ଲକ୍ ଡାଉନ୍ ସମୟରେ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱେଚ୍ଛା’

ସମ୍ବଲପୁର : ବର୍ତ୍ତମାନ ସାରା ଦେଶରେ କରୋନାକୁ ନେଇ ଭୟର ବାତାବରଣ ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି ସହିତ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ଅନୁରୋଧ ମଧ୍ୟ କରାଯାଉଛି। ରାଜ୍ୟ ସରକାର କରୋନାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ସମସ୍ତ ଜିଲାରେ ଲକ ଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ତିନି ଦିନ ହେଲା ସମ୍ବଲପୁର ଲକ ଡାଉନ ହୋଇ ରହିଛି। ସମ୍ବଲପୁରର ଜନଗହଳି ପୂର୍ଣ୍ଣ ରାସ୍ତା ଘାଟ ସବୁ ଶୂନାଶାନ ହୋଇ ରହିଛି। ସମସ୍ତ ଯାତାୟାତର ସାଧନ ସବୁ ଠପ ହୋଇଯାଇଛି। ଏଣୁ ବହୁ ଦିନ ମଜୁରିଆ ଓ ଖଟିଖିଆ କୌଣସି ରୋଜଗାର ନ ପାଇବାରୁ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱେଚ୍ଛା’ ତରଫରୁ ଭୋକ ଉପାସରେ ପଡି ରହିଥିବା ଅସହାୟଙ୍କୁ ପ୍ରାୟ ୫୦୦ଟି ମିଲ ବଣ୍ଟନ କରାଯାଇଛି। ଗୁଡୱିଲ ଅପଟିକାଲର ସହାୟତାରେ ସହରର ବିଭିନ୍ନ ସ୍ଥାନକୁ ଯାଇ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଦିଲ୍ଲୀପ ପଣ୍ଡା, ଡ. ଅଶୋକ ପାଣିଗ୍ରାହୀ, ମାନସ ଶତପଥୀ, ଘନଶ୍ୟାମ ସାହୁ, ବିକାଶ ତ୍ରିପାଠୀ, ସୁବ୍ରତ ନାଥ, ରାଜକମଲ ମହାନ୍ତି, ତନ୍ମୟ ପାଢ଼ୀ, ଶତୃଘ୍ନ ସ୍ୱାଇଁ, ଲାଲଟୁ, ପପୁ, ରଘୁ, ସୁନୀଲ, ଲକି, ବୁଦ୍ଧ, ଶୁଭ, ରଞ୍ଜନ ପ୍ରମୁଖ ଏହି ଖାଦ୍ୟ ବଣ୍ଟନ କରିଥିଲେ। ଲକ ଡାଉନ ରହିଥିବା ପର୍ୟ୍ୟନ୍ତ ଏହି ସେବା କାର୍ଯ୍ୟ ଚାଲୁ ରହିବ ଏବଂ ଏଥି ପାଇଁ ପ୍ରଶାସନ ନିକଟରୁ ଆବଶ୍ୟକୀୟ ଅନୁମତି ମଧ୍ୟ ନିଆଯାଇଛି ବୋଲି ସ୍ୱେଚ୍ଛାସେବୀ ଦିଲ୍ଲୀପ ପଣ୍ଡା କହିଛନ୍ତି।

Comments are closed.