ସମ୍ବେଦନହୀନ ପ୍ରଶାସନ ପାଇଁ ବିଦ୍ୟୁତ ଖୁଣ୍ଟ ଡାକୁଛି ବିପଦ

ସମ୍ବଲପୁର : ସମ୍ବଲପୁର ସହର ପଶ୍ଚିମ ଓଡିଶାର ପ୍ରମୁଖ ସହର ହୋଇଥିବା ବେଳେ ସମୟର ତାଳ ସହିତ ସହର ତାର ପୁର୍ବ ସ୍ୱରୂପ ବଦଳିବାରେ ଲାଗିଛି। ସହରରେ ବିଭିନ୍ନ ଉନ୍ନୟନମୂଳକ ଦ୍ୱାରା କାୟାକଳ୍ପ ବଦଳୁଥିବା ବେଳେ କିନ୍ତୁ ସହରର ପୁରୁଣା ସମସ୍ୟା ଜବରଦଖଲ କମିବା ଅପେକ୍ଷା ବଢ଼ିବାରେ ଲାଗିଛି। ତେବେ ପ୍ରଶାସନର ଢ଼ିଲା ଅଭ୍ୟାସ ଯୋଗୁଁ ଜନତାର ଟିକସର ଅଯଥା ଅପବ୍ୟୟ ତଥା ଜନତାଙ୍କ ଜୀବନ ସହିତ ପ୍ରଶାସନର ଖେଳର ବହୁ ଦୃଷ୍ଟାନ୍ତ ସହରର ବିଭିନ୍ନ ଭାଗରେ ଦେଖିବାକୁ ମିଳୁଛି ।

ଗତ ୯ ତାରିଖରେ ଗଞ୍ଜାମ ଜିଲାରେ ବିଜୁଳି ବିଭାଗର ଖାମଖିଆଲି ନୀତି ଯୋଗୁଁ ଓହଳି ପଡିଥିବା ୧୧ କେଭି ଜୀବନ ବିଦ୍ୟୁତ ତାରରେ ଏକ ଯାତ୍ରୀବାହୀ ବସ ଲାଗିଯିବାରୁ ୧୧ ଜଣଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଛି। ଏହି ଘଟଣା ସାରା ଦେଶରେ ଚହଳ ପକାଇଥିବା ବେଳେ ବିଦ୍ୟୁତ ବିଭାଗର ନିଦ୍ରା ଭଙ୍ଗ ହୋଇ ନ ଥିବାରୁ କେନ୍ଦ୍ରପଡା ଜିଲାରେ ୧୧ କେଭି ତାର ଲାଗି ଏକ ଟ୍ରକ ଚାଳକଙ୍କ ମୃତ୍ୟୁ ଓ ଝାରସୁଗୁଡା ଜିଲାରେ ଜାତୀୟ ରାଜପଥ ଉପରେ ୩୨ କେଭିର ଅତ୍ୟନ୍ତ ଉଚ୍ଚକ୍ଷମତା ସମ୍ପନ୍ନ ତାର ଶନିବାର ଦିନ ଛିଣ୍ଡି ପଡିଛି। ବିଦ୍ୟୁତ ତାର ଜନିତ ଦୁର୍ଘଟଣା ମାନ ବଢ଼ି ଚାଲିଥିବା ବେଳେ କିନ୍ତୁ ବିଦ୍ୟୁତ ବିଭାଗ ସଚେତ ହେବା ମୁଡରେ ନ ଥିବା ଭଳିଆ ଦେଖାଯାଉଛି। ଏବେ ବିଦ୍ୟୁତ ବିଭାଗ ସାରା ରାଜ୍ୟରେ ଜୋର ଜବରଦସ୍ତ ବାକିଆ ବିଦ୍ୟୁତ ଶୁଳ୍କ ଗୁଡିକୁ ଆଦାୟ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ କିନ୍ତୁ ଉତ୍ତମ ସେବା ପ୍ରଦାନ ପାଇଁ କୌଣସି ପ୍ରକାରର ପଦକ୍ଷେପ ବର୍ଷ ବର୍ଷ ଧରି କରୁ ନାହିଁ। ବିଦ୍ୟୁତ ବିଭାଗର ମନମାନୀ ନିତି ଯୋଗୁଁ ଭଙ୍ଗା ଦରରା ପୋଲ, ପୁରୁଣା କାଳିଆ ତାର, ସେହି ତାରରେ ଶହେ ପ୍ରକାରର ଜଏଣ୍ଟ, କେଉଁ ଠି ତାର ଓହଳିଯାଇଛି ତ କେଉଁଠି ରାସ୍ତା ସମ୍ପ୍ରସାରଣ ପରେ ରାସ୍ତା ମଝିରେ ପୋଲ ରହିଛି।

ସମ୍ବଲପୁର ସହରରେ ବିଦ୍ୟୁତ ବିଭାଗର ସେବା ବିଷୟରେ ନ କହିବା ଭଲ। ହୀରାକୁଦ ଜଳ ଭଣ୍ଡାରର ପାଦଦେଶରେ ଅବସ୍ଥିତ ସମ୍ବଲପୁରବାସୀ ଅଘୋଷିତ ବିଦ୍ୟୁତ କାଟ ଓ ଗୁଣବତ୍ତା ଯୁକ୍ତ ବିଦ୍ୟୁତ ସେବା ପାଇଁ ଏବେ ପର୍ଯ୍ୟନ୍ତ ଅପେକ୍ଷାରେ ରହିଛନ୍ତି। ଅନ୍ୟ ପଟରେ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁଁ ବହୁ ସ୍ଥାନରେ ରାସ୍ତା ଗୁଡିକ ସମ୍ପ୍ରସାରଣ ହୋଇ ସାରିଥିବା ବେଳେ କିନ୍ତୁ ବିଦ୍ୟୁତ ପୋଲ ଗୁଡିକ ରାସ୍ତା ମଝିରେ ରହିଯାଇଛି। ଉଦାହରଣସ୍ୱରୂପ ଜିଏମ କଲେଜ ଛକ ଓ କୁଲୁଥକାନୀ ରୁ ଧନକଉଡା ପର୍ଯ୍ୟନ୍ତ ଯାଉଥିବା ଚନ୍ଦ୍ରଶେଖର ବେହେରା ମାର୍ଗ। ଏହି ମାର୍ଗ ଗୁଡିକ ଅତ୍ୟନ୍ତ ବ୍ୟସ୍ତବହୁଳ ମାର୍ଗ ଅଟେ। ଏଣୁ ପ୍ରଶାସନ ତରଫରୁ ରାସ୍ତା ଗୁଡିକର ମରାମତି ସହିତ ସମ୍ପ୍ରସାରଣ ମଧ୍ୟ କରାଯାଇଛି। ପୂର୍ତ୍ତ ବିଭାଗ ତାର ଦାୟିତ୍ୱ ସମ୍ପନ୍ନ କରି ସାରିଥିବା ବେଳେ କିନ୍ତୁ ବିଦ୍ୟୁତ ବିଭାଗ ତାର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ରାସ୍ତା ମଝିରେ ବିଦ୍ୟୁତ ପୋଲ ଗୁଡିକ ରହିଛି। ସହରର କେନ୍ଦ୍ରସ୍ଥଳିରେ ଫ୍ଲାଇ ଓଭର ନିର୍ମାଣ ଯୋଗୁଁ ସହର ମଧ୍ୟକୁ ଅଇଁଠାପାଲୀ ପଟକୁ ଯିବା ଆସିବା ପାଇଁ ଥିବା ପ୍ରମୁଖ ରାସ୍ତା ଲକ୍ଷ୍ମୀ ଟକିଜ ଛକରୁ ଜିଏମ କଲେଜ ଛକ ପର୍ଯ୍ୟନ୍ତ ପ୍ରାୟ ୫ ବର୍ଷ ଧରି ଅବରୁଦ୍ଧ। ଏଣୁ ଲୋକେ ବାଧ୍ୟ ହୋଇ ଲକ୍ଷ୍ମୀ ଟକିଜ ଛକରୁ ମୋଦିପଡା ଛକ, ପାଣିଟାଙ୍କି ଛକ ଓ ହସପିଟାଲ ଛକ, ଜିଏମ କଲେଜ ଛକ ଦେଇ ଅଇଁଠାପାଲୀ ପଟକୁ ଯିବା ଆସିବା କରୁଛନ୍ତି। ମୋଦିପଡା ଛକରୁ ଜିଏମ କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ବହୁ ବିଦ୍ୟୁତ ଖୁଣ୍ଟ ରହିଛି। ରାସ୍ତା ନିର୍ମାଣ ଶେଷ ହେବାର ବର୍ଷ ବର୍ଷ ବିତିଯିବା ସତ୍ୱେ ବିଦ୍ୟୁତ ବିଭାଗର ହେୟଜ୍ଞାନ ମନୋବୃତ୍ତି ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରେ ଛିଡା ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହିତ ଜବରଦଖଲକାରୀଙ୍କୁ ମଧ୍ୟ ସୁଯୋଗ ଦେଉଛି। ଯାହା ଫଳରେ ପ୍ରତ୍ୟହ ଛୋଟ ଛୋଟ ଦୁର୍ଘଟଣା ଘଟୁଛି ଏବଂ ଲୋକେ ଆହତ ହେଉଛନ୍ତି। ସେହଭଳି କୁଲୁଥକାନୀ ରୁ ଧନକଉଡା ମଧ୍ୟରେ ରହିଥିବା ଚନ୍ଦ୍ରଶେଖର ବେହେରା ମାର୍ଗକୁ ସହରବାସୀଙ୍କୁ ପ୍ରବେଶ ପାଇଁ ଏକ ବିକଳ୍ପ ରାସ୍ତା ପ୍ରଦାନ ସକାଶେ ଏହାର ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ ବିଗତ ୩ ବର୍ଷ ହେବ ଶେଷ ହୋଇସାରଛି। କିନ୍ତୁ ଏହି ରାସ୍ତାରେ ମଧ୍ୟ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ମାନ ଆଜି ମଧ୍ୟ ବିରାଜମାନ ରହିଛନ୍ତି। ଏ ସର୍ମ୍ପକରେ ବାରମ୍ବାର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ୱେ କିଛି ସୁଫଳ ମିଳି ନ ଥିବାରୁ ପୁଣି ଥରେ ଗଞ୍ଜାମ ଭଳି କୌଣସି ଏକ ବଡ ଦୁର୍ଘଟଣାର ଆଶଙ୍କାରେ ସହରବାସୀ ଆତଙ୍କିତ ରହିଛନ୍ତି। ଏଣୁ ବିଜୁଳି ବିଭାଗ ତାର କୁମ୍ଭକର୍ଣ୍ଣ ନିଦ୍ରାରୁ ଜନତାର ସ୍ୱାର୍ଥ ପାଇଁ ଜାଗ୍ରତ ହୋଇ ସହର ତଥା ଆଖପାଖ ଅଞ୍ଚଳରେ ରାସ୍ତା ମଝିରେ ଥିବା ସମସ୍ତ ବିଦ୍ୟୁତ ପୋଲ ଗୁଡିକୁ ରାସ୍ତା କଡକୁ ଅଥବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁ ବୋଲି ସାଧାରଣରେ ଦାବି ହେଉଛି।

Comments are closed.