ହଜ ଯାତ୍ରା ନାମରେ ଠକେଇ ମାମଲା : ପୁଲିସର ଭୂମିକାକୁ ନେଇ ଅସନ୍ତୋଷ

ଏସପିଙ୍କ ନିକଟରେ ପିଡୀତ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ଠାରେ ମୁସଲିମ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କୁ ସୁଲଭ ଦର ଓ ସୁବିଧାରେ ହଜ ଯାତ୍ରା କରାଇବା ନାମରେ ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ପୁଲିସର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ ଏହାକୁ ନେଇ ପିଡୀତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇର ଶିକାର ବ୍ୟକ୍ତି ମାନେ ଡିସେମ୍ବର ୪ ତାରିଖରେ ଅଭିଯୋଗ ଦେବା ପରେ ପୁଲିସ ଚୁପ ବସିରହିବା, ନାଟକୀୟ ଘଟଣାକ୍ରମରେ ଅଭିଯୁକ୍ତ ଫେରାର ହେବା ଏବଂ ପୁଣି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଧରି ବୁଧବାର ଦିନ ଥାନାରେ ପହଞ୍ଚିବା, ପିଡୀତ ମାନଙ୍କର ଅଭିଯୋଗକୁ ବହୁ କଷ୍ଟରେ ପୁଲିସ ଗ୍ରହଣ କରିବା ଆଦି ଘଟଣା ଗୁଡିକରୁ ପିଡିତ ମାନେ ପୁଲିସର ଭୂମିକାକୁ ନେଇ ବାରମ୍ବାର ସନ୍ଦେହ କରି ସ୍ୱର ଉତ୍ତୋଳନ କରିଆସୁଛନ୍ତି।

ବୁଧବାର ରାତ୍ରିରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଅଭିଯୋଗ ପତ୍ର ପୁଲିସ ଗ୍ରହଣ କରିବା ମଧ୍ୟରେ ଚାଲିଥିବା ଛକ୍କା ପନ୍ଥାକୁ ନେଇ ପ୍ରବଳ ଉତ୍ତେଜନା ଧନୁପାଲୀ ପୁଲିସ ଥାନାରେ ପ୍ରକାଶ ପାଇଥିଲା। ତେବେ ବୁଧବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଭିଯୋଗକାରୀ ମାନଙ୍କର ଅଭିଯୋଗ ଦର୍ଜ ହୋଇ ନ ଥିଲା। ଏହାକୁ ନେଇ ପ୍ରବଳ ଅସନ୍ତୋଷର ବର୍ଣ୍ଣି ପିଡିତ ମାନଙ୍କ ମଧ୍ୟରେ କୁହୁଳୁଛି। ଏଣୁ ଧନୁପାଲୀ ପୁଲିସ ଅଧିକାରୀଙ୍କର ଭୂମିକାକୁ ନେଇ ଗୁରୁବାର ପୂର୍ବାହ୍ନରେ ପିଡୀତ ମାନେ ସମ୍ବଲପୁର ଜିଲା ଏସପି ଡା. କନୱର ବିଶାଳ ସିଂହଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ପିଡିତ ଓ ମୁସଲିମ ସମ୍ପ୍ରଦାୟଙ୍କ ତରଫରୁ ମିଳିତ ଭାବରେ ଦିଆଯାଇଥିବା ଏହି ଦାବି ପତ୍ର ଅନୁଯାୟୀ, ଧନୁପାଲୀ ଥାନା ଅର୍ନ୍ତଗତ କୁମ୍ଭାରପଡାର ନିବାସୀ ଅବଦୁଲ ରହିମ ହଜ ଯାତ୍ରା ନାମରେ ବହୁ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଠକେଇ କରିଛନ୍ତି। ଏ ବାବଦରେ ଗତ ଡିସେମ୍ବର ମାସରେ ଠକେଇର ଶିକାର ବ୍ୟକ୍ତି ମାନେ ଧନୁପାଲୀ ଥାନାରେ ଅଭିଯୋଗ କରିବା ପରେ ଚୁପ ପଡି ଯାଇଥିଲା। ଅଭିଯୁକ୍ତ ରହିମକୁ ପୁଲିସ ଧରିବା ପରିବର୍ତ୍ତେ ଚୁପ ହୋଇଯିବାରୁ ଅଭିଯୁକ୍ତ ଫେରାର ହୋଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏନ୍ଟିସିପାଟୋରୀ ବେଲ ପାଇଁ ଆବେଦନ କରିଥିଲା। ତେବେ ମାନ୍ୟବର ହାଇକୋର୍ଟ ସେ ସମୟରେ ରୁଜୁ ହୋଇଥିବା ମାମଲାରେ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ଇନଟରିମ ପ୍ରୋଟେକ୍ସନ ଅର୍ଡର ଦେଇଛନ୍ତି। ଏଣୁ ଧନୁପାଲୀ ପୁଲିସ ଅଧିକାରୀ ଅଭିଯୁକ୍ତ ରହିମକୁ ଅଟକ କିମ୍ବା ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବୋଲି ଦାବୀପତ୍ରରେ ଅଭିଯୋଗକାରୀ ମାନେ ଦର୍ଶାଇଛନ୍ତି। ତେବେ ଅଭିଯୁକ୍ତ ନାମରେ ରହିଥିବା ଅନ୍ୟ ମାମଲା ଗୁଡିକରେ ରହିମକୁ ଗିରଫ କରିବା ପାଇଁ ପିଡିତ ମାନେ ଦାବୀ କରିଛନ୍ତି। ଏଣୁ ସାଧାରଣରେ ପୁଲିସ ଅଭିଯୁକ୍ତ ରହିମକୁ ସହଯୋଗ କରୁଛି ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଅଭିଯୁକ୍ତ କୁ ଗିରଫ କରି ଠକେଇର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ନ୍ୟାୟ ଦେବା ପାଇଁ ଅଭିଯୋଗକାରୀ ମାନେ ଦାବୀ କରିଛନ୍ତି। ଏସପିଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ, ସୟଦ ଅଶରଫ ହୁସେନ, ହାସିମୁଦ୍ଦିନ ଖାନ, ମହମ୍ମଦ ରିୟାଜ ଅହମଦ, ମହମ୍ମଦ ଅଜିଜ ଅହମଦୀ, ଶେଖ ବସିରୁଦ୍ଦିନ, ରମିଜ ରାଜା, ମହମ୍ମଦ ଅନିଶ, ମହମ୍ମଦ ତାଜୁଲ, ଅବଦୁଲ ସକିଲ, ମହମ୍ମଦ ମୁନା, ମହମ୍ମଦ ନୈସାଦ, ମହମ୍ମଦ କାସିମ, ମହମ୍ମଦ ସଲିମ, ହାଜୀ ଆସିଫ, ଜୁବେଦା ବେଗମ, ହାଜୀ ମହମ୍ମଦ ନୈସିଫ, ଫରହାନ ଅକ୍ତତର ପ୍ରମୁଖଙ୍କ ଦସ୍ତଖତ ରହିଛି।

ସୂଚନାଯୋଗ୍ୟ ଯେ, ଧନୁପାଲୀ ଥାନା ଅର୍ନ୍ତଗତ କୁମ୍ଭାରପଡା ନିବାସୀ ଅବଦୁଲ ରହିମ ନାମକ ଜଣେ ବ୍ୟକ୍ତି ମୁସଲିମ ସମ୍ପ୍ରଦାୟର ବହୁ ଲୋକଙ୍କୁ ସୁବିଧା ଓ ଶସ୍ତାରେ ହଜ ଯାତ୍ରା କରାଇବା ପାଇଁ ହୋଟେଲ, ଟିକେଟ ଆଦି ପାଇଁ ବିଭିନ୍ନ କିସ୍ତିରେ ଗତ ବର୍ଷ ଲକ୍ଷାଧିକ ଟଙ୍କା ନେଇଥିଲେ। ହଜ ଯାତ୍ରାରେ ଯିବା ପାଇଁ ଲୋକ ମାନଙ୍କୁ ଛତିଶଗଡ ରାଜ୍ୟର ଅକବର ଟୁର ଆଣ୍ଡ ଟ୍ରାଭେଲସ ଜରିଆରେ ଟିକେଟ ଓ ହୋଟେଲ ବୁକିଂ କରିଥିବା କହି ବିଭିନ୍ନ ଟିକଟ ଓ ହୋଟେଲ ବୁକିଂ ରସିଦ ଆଦି ପ୍ରଦାନ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ ହଜ ଯାତ୍ରୀ ମାନେ ଝାରସୁଗୁଡା ବିମାନବନ୍ଦରକୁ ଯିବା ପରେ ସେମାନେ ଠକେଇର ଶିକାର ହୋଇଥିବାର ଜାଣିବାକୁ ପାଇଥିଲେ। ଏଣୁ ହଜ ଯାତ୍ରୀ ଓ ସର୍ମ୍ପକୀୟ ମାନେ ରାୟପୁର ସ୍ଥିତ ସଂପୃକ୍ତ ଟ୍ରାଭେଲ ଏଜେନସି ସହିତ ଯୋଗାଯୋଗ କରିବାରୁ ସେମାନେ ସେଭଳି କୌଣସି ହଜ ଯାତ୍ରା ପାଇଁ ଟିକେଟ ଓ ହୋଟେଲ ବୁକିଂ ଆଦି କରି ନ ଥିବା ସହିତ କାହାରି ନିକଟରୁ ଏ ବାବଦରେ ଟଙ୍କା ମଧ୍ୟ ନେଇ ନ ଥିବାର କହିଥିଲେ। ତେଣୁ ସମ୍ବଲପୁରରେ ଅଭିଯୁକ୍ତ ଅବଦୁଲ ଙ୍କୁ ଟଙ୍କା ଦେଇଥିବା ଲୋକେ ଏ ବାବଦରେ ପଚାରିବାରୁ ସେ ସମସ୍ତ ଟଙ୍କା ସଂପୃକ୍ତ ଟ୍ରାଭେଲ ଏଜେନସିକୁ ଦେଇଥିବା ଏବଂ ଏବେ ସେ ଆଉ କିଛି କରିପାରିବେ ନାହିଁ ବୋଲି କହିଥିଲେ। ତେବେ ଟଙ୍କା ଦେଇଥିବା ଲୋକେ ଏ ସର୍ମ୍ପକରେ ବାରମ୍ବାର ଟଙ୍କା ଫେରାଇବା ପାଇଁ କହିବାରୁ ସେ ଟଙ୍କା ନ ଫେରାଇବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ତେବେ ଅଭିଯୁକ୍ତ ଜଣକ ସମ୍ବଲପୁର, ରାଉରକେଲା, ଝାରସୁଗଡା ଆଦି ଅଞ୍ଚଳରେ ଶତାଧିକ ଲୋକଙ୍କୁ ଠକିଥିବାର ଅଭିଯୋଗ ହେଉଛି। କିନ୍ତୁ ପୁଲିସର ଭୂମିକା ପ୍ରଥମରୁ ହିଁ ସନ୍ଦେହ ଘେରରେ ରହିଥିବାରୁ ପିଡିତ ମାନେ ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Comments are closed.