ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ କରାଯିବ କୋଭିଡ ହସ୍ପିଟାଲ

ସାଧାରଣ ରୋଗୀଙ୍କ ପାଇଁ ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା : ଜିଲା ପ୍ରଶାସନ

ସମ୍ବଲପୁର : କରୋନା ମହାମାରୀ ବିଶ୍ୱବ୍ୟାପି ପ୍ରକୋପ ଜାରି ରଖିଥିବା ବେଳେ ଭାରତରେ ଏହାକୁ ପ୍ରତିହିତ କରିବା ପାଇଁ ଲକ ଡାଉନ ସହିତ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହା ସହିତ ଦେଶ ତଥା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଣୁ ରାଜ୍ୟ ସରକାର ସମସ୍ତ ଜିଲାରେ ଅତିକମରେ ଗୋଟିଏ ଲେଖାଏଁ କୋଭିଡ -୧୯ ହସ୍ପିଟାଲ ନିର୍ମାଣ କରୁଛନ୍ତି। କିଛି ଜିଲାରେ କୋଭିଡ – ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ସମ୍ବଲପୁର ସମେତ ଆଉ କିଛି ଜିଲାରେ ଏହି କାର୍ଯ୍ୟ ଜୋରସୋରରେ ଚାଲିଛି। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ସାଧାରଣ ରୋଗୀ ସେବାକୁ ବନ୍ଦ କରାଯାଇ ତାକୁ ଏବେ କୋଭିଡ – ୧୯ ହସ୍ପିଟାଲରେ ପରିବର୍ତ୍ତିତ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ସାଧାରଣ ରୋଗୀ ସେବାକୁ ବନ୍ଦ କରାଯାଇ କୋଭିଡ ହସ୍ପିଟାଲ ନିର୍ମାଣକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଏହା ସହିତ ପ୍ରଶାସନର ଏହି ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରାଯାଇ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ କରାଯାଇଛି।

ତେବେ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ -୧୯ ହସ୍ପିଟାଲରେ ପରିବର୍ତ୍ତିତ କରିବା ସର୍ମ୍ପକରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ତାର ଅସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ସୁର୍ଯ୍ୟନାରାୟଣ ଦାଶ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶଶିଭୂଷଣ ପଟେଲ ଏବଂ ଭାରପ୍ରାପ୍ତ ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅଧିକାରୀ ସୁକାନ୍ତ ତ୍ରିପାଠୀ କହିଛନ୍ତି ଯେ, ଖୁବ ଶିଘ୍ର ସମ୍ବଲପୁରରେ କୋଭିଡ – ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଯେ, ମୁଖ୍ୟ ଚିକିତ୍ସାଳୟକୁ କୋଭିଡ – ୧୯ ହସ୍ପିଟାଲରେ ପରିବର୍ତ୍ତିତ କରାଯାଉଥିବାରୁ ଲୋକଙ୍କ ଅସୁବିଧା ନ ହେବା ପାଇଁ ସହର ମଧ୍ୟରେ ରହିଥିବା ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବହୁ ବର୍ଷ ହେବ ବନ୍ଦ ହୋଇ ପଡି ରହିଥିବା ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରକୁ ପୁର୍ନବାର କାର୍ଯ୍ୟକ୍ଷମ କରାଯାଇ ସାରିଛି। ଏହି କେନ୍ଦ୍ରରେ ଶିଶୁ ଓ ମାଁର ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଇତି ମଧ୍ୟରେ ଗୋଟିଏ ଛୁଆର ଜନ୍ମ ମଧ୍ୟ ସେଠାରେ ହୋଇସାରିଛି। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଏହି କେନ୍ଦ୍ରରେ ଅସ୍ତ୍ରୋପଚାରର ବ୍ୟବସ୍ଥା ମଧ୍ୟ ଚାଲୁ ହୋଇଯିବ। ସେହିଭଳି ସାଧାରଣ ରୋଗୀ ସେବା ପାଇଁ ସହର ମଧ୍ୟରେ ଅଇଁଠାପାଲୀ, କ୍ଷେତରାଜପୁର, ଧନକଉଡା, ଧନୁପାଲୀରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର କାର୍ଯ୍ୟ ସମୟକୁ ବୃଦ୍ଧି କରାଯାଇଛି। ମାତୃମଙ୍ଗଳ କେନ୍ଦ୍ର ଓ ଅଇଁଠାପାଲୀ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜନତାର ସୁବିଧା ପାଇଁ ୨୪ ଘଣ୍ଟିଆ କରାଯାଇଛି। ସେହିଭଳି କ୍ଷେତରାଜପୁର, ଧନକଉଡା, ଧନୁପାଲୀରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଚାଲୁ ରହିଛି। ଜିଲା ଅନ୍ୟ ସ୍ଥାନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ କରିବେ। ମାତୃମଙ୍ଗଳ କେନ୍ଦ୍ର ଛଡା ବାକି ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ରହିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ପଟେଲ କହିଛନ୍ତି।

ସାଧାରଣ ରୋଗୀଙ୍କୁ ସେବା ଯୋଗାଇ ଦେବା ସର୍ମ୍ପକରେ ଅତିରିକ୍ତ ଜିଲାପାଳ ସୁର୍ଯ୍ୟ ନାରାୟଣ ଦାଶ କହିଛନ୍ତି ଯେ, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାକି ସମସ୍ତ ଚିକିତ୍ସାଳୟ ଗୁଡିକରେ ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ସବୁ ସମୟରେ ଉପଲବ୍ଧ ରହିବ। କୌଣସି ରୋଗୀ ଯଦି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସଛୁନ୍ତି ତାହା ହେଲେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବ। ସେହିଭଳି ବାକି ଚିକିତ୍ସାଳୟ ଗୁଡିକରେ ମଧ୍ୟ ଆବଶ୍ୟକସ୍ଥଳରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ବୁର୍ଲା ଭିମସାର ନିଆଯିବାର ବ୍ୟବସ୍ଥା କରାଯାଇଛି। ଏବେ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଚିକିତ୍ସାଳୟ ଗୁଡିକରେ ରୋଗୀ ଡାକ୍ତରଙ୍କୁ ଦେହ ଦେଖାଇ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପରାମର୍ଶ ନେଇ ପାରିବେ। ଯଦି କୌଣସି ପ୍ରକାରର ଟେଷ୍ଟ, ସର୍ଜରୀ, ହୃଦରୋଗ, କର୍କଟ, ଅସ୍ଥିଶଲ୍ୟ ଆଦି ସେବା ପାଇଁ ରୋଗୀଙ୍କୁ ବୁର୍ଲା ଭିମସାରକୁ ଯିବାକୁ ପଡିବ। ଏବେ ଏହି ଆପଦା ସମୟରେ କରୋନାକୁ ମୁକାବିଲା କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଥିବାରୁ ସାଧାରଣ ରୋଗୀ ସେବାରେ କିଛି ଅସୁବିଧା ହୋଇ ପାରେ, କିନ୍ତୁ ତାକୁ ଆମେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସେହି ଅସୁବିଧା ଗୁଡିକୁ ଦୂର କରିବା ପାଇଁ ଚେଷ୍ଟା କରୁଛୁ। ଆବଶ୍ୟକ ସ୍ଥଳରେ ଭିମସାରରୁ ଅତିରିକ୍ତ ଡାକ୍ତର ଆସି ସେବା ଯୋଗାଇ ଦେବେ ବୋଲି ଅତିରିକ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ କହିଥିଲେ। ତେବେ ଘଞ୍ଚ ଜନବସତି ମଧ୍ୟରେ କୋଭିଡ ହସ୍ପିଟାଲର ନିର୍ମାଣ, ସାମାଜିକ ସଂକ୍ରମଣ ରୋକିବାକୁ କଣ ପଦକ୍ଷେପ ନିଆଯାଇଛି, ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ କଣ କଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଜିଲା ପ୍ରଶାସନ କେତେ ଦିନ ପର୍ଯ୍ୟନ୍ତ ଏହି ବିକଳ୍ପ ବ୍ୟବସ୍ଥା ନେଇ ସାଧାରଣ ରୋଗୀ ସେବା ଜାରି ରଖିବ ଆଦି ପ୍ରଶ୍ନକୁ ଅଧିକାରୀ ମାନେ ଏଡାଇ ଯାଇଥିଲେ। ସେହିଭଳି କରୋନା ସର୍ମ୍ପକରେ ବାକି ଜିଲା ମାନଙ୍କରେ ଅପଡେଟ ଗଣମାଧ୍ୟମକୁ ଦିଆଯାଉଥିବା ବେଳେ କଣ ପାଇଁ ସମ୍ବଲପୁରରେ ତାହା ଦିଆଯାଉ ନାହିଁ ପ୍ରଶ୍ନ କରାଯିବାରୁ ଆଗାମୀ ଦିନରେ ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ବିପଦ ଆସିବା ପରେ ପ୍ରଥମ ଥର ପାଇଁ ଗୁରୁବାର ଜିଲା ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

Comments are closed.