଧାମ ଓ ଚାକଚକ୍ୟରେ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଧାର୍ମିକ ଉତ୍ସବ ଗତ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କରୋନା ମହାମାରୀ ଯୋଗୁଁ କେବଳ ରିତିନିତି ଓ ବିଧିରକ୍ଷା ପର୍ଯ୍ୟନ୍ତ ସୀମିତ କରାଯାଇ ମାତ୍ର ହାତଗଣତି ବ୍ୟକ୍ତିଙ୍କ ଉପସ୍ଥିତିରେ ଶିବାଳୟ ଗୁଡିକର ପରିସର ମଧ୍ୟରେ ଦେବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା କରୋନା ସ୍ଥିତି ସଙ୍ଗୀନ ରହିଥିବାରୁ ଚଳିତ ବର୍ଷ ଆୟୋଜକ ମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି। ସ୍ଥିତି ସଙ୍ଗୀନ ରହିଥିବାରୁ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଯାତ୍ରା କମିଟି ଗୁଡିକୁ ନେଇ ଗଠିତ ସମନ୍ୱୟ କମିଟିର କର୍ମକର୍ତ୍ତା ମାନଙ୍କ ସମ୍ମୁଖରେ ଗୋଟିଏ ପଟରେ ମହାମାରୀ ଓ ଅନ୍ୟ ପଟରେ ବିଧି ରକ୍ଷା ଜରୁରି ହୋଇଥିବାରୁ କଣ କରିବେ ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି। ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ଯାତ୍ରା ଆୟୋଜନ ପାଇଁ ଅର୍ଥ ନାହିଁ କି ମନରେ ଉତ୍ସାହ ମଧ୍ୟ ନ ଥିବା ବେଳେ କିନ୍ତୁ ଧାର୍ମିକ ପୂଜା ପରମ୍ପରାକୁ ବଜାୟ ରଖି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ କରିବାକୁ ହିଁ ପଡିବ ବୋଲି ଆୟୋଜକ ମାନେ କହୁଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ସବୁ ସମୟରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ସକ୍ରିୟତାର ସହିତ ସହ ଯୋଗର ହାତ ବଢ଼ାଇ ଆସୁଥିବା ବେଳେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାର ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିବାରୁ କିଭଳି ଏତେ ବଡ ଧାର୍ମିକ ପରମ୍ପରାର ବିଧି ରକ୍ଷା ହେବ, ତାହା ଏକ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି।

ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ କମିଟିର ସଭାପତି ଅମୂଲ୍ୟ ମିଶ୍ର କହିଛନ୍ତି, କରୋନା ସ୍ଥିତି ଭୟାବହ ଥିବା ବେଳେ କୋଟି କୋଟି ଭକ୍ତଜନଙ୍କ ଭାବନା ସହିତ ଜଡିତ ଏହି ଐତିହାସିକ ଧାର୍ମିକ ପରମ୍ପରାକୁ ବଜାୟ ରଖିବା ମଧ୍ୟ ଜରୁରୀ ଅଟେ। ଚଳିତ ବର୍ଷ ସ୍ଥିତି ଜଟିଳ ଥିବାରୁ ଅତ୍ୟନ୍ତ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଧି ରକ୍ଷା କରାଯାଇ ମନ୍ଦିର ମଧ୍ୟରେ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରାଯିବ ବୋଲି ଅମୂଲ୍ୟ ମିଶ୍ର କହିଛନ୍ତି।

ନନ୍ଦପଡା ବଂ ବରାଡ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସମୀର ରଞ୍ଜନ ବାବୁ କହିଛନ୍ତି , କରୋନା ପାଇଁ କେବଳ ବିଧି ରକ୍ଷାରେ ଚଳିତ ବର୍ଷର ଦେବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଧାର୍ମିକ ପରମ୍ପରାକୁ ବଜାୟ ରଖିବା ପାଇଁ ଆବଶ୍ୟକ ଅର୍ଥ ଶ୍ରଦ୍ଧାଳୁଙ୍କ ସହଯୋଗ ରାଶି ଜରିଆରେ ସଂଗ୍ରହ କରାଯାଉଥିବା ବେଳେ ପ୍ରଶାସନ ତରଫରୁ ମିଳୁଥିବା ସହ ଯୋଗ ରାଶି ବିଗତ ୩ ବର୍ଷ ହେବ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ନିକଟକୁ ଯାଇ ସହଯୋଗ ରାଶି ସଂଗ୍ରହର କୌଣସି ସୁଯୋଗ ନ ଥିବା ବେଳେ ଚଳିତ ବିଧି ରକ୍ଷା କରିବା କଷ୍ଟକର ହୋଇ ପଡୁଛି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନର ସହିତ ସମନ୍ୱୟ ରକ୍ଷା କରି ସୀମିତ ଲୋକଙ୍କ ମଧ୍ୟରେ ଦେବ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇ ବିଧି ରକ୍ଷା କରାଯିବ।

ଏ ସର୍ମ୍ପକରେ ଝାଡୁଆପଡାର ଶ୍ରୀ ଶ୍ରୀ ଲୋକନାଥ ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସୁଶାନ୍ତ ପୁରୋହିତ କହିଛନ୍ତି , ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଜଟିଳ ରହିଛି। ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଦେବ ବିବାହକୁ ରିତିନିତି ଅନୁଯାୟୀ ଶେଷ କରାଯିବ। ଥାଳ ଉଠା କାର୍ଯ୍ୟକ୍ରମ ଅତି ସୀମିତ କରାଯାଇଛି। ଏକ ମାସ ପରେ ଦେବ ବିବାହ କାର୍ଯ୍ୟକ୍ରମକୁ ସେ ସମୟରେ ସ୍ଥିତିକୁ ଆକଳନ କରାଯାଇ ଏବଂ ପ୍ରଶାସନ ସହିତ ଆଲୋଚନା କରି ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ମୋଦିପଡା ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ବରିଷ୍ଠ ସଦସ୍ୟ ସୁନୀଲ ଦାଶ କହିଛନ୍ତି, ଏବେ ଥାଳ ଉଠା କାର୍ଯ୍ୟକ୍ରମକୁ କମ ଲୋକଙ୍କ ମଧ୍ୟରେ କରାଯିବାକୁ ନିଷ୍ପତ୍ତି ନେଇଛୁ। ଏ ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରଶାସନ ତରଫରୁ କୌଣସି ପ୍ରକାରର ସୂଚନା ଦିଆଯାଇ ନ ଥିବା ବେଳେ ଆମେ ଆମର ସାମାଜିକ ଓ ଧାର୍ମିକ ଦାୟିତ୍ୱକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛୁ। ଥାଳ ଉଠା କାର୍ଯ୍ୟକ୍ରମ ପରେ କରୋନା ସ୍ଥିତିକୁ ଆଗାମୀ ଦିନରେ ଆକଳନ କରାଯାଇ ପ୍ରଶାସନର ମାର୍ଗଦର୍ଶିକା ଅନୁଯାୟୀ ପରବର୍ତ୍ତି କାର୍ଯ୍ୟର ରୂପରେଖ ନିର୍ଦ୍ଧାରଣ କରାଯିବ।

Comments are closed.