ବିଦେଶରୁ ଫେରିବା ପରେ ପଞ୍ଜିକରଣ କରି ନ ଥିବା ବ୍ୟକ୍ତିଙ୍କ ବିରୋଧରେ ସମ୍ବଲପୁର ପୁଲିସର ମାମଲା ଦାୟର

କୋଭିଡ – ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନରେ ପ୍ରଥମ ମାମଲା ଦାୟର

ସମ୍ବଲପୁର:  ଏବେ ସାରା ବିଶ୍ୱରେ କରୋନା ଭୂତାଣୁର ହାହାକାର ଜାରି ରହିଥିବା ବେଳେ ଏହାକୁ ନିପାତ କରିବା ପାଇଁ ବିଶ୍ୱବ୍ୟାପି ବିଭିନ୍ନ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସର୍ତକତା ପଦକ୍ଷେପ ନେବା ସହିତ ବିଦେଶରୁ ଫେରିଥିବା ବ୍ୟକ୍ତି ମାନଙ୍କର ପଞ୍ଜିକରଣ ଅର୍ନିବାର୍ଯ୍ୟ କରିଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ କିଛି ବ୍ୟକ୍ତି ଅମାନ୍ୟ କରିବା ସହିତ ଏକାନ୍ତରେ ରହିବା ବ୍ୟତିତ ବାହାରେ ବୁଲା ବୁଲି କରୁଥିବାରୁ ପୁଲିସକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ବିଗତ କିଛି ଦିନ ତଳେ ଉଜବେକିସ୍ତାନ ଦେଶର ଯାତ୍ରା କରି ଫେରିଥିବା ଜଣେ ବ୍ୟକ୍ତି ପଞ୍ଜିକରଣ କରି ନ ଥିବା ଅଭିଯୋଗରେ ପ୍ରଶାସନ ତରଫରୁ ଅଭିଯୋଗ କରାଯିବା ପରେ ସମ୍ବଲପୁର ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ପ୍ରାପ୍ତସୂଚନାନୁଯାୟୀ, ଧନୁପାଲୀ ଥାନା କ୍ଷେତ୍ର ଅଧିନସ୍ଥ ଜଣେ ୪୫ ବର୍ଷିୟ ବ୍ୟକ୍ତି ଗତ ୩ ତାରିଖରେ ଉଜବେକିସ୍ତାନ ଦେଶ ଯାଇଥିଲେ। ସେଠାରୁ ସେ ଗତ ୯ ତାରିଖରେ ସମ୍ବଲପୁରକୁ ଫେରିଛନ୍ତି। ସରକାରଙ୍କ ଦ୍ୱାରା ଜାରି କୋଭିଡ – ୧୯ ନିର୍ଦ୍ଦେଶାବାଳୀ ଅନୁଯାୟୀ ସେହି ବ୍ୟକ୍ତି ଜଣକ ବହୁ ବିଳମ୍ବରେ ୧୭ ତାରିଖରେ ପଞ୍ଜିକରଣ କରିଛନ୍ତି। ତାଙ୍କୁ ହୋମ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ କିନ୍ତୁ ବ୍ୟକ୍ତି ଜଣକ ତାହା ନ ମାନି ବୁଲା ବୁଲି କରୁଥିଲେ। ଏ ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ତହସିଲଦାର ଲକ୍ଷ୍ମଣ ଅମାତ ଧନୁପାଲୀ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ଯାହା ଫଳରେ ଧନୁପାଲୀ ପୁଲିସ ମାମଲାର ପ୍ରାଥମିକ ତଦନ୍ତ କରି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ନଂ ୧୩୭/୨୦୨୦ କରାଯାଇଛି। ସେହି ବ୍ୟକ୍ତିଙ୍କୁ ହୋମ ଆସୋଲେସନରେ ରଖାଯାଇଛି। ଏ ନେଇ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ତପନ ମହାନ୍ତି ସୂଚନା ଦେଇଛନ୍ତି। ସମ୍ବଲପୁରରେ କୋଭିଡ – ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ମାମଲାରେ ପୁଲିସ ମାମଲା ଦର୍ଜ କରିବା ଘଟଣା ପ୍ରଥମ ଅଟେ।

Comments are closed.