ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ କାର୍ଯ୍ୟରତ ଅମିନ

୫ଟି ପରେ ମଧ୍ୟ ସୁଧରିବା ପାଇଁ ରାଜି ନୁହନ୍ତି ସରକାରୀ କର୍ମଚାରୀ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମର ଯୋଜନା ବିଭାଗରେ କାର୍ଯ୍ୟରତ ଅମିନ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସମ୍ବଲପୁର ମହାନଗର ନିଗମର ଯୋଜନା ବିଭାଗରେ ଅମିନ ଭାବରେ କାର୍ଯ୍ୟରତ ପ୍ରସନ୍ନ କୁମାର ପରିଡା ଗୋପାଲମାଲ ନିବାସୀ ତୃପ୍ତିମୟୀ ପଣ୍ଡାଙ୍କୁ ତାଙ୍କର ବଂଶୀଧର ନଗର ସ୍ଥିତ ଘରର ଯୋଜନା ପାସ କରାଇବା ପାଇଁ ଲାଞ୍ଚ ମାଗିଥିଲେ।

ଅଭିଯୋଗ ଅନୁଯାୟୀ, ସେ ବଂଶୀଧର ନଗର (ଜେମଜେ ହସ୍ପିଟାଲ ପାଖରେ) ୫ ଡିସିମିଲ ଜମି କିଣିଛନ୍ତି ଏବଂ ସେଠାରେ ସେ ୧୧୦୦ ବର୍ଗଫୁଟର ଏକ ଘର ନିର୍ମାଣ ପାଇଁ ଘରର ନକ୍ସା ପାସ କରାଇବା ପାଇଁ ମହାନଗର ନିଗମ ଠାରେ ଗତ ଜାନୁଆରୀ ୨୦ ତାରିଖରେ ସମସ୍ତ କାଗଜପତ୍ର ନିୟମାନୁଯାୟୀ ଦାଖଲ କରିଥିଲେ। ଏକ ମାସରେ ତାଙ୍କର ଘରର ନକ୍ସା ପାସ ହୋଇଯିବ ବୋଲି କୁହାଯାଇଥିବାରୁ କାଗଜପତ୍ର ଦାଖଲ କରିବାର ପ୍ରାୟ ଏକ ମାସ ପରେ ନକ୍ସା ପାସ ହେଲା କି ନାହିଁ ବୋଲି ସେ ଜାଣିବା ପାଇଁ ମହାନଗର ନିଗମର କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ସେହି ସମୟରେ ଯୋଜନା ବିଭାଗରେ କାର୍ଯ୍ୟରତ ଅମିନ ପ୍ରସନ୍ନ ତାଙ୍କୁ ଅନ୍ୟ ଏକ ରୁମକୁ ଡାକି ନେଇ ଘରର ନକ୍ସା ପାସ କରାଇବାକୁ ହେଲେ ୩୦ ହଜାର ଟଙ୍କା ଦେବାକୁ ପଡିବ ନଚେତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଫାଇଲ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚିବ ନାହିଁ ବୋଲି କହିଥିଲେ। ଏହା ପରେ ବହୁ ନେହୁରା ହେବାରୁ ପ୍ରସନ୍ନ ପ୍ରଥମେ ୨୦ ହଜାର ପରେ ୧୫ ହଜାର ଟଙ୍କାରେ ଘରର ଯୋଜନାର ଫାଇଲ ପାସ କରାଇବା ପାଇଁ ହଁ ଭରିଥିଲେ। ଫାଇଲ ପାସ କରିବା ପାଇଁ ନିଆଯାଉଥିବାର ଅର୍ଥ ଯୋଜନା ବିଭାଗର ପ୍ଲାନିଂ ସଦସ୍ୟ ଅଲ୍ଲୀ ଓ ସାମଲ ବାବୁଙ୍କ ସମେତ ସମସ୍ତଙ୍କ ମଧ୍ୟରେ ଭାଗ ହୋଇଥାଏ ବୋଲି ଅମିନ ପ୍ରସନ୍ନ କହିଥିଲେ। ଏଣୁ ଆଗାମୀ ୨୭ ପୂର୍ବରୁ ଟଙ୍କା ପ୍ରଦାନ କଲେ ଏହା ସବୁ କାମ ହୋଇଯିବ ବୋଲି ଅମିନ ପ୍ରସନ୍ନ ଆବେଦନକାରୀ ତୃପ୍ତିମୟୀଙ୍କୁ କହିଥିଲେ। ଏହା ପରେ ପ୍ରସନ୍ନ ଏକ ଡାଏରୀରେ ତାଙ୍କର ନାମ ଲେଖି ରଖିଥିଲେ।

ଏହା ପରେ ସଚେତନ ନାଗରିକ ତୃପ୍ତିମୟୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଏହି ଘଟଣା ସର୍ମ୍ପକରେ ଅଭିଯୋଗ କରିବାରୁ ଭିଜିଲାନ୍ସ ବିଭାଗ ତାଙ୍କୁ ସାହାର୍ରି ଥିଲା। ଏହି କ୍ରମରେ ସୋମବାର ଦିନ ପ୍ରାୟ ୧ଟା ୩୦ରେ ଭିଜିଲାନ୍ସ ଜାଲ ବିଛାଇ ତୃପ୍ତିମୟୀଙ୍କ ସହାୟତାରେ ଲାଞ୍ଚୁଆ କିରାଣୀ ପ୍ରସନ୍ନଙ୍କୁ ତାଙ୍କର କାର୍ଯ୍ୟାଳୟ ଠାରେ ଲାଞ୍ଚ ନେବା ସମୟରେ ଧରି ରାସାୟନିକ ବୋଳା ୧୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲା। ଏଣୁ ଲାଅଞ୍ଚୁଆ କିରାଣୀ ପ୍ରସନ୍ନକୁ ଭିଜିଲାନ୍ସ ଗିରଫ କରିଛି।

ଏ ସର୍ମ୍ପକରେ ସମ୍ବଲପୁର ଭିଜିଲାନ୍ସ ଏସପି ସୁବାଷ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଅଭିଯୋଗକାରିଣୀ ତୃପ୍ତିମୟୀଙ୍କ ଅଭିଯୋଗ ପରେ ବିଭାଗ ତୁରନ୍ତ ପଦକ୍ଷେପ ନେଇଥିଲା। ଲାଞ୍ଚ ନେବା ସମୟରେ ଅମିନ ପ୍ରସନ୍ନକୁ ଧରି ଗିରଫ କରାଯାଇ ସମ୍ବଲପୁର ଭିଜିଲାନ୍ସ କେଶ ନଂ ୬/୨୦୨୦ ରୁଜୁ କରାଯାଇଛି। ଏହା ସହିତ ପ୍ରସନ୍ନଙ୍କର ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ ପାଇଁ ତାଙ୍କର ସରକାରୀ ବାସଭବନକୁ ଯାଞ୍ଚ କରାଯାଉଛି। ଯଦି ଆବଶ୍ୟକ ହୁଏ ତାହା ହେଲେ କେନ୍ଦ୍ରପଡା ଜିଲାର ମହାକାଳପଡା ଥାନା ଅର୍ନ୍ତଗତ ମାଲିଆଞ୍ଚଛ ଗ୍ରାମ ଠାରେ ଥିବା ପୈତୃକ ବାସଭବନକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଏସପି ସ୍ୱାଇଁ କହିଛନ୍ତି।

ତେବେ ଏଠାରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ରାଜ୍ୟ ସରକାର ୫ଟି ଉପରେ ଗୁରୁତ୍ୱ ଦେଉଥିବା ବେଳେ କିନ୍ତୁ ସରକାରୀ କର୍ମଚାରୀ ମାନେ ସେମାନଙ୍କର ଲାଞ୍ଚୁଆ ଅଭ୍ୟାସ ଛାଡିବାକୁ ନାରାଜ ଅଛନ୍ତି। ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପରେ କଡା ଆଭିମୁଖ୍ୟ ପୋଷଣ କରି ଚାକିରୀରୁ ଅବ୍ୟାହତି ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ କର୍ମଚାରୀଙ୍କର ଲାଞ୍ଚୁଆ ଚେର ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ଘଟଣା ବାରମ୍ବାର ଦେଖାଯାଉଛି। ଦୁର୍ନୀତି ମୂଳୋତ୍ପାଟନ ପାଇଁ କେବଳ ତଳିଆ କର୍ମଚାରୀ ମାନଙ୍କୁ ଧରାଯାଉଥିବା ବେଳେ ଉପରିସ୍ଥ ଅଧିକାରୀ ମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Comments are closed.