ସୁନାଗହଣା ଠକେଇ ଗ୍ୟାଙ୍ଗର ସଦସ୍ୟକୁ କୋର୍ଟ ଚାଲଣ : ଗ୍ୟାଙ୍ଗର ଅନ୍ୟ ୩ ସଦସ୍ୟ ଫେରାର

ସୁନାଗହଣା ଉଦ୍ଧାର କରିବାରେ ପୁଲିସ ବିଫଳ

ସମ୍ବଲପୁର :  ସମ୍ବଲପୁରରେ ଗତ ବର୍ଷ ଠାରୁ ନିୟମିତ ବ୍ୟବଧାନରେ ସୁନାଗହଣା ସଫେଇ କରିବାର ଆଳରେ ନିରୀହ ଜନତାଙ୍କର ମୂଲ୍ୟବାନ ସୁନାଗହଣା ଧରି ଚମ୍ପଟ ମାରୁଥିବା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଧରିବାରେ ସଫଳ ହୋଇଥିଲା। ଏହି ସୁନା ଲୁଟେରାକୁ ଗୁରୁବାର ପୁଲିସ କୋର୍ଟ ଚାଲାଣ କରିଛି। ସମ୍ବଲପୁର ପୁଲିସ ପକ୍ଷରୁ ଜାରି ସୂଚନାନୁଯାୟୀ, ବିଗତ କିଛ ମାସ ହେବ ସମ୍ବଲପୁରର ଟାଉନ ଥାନା, ଧନୁପାଲୀ, ଅଇଁଠାପାଲୀ, ହୀରାକୁଦ, କ୍ଷେତରାଜପୁର ଆଦି ଥାନାଞ୍ଚଳ ମାନଙ୍କରେ ସୁନାଗହଣା ସଫେଇ ଆଳରେ ନିରୀହ ଜନତା ଠକେଇର ଶିକାର ହେଉଥିବାର ଅଭିଯୋଗ ହୋଇ ଆସୁଛି। ଏଣୁ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ପୁଲିସର କିଛି ଦଳ ଗଠନ କରାଯାଇ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଚାଲିଥିଲା। ଏହି କ୍ରମରେ ଗତକାଲି ଏହି ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୁଲିସ ଧନୁପାଲୀ ଥାନାଞ୍ଚଳରୁ ଧରିଥିଲା। ଧରା ପଡିଥିବା ଲୁଟେରା ଜଣକ ବିହାର ରାଜ୍ୟର ଗୋପାଲପୁର ଥାନା ଅର୍ନ୍ତଗତ ପାଞ୍ଚଗଛିଆ ଗ୍ରାମର ନିବାସୀ ଅର୍ଜୁନ ସା (୪୬) ଅଟେ। ଅର୍ଜୁନ ନିକଟରୁ ପୁଲିସ ନଗଦ ୪ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ, ସୁନା ସଫେଇ ପାଉଡର, ଉଜାଲା ଲିକ୍ୱିଡ, ବ୍ରସ ଓ ଗୋଟିଏ ପଲସର ମୋଟର ବାଇକ (ବିଆର-୩୯-ଏସି-୯୫୧୪) ଜବତ କରିଛି। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ଜୁନ ଧରାପଡିବା ପରେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିବାର ପୁଲିସ କହିଛି। କିନ୍ତୁ ବିଡମ୍ବନାର ବିଷୟ ଯେ ଏ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ ଠକେଇ କରିଥିବା ସୁନାଗହଣା ଗୁଡିକୁ ପୁଲିସ ଉଦ୍ଧାର କରିବାରେ ବିଫଳ ରହିଛି।

ପ୍ରାପ୍ତସୂଚନାନୁଯାୟୀ, ଏହି ଲୁଟେରା ଗ୍ୟାଙ୍ଗ ଝାରସୁଗୁଡା ଠାରେ ରହୁଥିବା ବେଳେ ବାଇକ ଯୋଗେ ସମ୍ବଲପୁରକୁ ଆସି ରେକି କରିବା ପରେ ଘଟଣା ଘଟାଇ ତୁରନ୍ତ ଝାରସୁଗୁଡା ଫେରାର ମାରୁଥିଲେ। ଏଣୁ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇ ପାରୁ ନ ଥିଲା। ତେବେ ବୁଧବାର ଦିନ ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୁଲିସ ଧରିବାରେ ସଫଳତା ହାସଲ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଜଣେ ସାଧା ପୋଷାକଧାରୀ ପୁଲିସ କଚେରୀ ଛକରେ ଛିଡା ହୋଇଥିବା ବେଳେ ଦୁଇ ଜଣ ବାଇକ ଆରୋହୀଙ୍କୁ ଦେଖି ସନ୍ଦେହ ପ୍ରକାଶ କରି ସେମାନଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେହି ପୁଲିସ ଜଣକୁ ଦେଖି ଦୁଇ ସନ୍ଦିଗ୍ଧ ବାଇକ ଆରୋହୀ ତୁରନ୍ତ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରି ଜେଲଖାନା ଛକ ପଟକୁ ଯାଇଥିଲେ। ଏଣୁ ପୁଲିସ ଜଣକ ତୁରନ୍ତ ଏକୁଟିଆ ନିଜର ବାଇକରେ ସେମାନଙ୍କ ପିଛା କରିଥିଲେ। ପୁଲିସ ଓ ଅପରାଧି ମାନଙ୍କ ମଧ୍ୟରେ ଛକ୍କାପନ୍ଥା ଚାଲିଥିବା ବେଳେ ଅପରାଧି ମାନେ ନିଜ ବାଇକରେ ଜେଲଖାନା ଛକରେ ପୁଲିସର ବାଇକକୁ ଧକ୍କା ଦେବାକୁ ଚେଷ୍ଟା କରିଥିଲେ। ଏଣୁ ପୁଲିସ ଜଣକ ତୁରନ୍ତ ନିଜ ବାଇକ ଛାଡି ଚଳଚିତ୍ର ଷ୍ଟାଇଲରେ ଅପରାଧି ମାନଙ୍କ ଉପରକୁ ଝାମ୍ପି ପଡିଥିଲେ। ତେଣୁ ଅପରାଧି ଦ୍ୱୟ ଓ ପୁଲିସ ଜଣକ ତଳେ ପଡିଯାଇଥିଲେ। ଇତି ମଧ୍ୟରେ ପୁଲିସ ଜଣେ ଅପରାଧିଙ୍କୁ ଜାବୁଡି ଧରିଥିବା ବେଳେ ଅନ୍ୟ ଅପରାଧି ଜଣକ ଫେରାର ହେବାରେ ସଫଳ ହୋଇଥିଲା। ଏହା ପରେ ଉକ୍ତ ଅପରାଧି ଓ ସେମାନେ ବ୍ୟବହାର କରୁଥିବା ବାଇକକୁ ଧନୁପାଲୀ ପୁଲିସ ଥାନାରେ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧୭ ତାରିଖରେ ଏଭଳି ଏକ ୪ ଜଣିଆ ସୁନାଗହଣା ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିଥିଲା। ସମସ୍ତ ଅପରାଧି ମାନେ ବିହାର ଭାଗଲପୁର ଜିଲାର ନିବାସୀ ଅଟନ୍ତି। ଚଳିତ ଥର ମଧ୍ୟ ଧରା ପଡିଥିବା ଲୁଟେରା ଓ ତାର ସାଥି ମାନେ ବିହାର ରାଜ୍ୟର ହୋଇଥିବା ବେଳେ ମୁଖ୍ୟତଃ ଭାଗଲପୁର ଜିଲାର ରହିଛନ୍ତି। ଏଣୁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରି ଫେରାର ଥିବା ଲୁଟେରା ମାନଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି।

Comments are closed.