କରୋନା ମୁକାବିଲା ପାଇଁ ସବୁ ଧର୍ମ ଏକାଠି

ସମ୍ବଲପୁର (ବିରାଜ ମିଶ୍ର) : ଭାରତରେ ବିଶ୍ୱର ପ୍ରାୟ ସବୁ ଧର୍ମର ଲୋକ ମିଳିତ ଭାବରେ ବସବାସ କରିଥାନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତ୍ୱ। କୋଟି କୋଟି ଲୋକ, ଶହ ଶହ ଭାଷା, ବିଭିନ୍ନ ଧର୍ମର ଲୋକେ ଏକାଠି ବସବାସ କରୁଥିବା ବେଳେ କୌଣସି ବିପଦ ଯଦି ଦେଶକୁ ଆସିଥାଏ, ତାହା ହେଲେ ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିଥାନ୍ତି। ଏବେ ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଭାରତବାସୀ ଏକତ୍ର ହୋଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମରେ ନିଜକୁ ନିଜେ ଲକ ଡାଉନ କରି ରଖିବା ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏବେ ସବୁ ଧର୍ମର ଲୋକେ ଧର୍ମରୁ ଉର୍ଦ୍ଧକୁ ଉଠି ମାନବତାକୁ ସବୁଠାରୁ ବଡ ଧର୍ମ ଭାବରେ ବିବେଚନା କରି ନିଜ ସାମର୍ଥ୍ୟ ଅନୁଯାୟୀ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି।

ଅମ୍ବିକା ରାୟ, ମୁଖ୍ୟ ପୂଜକ, ମାଁ ସମଲେଶ୍ୱରୀ ମନ୍ଦିର, ସମ୍ବଲପୁର

  • କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ମନ୍ଦିରକୁ ଭକ୍ତ ମାନଙ୍କ ଦର୍ଶନ ପାଇଁ ବନ୍ଦ କରାଯାଇଛି। ତେବେ ମନ୍ଦିରର ଦୈନନ୍ଦିନ ପୂଜାର୍ଚ୍ଚନା ନିତି ଅନୁଯାୟୀ ନିୟମିତ ଭାବରେ ଚାଲୁ ରହିଛି। କେବଳ ପୂଜକ ମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମାଁଙ୍କ ଦୈନନ୍ଦିନ ନିତିବିଧିକୁ ସମ୍ପନ୍ନ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ସମସ୍ତଙ୍କୁ ଏବେ ଘରେ ରହିବାକୁ ଆମେ ଆହ୍ୱାନ କରି ଆସୁଛୁ। ନବରାତ୍ର ଚାଲିଥିବାରୁ ସାଧାରଣତଃ ମନ୍ଦିରରେ ବହୁ ଭିଡ ହୋଇଥାଏ। କିନ୍ତୁ ଏହି ବୈଶ୍ୱିକ ବିପଦକୁ ଦୃଷ୍ଟିରେ ରଖି ସମସ୍ତ ଭକ୍ତଙ୍କୁ ଘରୁ ଥାଇ ମାଁ ଙ୍କ ଆରାଧନା କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ମହାମାରୀକୁ ହରାଇବା ପାଇଁ ଆମେ ଅଖଣ୍ଡ ଦୀପ ମାଁ ଙ୍କ ସମ୍ମୁଖରେ ପ୍ରଜ୍ୱଳିତ କରିଛୁ। ଏହି ମହାମାରୀ ଶିଘ୍ରରୁ ଅତି ଶିଘ୍ର ମୂଳରୁ ନାଶ ହେଉ ବୋଲି ପ୍ରତ୍ୟହ ମାଁ ଙ୍କ ନିକଟରେ ପ୍ରାର୍ଥନା କରାଯାଉଛି। ମୋର ଦୃଢ଼ ଆଶା ଯେ ଖୁବ ଶିଘ୍ର ଏହି ବିପଦ ମାଁଙ୍କ କୃପାରୁ ଟଳି ଯିବ।

ନରେନ୍ଦ୍ର ର୍ଭୁଜୀ, ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ ପ୍ରଧାନ, ସମ୍ବଲପୁର

  • ଏବେ କରୋନା ପାଇଁ ସରକାରୀ ନିର୍ଦ୍ଦେଶାନୁଯାୟୀ ଗୁରୁଦ୍ୱାରାକୁ ସର୍ବସାଧାରଣଙ୍କ ପାଇଁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି। କେବଳ ଗୁରୁଦ୍ୱାରାରେ ରହିଥିବା ଗ୍ରନ୍ଥି ମାନଙ୍କ ଦ୍ୱାରା ନିତିଦିନ କାର୍ଯ୍ୟକ୍ରମ ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଛି। କମିଟୀ ତରଫରୁ ଅସହାୟ ମାନଙ୍କୁ ଚିହ୍ନଟ କରାଯାଇ ନିୟମିତ ଖାଦ୍ୟ ଥଳୀ ପ୍ରଦାନ କରାଯାଉଛି, ଯାହା ଦ୍ୱାରା କି ସେମାନେ ଏକ ସପ୍ତାହ ପର୍ଯ୍ୟନ୍ତ ଭୋକିଲା ରହିବେ ନାହିଁ। ଶିଖ ସମୁଦାୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ହାତ ଧୁଆ ବେସିନ ଓ ପାଣି ଟାଙ୍କି ସହିତ ଷ୍ଟେସନ ନିର୍ମାଣ କରାଯାଇଛି। ଏହି ହାତୁଧୁଆ ଷ୍ଟେସନ ଗୁଡିକୁ ଗୋଲବଜାର, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବସୁଥିବା ବଜାର, ଆଦି ଅଞ୍ଚଳରେ ମଙ୍ଗଳବାର ଲଗାଯିବ। ଏହି ଷ୍ଟେସନ ଗୁଡିକରେ ସର୍ବ ସାଧାରଣଙ୍କ ହାତ ଧୋଇବା ପାଇଁ ପାଣି ଓ ସାବୁନ ମଧ୍ୟ ଯୋଗାଇ ଦିଆଯିବ। ସାମାଜିକ ଦାୟିତ୍ୱକୁ ନିର୍ବାହ କରି ଏହି ଆପଦା ସମୟରେ କରାଯାଉଥିବା ସମସ୍ତ ଖର୍ଚ୍ଚ କମିଟୀ ତରଫରୁ କରାଯାଉଛି। ଏହି ସେବା କାର୍ଯ୍ୟ କରୋନା ବିପଦ ଟଳିବା ପର୍ଯ୍ୟନ୍ତ କରାଯିବ।

ମୌଲାନା କାସିଫ ରାଜା, ସମ୍ବଲପୁର

  • କରୋନା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶକୁ ସମସ୍ତେ ପାଳନ କରନ୍ତୁ ବୋଲି ସମସ୍ତ ମସଜିଦରୁ ଘୋଷଣା କରାଯାଉଛି। ଏଥିପାଇଁ ସମସ୍ତ ମସଜିଦ କମିଟୀ ମାନଙ୍କ ତରଫରୁ ମିଳିତ ଭାବରେ ନିଷ୍ପତ୍ତି ନିଆଯାଇ ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ସମାଜର ସମସ୍ତଙ୍କୁ ପରାମର୍ଶ ବାରମ୍ବାର ଦିଆଯାଉଛି। ମସଜିଦରୁ ଅଜାନ ଡାକବାଜି ଯନ୍ତ୍ର ମାଧ୍ୟମରେ ଶୁଣିବା ପରେ ନିଜ ଘରେ ରହି ନମାଜ ପାଠ କରିବାକୁ ସମସ୍ତଙ୍କୁ କୁହାଯାଇଛି। ନମାଜ ପାଠ କରିବା ପାଇଁ ମସଜିଦକୁ ଆସିବା ପାଇଁ ମନା କରାଯାଇଛି। ତେବେ ମସଜିଦର ରିତିନିତି ନିୟମିତ ଭାବରେ ପାଳନ କରାଯାଉଛି। ଲକ ଡାଉନ କରାଯାଇଥିବାରୁ ଓଡିଶା ଏବେ ଭଲ ସ୍ଥିତିରେ ରହିଛି। ଏହା ସହିତ ଆଲ୍ଲା ହଜରତ କମିଟୀ ତରଫରୁ ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଉଛି। କୌଣସି ବ୍ୟକ୍ତି ଯେପରି ଭୋକିଲା ନ ରହିବେ ସେଥିପାଇଁ ଉଦ୍ୟମ କରାଯାଉଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସମେତ ନିଜସ୍ୱ ପାଣ୍ଠିରୁ ଅସହାୟ ମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି। ଏବେ କରୋନା ଏକ ବିରାଟ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଥିବା ବେଳେ ଆମେ ଏହି ସଂଘର୍ଷରେ ନିଶ୍ଚିତ ବିଜୟୀ ହେବା ବୋଲି ମୋର ଦୃଢ଼ ବିଶ୍ୱାସ।

ଷ୍ଟେନଲାସ ବାର୍ଲା, ସାକ୍ଷୀପଡା ଚର୍ଚ୍ଚ, ସମ୍ବଲପୁର

କରୋନାକୁ ମୁକାବିଲା କରିବା ପାଇଁ ଜାରୀ ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଖ୍ରୀଷ୍ଟ ସମାଜର ସମସ୍ତ ସଦସ୍ୟଙ୍କୁ ଖବର ଦିଆଯାଇଛି। ମୁଖ୍ୟ ବିଶଫ ସ୍ୱତନ୍ତ୍ର ଭାବରେ ସରକାରୀ ନିର୍ଦ୍ଦେଶାନୁଯାୟୀ, ସାମାଜିକ ଦୂରତ୍ୱ, ଅତ୍ୟନ୍ତ ଜରୁରୀ ନ ହେଲେ ଘରୁ ନ ବାହାରିବା, କେହି ବାହାରକୁ ଯାଇଥିଲେ ଫେରିବା ପରେ ସରକାରଙ୍କ ନିକଟରେ ପଞ୍ଜିକରଣ କରାଇବା ଆଦିକୁ କଡାକଡି ଭାବରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଚର୍ଚ୍ଚ ଗୁଡିକରେ ଏହି ମହାମାରୀ ବିପଦ ଟଳିବା ପର୍ଯ୍ୟନ୍ତ ସାମୁହିକ ପ୍ରାର୍ଥନା ବନ୍ଦ ରଖାଯାଇଛି। ଫାଦର ମାନଙ୍କ ଦ୍ୱାରା କେବଳ ନିୟମିତ ରିତିନିତି ପାଳନ କରାଯାଉଛି। ଆଗାମୀ ଦିନରେ ଅସହାୟ, ଦିନ ମଜୁରିଆ ଓ ଖଟିଖିଆ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି।

Comments are closed.